ଭୁବନେଶ୍ୱର: ଦେଶର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସୂଚୀ ଅନୁଯାୟୀ, ଉପରାଷ୍ଟ୍ରପତି ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ଲୋକ ଭବନ ଅଭିମୁଖେ ଯାତ୍ରା କରିବେ। ଏହାପରେ ଭୁବନେଶ୍ୱର ସ୍ଥିତ ମେ’ଫେୟାର ସାଙ୍କଚୁଆରୀ କନଭେନସନ୍ ହଲ୍‌ରେ ବିଧାୟକମାନଙ୍କ ପାଇଁ ଆୟୋଜିତ ‘ଓରିଏଣ୍ଟେସନ୍-କମ୍-ଟ୍ରେନିଂ’ (ଅଭିମୁଖୀକରଣ ତଥା ପ୍ରଶିକ୍ଷଣ) କାର୍ଯ୍ୟକ୍ରମକୁ ସେ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ।

ଭୁବନେଶ୍ୱର କାର୍ଯ୍ୟକ୍ରମ ଶେଷ କରିବା ପରେ ଉପରାଷ୍ଟ୍ରପତି ଅପରାହ୍ନରେ କଟକ ଗସ୍ତ କରିବେ। ସେଠାରେ ସେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ନିର୍ମିତ ‘ଆଇକନିକ୍ ଟାୱାର’କୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସମସ୍ତ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଶେଷ କରି ସେ ଅପରାହ୍ନରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଉପରାଷ୍ଟ୍ରପତିଙ୍କ ଏହି ହାଇ-ପ୍ରୋଫାଇଲ୍ ଗସ୍ତକୁ ସଫଳ କରିବା ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିବା ବେଳେ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି।

ଅନ୍ୟପକ୍ଷରେ, ଓଡ଼ିଶା ବିଧାନସଭା ପକ୍ଷରୁ ଆୟୋଜିତ ଏହି ବିଧାୟକ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ରାଜନୀତିରେ ତୀବ୍ର ବିବାଦ ଦେଖାଦେଇଛି। ପିସିସି ସଭାପତି ଭକ୍ତ ଚରଣ ଦାସ ଦୁଇ ଦିନ ପୂର୍ବରୁ ଘୋଷଣା କରିଥିଲେ ଯେ କଂଗ୍ରେସ ବିଧାୟକମାନେ ଏହି କାର୍ଯ୍ୟକ୍ରମକୁ ବୟକଟ୍ କରିବେ। ଏବେ ମୁଖ୍ୟ ବିରୋଧୀ ଦଳ ବିଜେଡି ମଧ୍ୟ ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଯଦିଓ ବିଜେଡି ପକ୍ଷରୁ ଗଣମାଧ୍ୟମରେ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ, ତଥାପି ଦଳର ବିଧାୟକମାନଙ୍କୁ କାର୍ଯ୍ୟକ୍ରମରେ ଯୋଗ ନ ଦେବାକୁ କୁହାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ବିରୋଧୀ ଦଳର ବୟକଟ୍ ନିଷ୍ପତ୍ତି ଫଳରେ ଏହି ପ୍ରଶିକ୍ଷଣ ଶିବିରରେ କେବଳ ଶାସକ ବିଜେପି ବିଧାୟକମାନେ ହିଁ ସାମିଲ ହେବାର ସମ୍ଭାବନା ରହିଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି କାର୍ଯ୍ୟକ୍ରମର ଖବର ସଂଗ୍ରହ ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଭିତରକୁ ପ୍ରବେଶ ଅନୁମତି ଦିଆଯାଇନାହିଁ। ପ୍ରଶିକ୍ଷଣ ଶିବିରର ଉଦଘାଟନୀ ଅଧିବେଶନରେ ଉପରାଷ୍ଟ୍ରପତିଙ୍କ ସମେତ ଓଡ଼ିଶାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।