ଭୁବନେଶ୍ୱର: ଦେଶର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍ଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦାୟିତ୍ୱରେ ପ୍ରାୟ ୧୫୦ ଜଣ ବରିଷ୍ଠ ଓ କନିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ୪୫ ପ୍ଲାଟୁନ୍ ସୁରକ୍ଷା ବଳ ମୁତୟନ ହେବେ ବୋଲି ରବିବାର ଦିନ ଭୁବନେଶ୍ୱର ଡିସିପି ଶ୍ରବଣ ବିବେକ ଏମ୍ ସୂଚନା ଦେଇଛନ୍ତି।
ଡିସିପି ଶ୍ରବଣ ବିବେକ ଏମ୍ କହିଛନ୍ତି ଯେ ଉପରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳ ଏବଂ ସେ ଯାତାୟାତ କରିବାକୁ ଥିବା ପ୍ରତ୍ୟେକ ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆୟୋଜିତ ହେବାକୁ ଥିବା ବିଧାୟକମାନଙ୍କ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଏବଂ କଟକ ସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମ ପାଇଁ ଦୁଇଟି ସ୍ଥାନରେ ବିଶେଷ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଭିଆଇପି ଗସ୍ତର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି।
ପ୍ରସ୍ତୁତିର ଏକ ଅଂଶ ସ୍ୱରୂପ ରବିବାର ଦିନ ଭୁବନେଶ୍ୱର ରିଜର୍ଭ ପୋଲିସ ପଡ଼ିଆରେ ପୋଲିସ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସୁରକ୍ଷା ବ୍ରିଫିଂ ଏବଂ ମକ୍ ଡ୍ରିଲ୍ (ରିହର୍ସାଲ) ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଅଧିକାରୀମାନେ ସୁରକ୍ଷା ପ୍ରୋଟୋକଲ୍, ଫୋର୍ସ ମୁତୟନ ଏବଂ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରିବା ନେଇ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ ଜନତାଙ୍କ ଯାତାୟାତରେ ଯେପରି କୌଣସି ଅସୁବିଧା ନ ହୁଏ, ସେଥିପାଇଁ ଟ୍ରାଫିକ୍ ନିୟନ୍ତ୍ରଣ, ପାର୍କିଂ ପରିଚାଳନା, ଉପରାଷ୍ଟ୍ରପତିଙ୍କ କାରକେଡ୍ ରୁଟ୍ ଏବଂ ବିକଳ୍ପ ରାସ୍ତା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ସୂଚନା ଅନୁଯାୟୀ, ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍ ସୋମବାର ସକାଳ ୯ଟା ୧୫ ମିନିଟ୍ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସେ ଓଡ଼ିଶା ବିଧାନସଭାର ବିଧାୟକମାନଙ୍କ ପାଇଁ ଆୟୋଜିତ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ। ପରବର୍ତ୍ତୀ ସମୟରେ ସେ କଟକ ସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟକୁ ଯାଇ ସେଠାରେ ନିର୍ମିତ ଆଇକନିକ୍ ଟାୱାରକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ପୋଲିସ ଜାରି କରିଥିବା ଟ୍ରାଫିକ୍ ଆଡଭାଇଜରି ମାନିବାକୁ ଏବଂ ପ୍ରଶାସନକୁ ସହଯୋଗ କରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି।




