କଟକ: କଟକର ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା-୨୦୨୬କୁ ଅତି ଭବ୍ଯ ଏବଂ ଆକର୍ଷଣୀୟ କରିବା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷର ବାଲିଯାତ୍ରା ପାଇଁ ମୋଟ ୧୭ କୋଟି ଟଙ୍କାର ବଜେଟ୍ ଧାର୍ଯ୍ୟ କରାଯାଇଛି। ଏଥିମଧ୍ୟରୁ ରାଜ୍ୟ ସରକାର ୧୦ କୋଟି ଟଙ୍କା ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବାକି ଅର୍ଥ ବହନ କରାଯିବ ବୋଲି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଚଳିତ ବର୍ଷର ବାଲିଯାତ୍ରା ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଐତିହାସିକ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଭେମ୍ବର ୨୪ ତାରିଖରେ ଏହାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା, ବିଭିନ୍ନ ଦେଶର ବିଦେଶୀ ଅତିଥିମାନଙ୍କୁ ମଧ୍ୟ ଏହି ବାର୍ଷିକ ଉତ୍ସବକୁ ନିମନ୍ତ୍ରଣ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ନିରାପତ୍ତା ବ୍ୟବସ୍ଥା ଏବଂ କିଛି କଟକଣା ଲାଗୁ କରାଯାଇଛି।
ରାଷ୍ଟ୍ରପତି ସିଲଭର ସିଟି ବୋଟ୍ କ୍ଲବ୍ରୁ ବୋଟ୍ ଯାତ୍ରା କରି ମେଳା ପଡ଼ିଆରେ ପହଞ୍ଚିବେ। ସେ ପ୍ରଥମେ ‘କଟକ ଇନ୍ କଟକ’ ର ଶୁଭାରମ୍ଭ କରିବେ ଏବଂ ପରେ ମୁଖ୍ୟ ମଞ୍ଚରୁ ବଳିଯାତ୍ରା-୨୦୨୬କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ।
ବାଲିଯାତ୍ରା ପଡ଼ିଆରେ ଚଳିତ ବର୍ଷ ୧,୮୦୦ରୁ ଅଧିକ ଷ୍ଟଲ୍ ବା ମଣ୍ଡପ ଆସିବାର ଆଶା କରାଯାଉଛି। ଏପର୍ଯ୍ୟନ୍ତ ପ୍ରାୟ ୧,୪୦୦ ପ୍ଲଟ୍ ଆବଣ୍ଟନ କାମ ସମ୍ପୂର୍ଣ୍ଣ ହୋଇସାରିଛି। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଜରୁରୀକାଳୀନ ବ୍ୟବସ୍ଥା ମଧ୍ୟ କରାଯାଇଛି।
ପରିବେଶ ଅନୁକୂଳ ଉତ୍ସବ ପାଳନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଶାସନ ପକ୍ଷରୁ ମେଳାରେ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍ କଟକଣା ଜାରି କରାଯାଇଛି। ବ୍ୟବସାୟୀମାନେ ମେଳାରେ ପ୍ଲାଷ୍ଟିକ୍ ବ୍ୟବହାର ନ କରିବାକୁ ପ୍ରତିଶ୍ରୁତିପତ୍ର ପ୍ରଦାନ କରିଛନ୍ତି। ଦର୍ଶକଙ୍କ ସହଜ ଯାତାୟାତ ପାଇଁ ୧୮ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ସହିତ ସ୍ୱତନ୍ତ୍ର ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି। ସିଏମସି କମିଶନର କିରଣ ଦୀପ କୌର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିଲେ।




