ଖୋର୍ଦ୍ଧା: ୧୬ ନଂ ଜାତୀୟ ରାଜପଥରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଛି ମକା ବୋଝେଇ ପିକଅପ୍ ଭ୍ୟାନ୍। ଏହି ଦୁର୍ଘଟଣାରେ ପିକଅପ୍ ଚାଳକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ତୋଟାପଡ଼ା କେତକୀଝର ଗେଟ୍ ନିକଟରେ ରବିବାର ଏହି ଦୁର୍ଘଟଣା ଘଟିଛି।

ଟ୍ରକ୍‌କୁ ପଛରୁ ଧକ୍କା ଦେଲା ପିକଅପ୍

ସୂଚନା ଅନୁସାରେ, ମକା ବୋଝେଇ ପିକଅପ୍ ଭ୍ୟାନ୍‌ଟି ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ତୋଟାପଡ଼ା କେତକୀଝର ଗେଟ୍ ନିକଟରେ ଜାତୀୟ ରାଜପଥ କଡ଼ରେ ଠିଆ ହୋଇଥିବା ଆନ୍ଧ୍ରପ୍ରଦେଶର ଏକ ଟ୍ରକ୍‌କୁ ପିକଅପ୍‌ଟି ପଛପଟୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ପିକଅପ୍‌ର କ୍ୟାବିନ୍‌ ଭିତରେ ଚାଳକ ଚାପି ହୋଇ ରହିଯାଇଥିଲେ।

ପୁଲିସ ଓ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସଦର ଥାନା ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାରକାରୀ ଦଳ ପିକଅପ୍ ଭ୍ୟାନ୍‌ ଭିତରୁ ଚାଳକଙ୍କ ମୃତଦେହ ବାହାର କରିଥିଲେ।

ଅନ୍ୟପକ୍ଷରେ, ମୃତ ଚାଳକଙ୍କ ପରିଚୟ ଜାଣିବା ସହ ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।