ସରକାରୀ କଲ୍ୟାଣକାରୀ ଯୋଜନାର ସୁବିଧା ପାଇବା ପାଇଁ ଭୋଟର୍ ପରିଚୟପତ୍ର (Voter ID)କୁ ବାଧ୍ୟତାମୂଳକ କରାନଯାଉ। ଏଭଳି ଦାବି କରି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି ‘Citizens for Fraternity Forum’ (CFF-Bharat)। ଏହି ଚିଠିରେ ପୂର୍ବତନ ଦିଲ୍ଲୀ ଉପରାଜ୍ୟପାଳ ନାଜିବ ଜଙ୍ଗ, ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଜମିର ଉଦ୍ଦିନ ଶାହ ଓ ପୂର୍ବତନ କୂଟନୀତିଜ୍ଞ ଅଶୋକ କୁମାର ଶର୍ମାଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ସ୍ୱାକ୍ଷର କରିଛନ୍ତି।
ନଭେମ୍ବର ୧୨ ତାରିଖରେ ପଠାଯାଇଥିବା ଏହି ଚିଠିରେ କୁହାଯାଇଛି ଯେ, କୌଣସି ଯୋଗ୍ୟ ହିତାଧିକାରୀଙ୍କୁ କେବଳ ଭୋଟର୍ ID ନଥିବା, ଭୋଟର୍ ତାଲିକାରେ ନାମ ନଥିବା କିମ୍ବା ବାୟୋମେଟ୍ରିକ୍ ଯାଞ୍ଚ ବିଫଳ ହେବା କାରଣରୁ ସରକାରୀ ସୁବିଧାରୁ ବଞ୍ଚିତ କରାଯିବା ଉଚିତ୍ ନୁହେଁ।
କେଉଁ ପ୍ରସଙ୍ଗକୁ ନେଇ ଉଠିଲା ବିବାଦ?
ଗତ ଅକ୍ଟୋବର ୩୦ରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ (ଲଲନ ସିଂହ) ଏକ ଜାତୀୟ କର୍ମଶାଳାରେ କହିଥିଲେ ଯେ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ କରିବାରେ ଆଧାର କାର୍ଡ ବଦଳରେ ବାୟୋମେଟ୍ରିକ୍ ତଥ୍ୟ ଓ ଭୋଟର୍ IDର EPIC ନମ୍ବର ବ୍ୟବହାର କରାଯିବ। ଏହି ମନ୍ତବ୍ୟ ପରେ ଯୋଜନାର ଲାଭ ପାଇବା ପାଇଁ ଭୋଟର୍ ତାଲିକାରେ ନାମ ରହିବା ଏକ ସର୍ତ୍ତ ହୋଇଯିବ କି ନାହିଁ, ତାହାକୁ ନେଇ ଚିନ୍ତା ପ୍ରକାଶ ପାଇଥିଲା।
ଏହି ପ୍ରସ୍ତାବ ଲାଗୁ ହେଲେ ଭୋଟର୍ ତାଲିକାରୁ ନାମ ବାଦ୍ ପଡ଼ିଥିବା ଲୋକ, ବୟସ୍କ, ମହିଳା, ଦିବ୍ୟାଙ୍ଗ, ପ୍ରବାସୀ ଶ୍ରମିକ ଓ ଗରିବ ପରିବାର ଅସୁବିଧାରେ ପଡ଼ିପାରନ୍ତି ବୋଲି ଫୋରମ୍ ଆଶଙ୍କା କରିଛି। ବାୟୋମେଟ୍ରିକ୍ ମେସିନ୍ରେ ଆଙ୍ଗୁଠି ଛାପ କିମ୍ବା ଆଖିର ସ୍କାନ୍ ଠିକ୍ ଭାବେ ନଆସିଲେ ମଧ୍ୟ ଯୋଗ୍ୟ ଲୋକଙ୍କୁ ସୁବିଧା ମିଳିବାରେ ବାଧା ସୃଷ୍ଟି ହୋଇପାରେ।
ବିକଳ୍ପ ପରିଚୟ ବ୍ୟବସ୍ଥା ଦାବି
ଫୋରମ୍ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି ଯେ ଯୋଜନାର ଲାଭ ପାଇବାର ଯୋଗ୍ୟତାକୁ ପରିଚୟପତ୍ର କିମ୍ବା ଭୋଟର୍ ତାଲିକାରେ ନାମ ଥିବା ସହ ଯୋଡ଼ା ନଯାଉ। ଭୋଟର୍ ID ନଥିବା କିମ୍ବା ବାୟୋମେଟ୍ରିକ୍ ଯାଞ୍ଚରେ ସମସ୍ୟା ହେଲେ ଅନ୍ୟ ପରିଚୟ ପ୍ରମାଣ ଗ୍ରହଣ କରିବାର ବ୍ୟବସ୍ଥା ରହୁ। ଏଥିସହ ଅଭିଯୋଗ ଶୁଣାଣି ଓ ସମସ୍ୟାର ସମାଧାନ ପାଇଁ ସହଜ ବ୍ୟବସ୍ଥା କରିବାକୁ ମଧ୍ୟ ଦାବି ହୋଇଛି।
ଅନ୍ୟପକ୍ଷରେ, ମନ୍ତ୍ରୀ ଲଲନ ସିଂହ ପରବର୍ତ୍ତୀ ସମୟରେ ସ୍ପଷ୍ଟ କରିଥିଲେ ଯେ ପ୍ରସ୍ତାବିତ ବ୍ୟବସ୍ଥାରେ ଭୋଟର୍ ID ସହ ଆଧାର ଆଧାରିତ ବାୟୋମେଟ୍ରିକ୍ ଯାଞ୍ଚ ମଧ୍ୟ ବ୍ୟବହାର ହେବ। ଏହା ପ୍ରଧାନମନ୍ତ୍ରୀ ବିକଶିତ ଗ୍ରାମ ସ୍ୱରାଜ ଯୋଜନାରେ ପଞ୍ଚାୟତ ପ୍ରତିନିଧି ଓ ପ୍ରଶିକ୍ଷଣାର୍ଥୀଙ୍କ ପରିଚୟ ଯାଞ୍ଚ ସହ ଜଡ଼ିତ ବୋଲି ସେ କହିଥିଲେ।
ତେବେ ଏହି ପରିବର୍ତ୍ତନ କେଉଁ କେଉଁ ଯୋଜନାରେ ଲାଗୁ ହେବ, ତାହା ସ୍ପଷ୍ଟ କରୁଥିବା କୌଣସି ସରକାରୀ ନିର୍ଦ୍ଦେଶ କିମ୍ବା ବିଜ୍ଞପ୍ତି ଏଯାଏଁ ଜାରି ହୋଇନାହିଁ। ଏହି ପରିସ୍ଥିତିରେ ଯୋଗ୍ୟ ହିତାଧିକାରୀଙ୍କ ଅଧିକାର ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ସ୍ପଷ୍ଟ ନିୟମ ଓ ବିକଳ୍ପ ପରିଚୟ ବ୍ୟବସ୍ଥା ରଖିବାକୁ ଫୋରମ୍ ଦାବି କରିଛି।




