ଗଞ୍ଜାମ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜଳସ୍ତର ନିୟନ୍ତ୍ରଣ ଏବଂ ନଦୀବନ୍ଧର ସୁରକ୍ଷା ପାଇଁ ଗଞ୍ଜାମ ଜିଲ୍ଲାର ଦୁଇଟି ପ୍ରମୁଖ ଜଳଭଣ୍ଡାର ଘୋଡ଼ାହାଡ଼ ଏବଂ ବାଘଲଟି ଜଳଭଣ୍ଡାରର ଗୋଟିଏ ଲେଖାଏଁ ଗେଟ୍ ଖୋଲାଯାଇଛି।

ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର୍ (SOP) ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ପ୍ରଥମେ ସାଇରନ୍ ବଜାଇ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯିବା ପରେ ଜଳଭଣ୍ଡାରରୁ ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ ଘୋଡ଼ାହାଡ଼ ଜଳଭଣ୍ଡାରର ଗୋଟିଏ ଗେଟ୍‌କୁ ୦.୫୦ ମିଟର ପର୍ଯ୍ୟନ୍ତ ଖୋଲାଯାଇଛି। ଏହାଦ୍ୱାରା ପ୍ରତି ସେକେଣ୍ଡରେ ୩୪.୭୭ କ୍ୟୁବିକ୍ ମିଟର ଜଳ ନିଷ୍କାସିତ ହେଉଛି। ଗେଟ୍ ଖୋଲାଯିବା ସମୟରେ ଘୋଡ଼ାହାଡ଼ ଜଳଭଣ୍ଡାରର ଜଳସ୍ତର ୧୧୬.୮୬ ମିଟର ରହିଥିଲା। ଏହି ଜଳଭଣ୍ଡାରର ମୋଟ ଜଳ ଧାରଣ କ୍ଷମତା ୨,୭୭୩.୯୬ ହେକ୍ଟର-ମିଟର ହୋଇଥିବା ବେଳେ ଗେଟ୍ ଖୋଲିବା ବେଳକୁ ଏଥିରେ ମୋଟ କ୍ଷମତାର ୯୦.୮୮ ପ୍ରତିଶତ ଜଳ ଗଚ୍ଛିତ ରହିଥିଲା।

ସେହିପରି, ରାତି ପ୍ରାୟ ୧୨ଟା ୦୫ ମିନିଟ୍ ସମୟରେ ବାଘଲଟି ଜଳଭଣ୍ଡାରର ଗୋଟିଏ ସ୍ଲୁଇସ୍ ଗେଟ୍ କୁ ୦.୬୦ ମିଟର ପର୍ଯ୍ୟନ୍ତ ଖୋଲାଯାଇଛି। ଏଥିରୁ ପ୍ରତି ସେକେଣ୍ଡରେ ୩୦.୭୨ କ୍ୟୁବିକ୍ ମିଟର ଜଳ ନିଷ୍କାସିତ ହେଉଛି।

ଜିଲ୍ଲା ପ୍ରଶାସନ ଏବଂ ଜଳସମ୍ପଦ ବିଭାଗର ଅଧିକାରୀମାନେ ଉଭୟ ଜଳଭଣ୍ଡାରର ଜଳସ୍ତର, ଜଳ ପ୍ରବେଶ, ଜଳ ନିଷ୍କାସନ ଏବଂ ତଳମୁଣ୍ଡର ଜଳ ପ୍ରବାହ ସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି। ନଦୀବନ୍ଧର ସୁରକ୍ଷା ଏବଂ ନିରାପଦ ଜଳ ପରିଚାଳନା ପାଇଁ ଏସଓପି ଅନୁସାରେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଅନ୍ୟପକ୍ଷରେ, ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି ସନ୍ଧ୍ୟା ସୁଦ୍ଧା ଘନୀଭୂତ ହୋଇ ଏକ ସାମୁଦ୍ରିକ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଆଜି ସକାଳେ ଏହି ପାଣିପାଗ ପ୍ରଣାଳୀ ୧୦.୬° ଉତ୍ତର ଅକ୍ଷାଂଶ ଏବଂ ୮୬.୭° ପୂର୍ବ ଦ୍ରାଘିମା ନିକଟରେ କେନ୍ଦ୍ରୀଭୂତ ହୋଇଛି, ଯାହା ଓଡ଼ିଶାର ଗୋପାଳପୁରଠାରୁ ପ୍ରାୟ ୯୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ, ଚେନ୍ନାଇଠାରୁ ୭୬୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବ ଏବଂ ବିଶାଖାପାଟଣାଠାରୁ ୮୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ରହିଛି।