ୱାଶିଂଟନ୍: ଆମେରିକାରେ ଶୁକ୍ରବାର ଦିନ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ବ୍ୟବସ୍ଥାରେ ବଡ଼ ଧରଣର ଯାନ୍ତ୍ରିକ ତ୍ରୁଟି ଦେଖାଦେବା ଫଳରେ ସମଗ୍ର ଦେଶରେ ବିମାନ ଚଳାଚଳ ସାମୟିକ ଭାବେ ଠପ୍ ହୋଇଯାଇଥିଲା। ପୁରୁଣା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ଉପକରଣଗୁଡ଼ିକ ଅତ୍ୟଧିକ ଡାଟା ଚାପ ସହ୍ୟ କରିନପାରିବାରୁ ଏହି ସଙ୍କଟ ସୃଷ୍ଟି ହୋଇଥିବା ପ୍ରାଥମିକ ଭାବେ ଜଣାପଡ଼ିଛି। ତେବେ ଏହି ଘଟଣା ପଛର ପ୍ରକୃତ କାରଣ ଖୋଜିବା ପାଇଁ ଆମେରିକୀୟ ଅଧିକାରୀମାନେ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରିଛନ୍ତି।

ଆମେରିକାର ପରିବହନ ସଚିବ ସିନ୍ ଡଫି ସୂଚନା ଦେଇ କହିଛନ୍ତି ଯେ ସ୍ଥାନୀୟ ସମୟ ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟା ୩୬ ମିନିଟ୍ ସମୟରେ ବିଭିନ୍ନ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସେଣ୍ଟର ଏବଂ ଟର୍ମିନାଲ୍ ରାଡାର କେନ୍ଦ୍ରଗୁଡ଼ିକରେ ଯୋଗାଯୋଗ ଏବଂ ରାଡାର ଡାଟା ଅସ୍ଥିର ହୋଇପଡ଼ିଥିଲା। ସେହି ସମୟରେ ଆକାଶମାର୍ଗରେ ୩,୫୦୦ ରୁ ଅଧିକ ବିମାନ ଉଡ଼ାଣ ଭରୁଥିଲେ। ଯଦିଓ ରାଡାର ଏବଂ ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇନଥିଲା, ତଥାପି ସୁରକ୍ଷା ଦୃଷ୍ଟିରୁ ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) ପକ୍ଷରୁ ଦେଶବ୍ୟାପୀ ବିମାନ ଉଡ଼ାଣ ଉପରେ ରୋକ୍ ଲଗାଯାଇଥିଲା। ତେବେ ଜରୁରୀକାଳୀନ ଚିକିତ୍ସା ଏବଂ ଆଇନ ଶୃଙ୍ଖଳା ସମ୍ବନ୍ଧୀୟ ବିମାନଗୁଡ଼ିକୁ ଉଡ଼ାଣ ପାଇଁ ଅନୁମତି ଦିଆଯାଇଥିଲା। ପାଇଲଟ୍ ଏବଂ ନିୟନ୍ତ୍ରକମାନେ ନିର୍ଦ୍ଧାରିତ ନିୟମ ପାଳନ କରି ସମସ୍ତ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରାଇଥିଲେ।

ହ୍ୱାଇଟ୍ ହାଉସ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ହୋମଲ୍ୟାଣ୍ଡ ସିକ୍ୟୁରିଟି ସଚିବ ମାର୍କୱେନ୍ ମୁଲିନ୍ କହିଛନ୍ତି ଯେ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଏପର୍ଯ୍ୟନ୍ତ କୌଣସି ସାଇବର ଆକ୍ରମଣ କିମ୍ବା ସିଷ୍ଟମ୍ ହ୍ୟାକିଂର ପ୍ରମାଣ ମିଳିନାହିଁ। ତଥାପି ତଦନ୍ତ ଜାରି ରହିଛି ଏବଂ କୌଣସି ଦିଗକୁ ଅଣଦେଖା କରାଯାଉ ନାହିଁ। ଏହାସହ ଏହି ବିଭ୍ରାଟର କୌଣସି ମାଇକ୍ରୋସଫ୍ଟ ଆଉଟେଜ୍ ସହ ସମ୍ପର୍କ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ପରିବହନ ସଚିବ ଡଫିଙ୍କ କହିବା ଅନୁଯାୟୀ, ପୁରୁଣା ଆନାଲଗ୍ ସିଷ୍ଟମ୍‌ରେ ଅତ୍ୟଧିକ ଡାଟା ଲୋଡ୍ ହେବାରୁ ଏହି ସମସ୍ୟା ଉପୁଜିଥିଲା, ଯେତେବେଳେ କି ଆଧୁନିକ ଡିଜିଟାଲ୍ ଉପକରଣଗୁଡ଼ିକରେ କୌଣସି ତ୍ରୁଟି ଦେଖାଦେଇ ନଥିଲା। ନେଟୱାର୍କ ଉପରୁ ଚାପ ହ୍ରାସ କରାଯିବା ପରେ ଶୁକ୍ରବାର ସନ୍ଧ୍ୟାରେ FAA ପକ୍ଷରୁ ବିମାନ ଚଳାଚଳ କଟକଣା ପ୍ରତ୍ୟାହାର କରାଯାଇଛି। ତେବେ ଶହ ଶହ ବିମାନ ବିଳମ୍ବିତ ଓ ବାତିଲ୍ ହୋଇଥିବାରୁ ଏବଂ ପାଇଲଟ୍ ଓ କ୍ରୁ ସଦସ୍ୟଙ୍କ ଉପଲବ୍ଧତା ଉପରେ ନିର୍ଭର କରୁଥିବାରୁ ବିମାନ ସେବା ସମ୍ପୂର୍ଣ୍ଣ ସ୍ୱାଭାବିକ ହେବାକୁ କିଛି ସମୟ ଲାଗିବ ବୋଲି ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।