ଭୁବନେଶ୍ୱର: ରାଜ୍ୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଏବଂ ଅଶୋକ ତ୍ରିପାଠୀ କମିଟିର ସୁପାରିସ ଉପରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଭିନ୍ନ ବର୍ଗର ଶିକ୍ଷକଙ୍କ ଦୀର୍ଘଦିନର ଦାବିଗୁଡ଼ିକର ସମାଧାନ ପାଇଁ ସରକାର ରିପୋର୍ଟର ସୁପାରିସଗୁଡ଼ିକୁ ଅନୁଧ୍ୟାନ କରିବେ ବୋଲି ପୂର୍ବରୁ କହିଥିଲେ। ଏହି ପ୍ରକ୍ରିୟାରେ ଶିକ୍ଷା ବିଭାଗର ଅଧିକାରୀ ଓ ସମ୍ପୃକ୍ତ ମନ୍ତ୍ରୀମାନେ ମଧ୍ୟ ସାମିଲ ହୋଇଛନ୍ତି।

୧୦୪ଟି ଶିକ୍ଷକ ସଂଘ ରଖିଥିଲେ ଦାବି

ଅବସରପ୍ରାପ୍ତ IAS ଅଧିକାରୀ ଅଶୋକ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ସେବା ସମ୍ବନ୍ଧୀୟ ସମସ୍ୟା ଓ ଦାବିଗୁଡ଼ିକର ସମୀକ୍ଷା କରିଥିଲା। ଏଥିରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍ତରର ଶିକ୍ଷକଙ୍କ ସମସ୍ୟା ସହ ଅନୁଦାନପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କ ଦାବିକୁ ମଧ୍ୟ ବିଚାରକୁ ନିଆଯାଇଥିଲା।

କମିଟି ନିକଟରେ ୧୦୪ଟି ଶିକ୍ଷକ ସଂଘର ପ୍ରତିନିଧିମାନେ ନିଜ ନିଜ ଦାବି ଓ ସମସ୍ୟା ଉପସ୍ଥାପନ କରିଥିଲେ। ବିଭିନ୍ନ ପ୍ରସଙ୍ଗରେ କମିଟି ୯୦ଟି ବୈଠକ କରିବା ସହ ସରକାରଙ୍କୁ ୭୯ଟି ରିପୋର୍ଟ ଦାଖଲ କରିଥିଲା। ପରେ ସମସ୍ତ ତଥ୍ୟ ଓ ଦାବିକୁ ଆଧାର କରି ଚୂଡ଼ାନ୍ତ ସୁପାରିସ ପ୍ରସ୍ତୁତ କରାଯାଇଥିଲା।

କେବେ ଗଠନ ହୋଇଥିଲା କମିଟି?

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୨୦୨୫ ଡିସେମ୍ବର ୬ ତାରିଖରେ ଏହି ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲା। ପରେ ୨୦୨୬ ଫେବ୍ରୁଆରି ୩ ତାରିଖରେ ଏହାର ପୁନର୍ଗଠନ କରାଯାଇଥିଲା। ପୂର୍ବତନ ପ୍ରଶାସକ ସୁଦର୍ଶନ ନାୟକ ସହ-ଅଧ୍ୟକ୍ଷ ଥିବାବେଳେ ଶାନ୍ତନୁ କୁମାର ସାହୁ ଓ ମନୋରଞ୍ଜନ ମିଶ୍ର ସଦସ୍ୟ ଏବଂ ସନାତନ ପଣ୍ଡା ସଦସ୍ୟ-ଆବାହକ ଭାବେ କାର୍ଯ୍ୟ କରିଥିଲେ।

ସେପ୍ଟେମ୍ବର ୨୧ ତାରିଖରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ କମିଟି ଏହାର ରିପୋର୍ଟ ପ୍ରଦାନ କରିଥିଲା। ରିପୋର୍ଟର ସୁପାରିସଗୁଡ଼ିକୁ ଯାଞ୍ଚ କରିବା ପରେ ସରକାର ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ତେବେ ଶିକ୍ଷକଙ୍କ ବିଭିନ୍ନ ଦାବି ଉପରେ ସରକାରଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ଓ ସୁପାରିସ କାର୍ଯ୍ୟକାରୀ ହେବାର ସମୟସୀମା ସମ୍ପର୍କରେ ଆଧିକାରିକ ଘୋଷଣାକୁ ଅପେକ୍ଷା ରହିଛି।