ନୂଆଦିଲ୍ଲୀ: ବେଆଇନ ଅନ୍‌ଲାଇନ୍ ବେଟିଂ ପ୍ଲାଟଫର୍ମ ‘ମହାଦେବ ଅନ୍‌ଲାଇନ୍ ବୁକ୍ ଆପ୍’ (Mahadev Online Book App) ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ପକ୍ଷରୁ ଦେଶବ୍ୟାପୀ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ବେଟିଂ ଆପ୍‌ର ପ୍ୟାନେଲ୍ ଅପରେଟରମାନଙ୍କ ସହ ଜଡ଼ିତ ୬ଟି ରାଜ୍ୟର ମୋଟ ୩୩ଟି ସ୍ଥାନରେ ସିବିଆଇ ପକ୍ଷରୁ ଏକକାଳୀନ ଚଢ଼ାଉ ଓ ତଲାସୀ ଅଭିଯାନ ଚଳାଯାଇଛି ବୋଲି ଶନିବାର ଦିନ ଅଧିକାରୀମାନେ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଅମୃତସର, ଦିଲ୍ଲୀ, ନାଗୌର, ଧୋଲପୁର, ଭୋପାଳ, ରାୟପୁର, ଦୁର୍ଗ, ଇନ୍ଦୋର, ଅହମ୍ମଦାବାଦ, ଭଦୋଦରା, ସୁରଟ, ମୁମ୍ବାଇ ଏବଂ ନାଗପୁର ସମେତ ମୋଟ ୩୩ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଅନ୍ୟତମ ପ୍ରମୁଖ ପ୍ରମୋଟର ସୌରଭ ଚନ୍ଦ୍ରାକରଙ୍କୁ ଓମାନରୁ ପ୍ରତ୍ୟର୍ପଣ କରାଯିବା ପରେ ଜେରା ସମୟରେ ସେ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଧାରରେ ଗତ କିଛି ଦିନ ଧରି ଏହି ତଲାସୀ ଅଭିଯାନ ଚାଲିଥିଲା।

ସିବିଆଇ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତି ଅନୁଯାୟୀ, ଚଢ଼ାଉ ସମୟରେ ଅନେକ ସ୍ଥାନରେ ଲାଇଭ୍ ବେଟିଂ ଏବଂ ଜୁଆ ଖେଳ ପ୍ୟାନେଲ୍ ଚାଲୁଥିବା ଦେଖିବାକୁ ମିଳିଥିଲା, ଯାହାକୁ ତୁରନ୍ତ ବନ୍ଦ କରିଦିଆଯାଇଛି। ଘଟଣାସ୍ଥଳରୁ ବହୁ ଡିଜିଟାଲ୍ ଉପକରଣ, ମୋବାଇଲ୍ ଫୋନ୍ ଏବଂ ମ୍ୟୁଲ୍ ଆକାଉଣ୍ଟ ଓ ହାୱାଲା ନେଟୱାର୍କର ବ୍ୟବହାର ଦର୍ଶାଉଥିବା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି।

ଗତ ନଭେମ୍ବର ୧ ତାରିଖରେ ସୌରଭ ଚନ୍ଦ୍ରାକରଙ୍କୁ ଓମାନରୁ ପ୍ରତ୍ୟର୍ପଣ କରାଯିବା ପରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ରାୟପୁରସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ୮ ଦିନିଆ ପୋଲିସ ରିମାଣ୍ଡରେ ପଠାଇଥିଲେ। ଜେରା ସମୟରେ ଭାରତରେ ସକ୍ରିୟ ଥିବା ପ୍ୟାନେଲ୍ ଅପରେଟରଙ୍କ ବିଶାଳ ନେଟୱାର୍କ ସମ୍ପର୍କରେ ଅନେକ ଗୁମର ଖୋଲିଥିଲା। ରିମାଣ୍ଡ ଅବଧି ଶେଷ ହେବା ପରେ ନଭେମ୍ବର ୧୨ ତାରିଖରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ଏବଂ କୋର୍ଟ ତାଙ୍କୁ ନଭେମ୍ବର ୧୯ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତ କୁ ପଠାଇ ଦେଇଛନ୍ତି।

ଛତିଶଗଡ଼ ସରକାର ଏହି ମାମଲାର ତଦନ୍ତ ଭାର ହସ୍ତାନ୍ତର କରିବା ପରେ ସିବିଆଇ ଦୁଇଟି ଏଫଆଇଆର୍ ରୁଜୁ କରିଛି। ତଦନ୍ତରୁ ଜଣାପଡ଼ିଛି ଯେ ବିଦେଶରେ ଥିବା ଏକ ମୁଖ୍ୟ କାର୍ଯ୍ୟାଳୟରୁ ଏହି ପ୍ଲାଟଫର୍ମ ପରିଚାଳିତ ହେଉଥିବା ବେଳେ ଭାରତରେ ପ୍ୟାନେଲ୍ ଅପରେଟରମାନେ ଅନ୍ୟ ଲୋକଙ୍କ ନାଁରେ ଭଡ଼ାରେ ନିଆଯାଇଥିବା ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟଙ୍କା ସଂଗ୍ରହ କରି ହାୱାଲା ଜରିଆରେ ବିଦେଶକୁ ପଠାଉଥିଲେ। ଅନ୍‌ଲାଇନ୍ ବେଟିଂ ବେଆଇନ ହୋଇଥିବାରୁ ନିଜର ବ୍ୟାଙ୍କ ଆକାଉଣ୍ଟ, ସିମ୍ କାର୍ଡ କିମ୍ବା ପରିଚୟପତ୍ର କାହାକୁ ଭଡ଼ାରେ ନଦେବାକୁ ସିବିଆଇ ପକ୍ଷରୁ ସାଧାରଣ ଲୋକଙ୍କୁ ସତର୍କ କରାଇ ଦିଆଯାଇଛି।