ଭୁବନେଶ୍ୱର: ଓଡ଼ିଶାର ଅନୁଗୁଳଠାରେ ୧,୦୮୦ ମେଗାୱାଟ୍ ବିଶିଷ୍ଟ କ୍ୟାପ୍ଟିଭ୍ ଥର୍ମାଲ୍ ପାୱାର ପ୍ରକଳ୍ପ ପାଇଁ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ ଏବଂ ଏନଏଲସି ଇଣ୍ଡିଆ ଲିମିଟେଡ୍ ମଧ୍ୟରେ ହେବାକୁ ଥିବା ପ୍ରସ୍ତାବିତ ୫୦:୫୦ ମିଳିତ ଉଦ୍ୟୋଗ ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ତଥା କୋଇଲା, ଖଣି ଓ ଇସ୍ପାତ ସଂସଦୀୟ ସ୍ଥାୟୀ କମିଟିର ସଦସ୍ୟ ଡକ୍ଟର ସସ୍ମିତ ପାତ୍ର। ଏହି ପ୍ରସଙ୍ଗରେ ସେ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବ୍ରିଜେନ୍ଦ୍ର ପ୍ରତାପ ସିଂହଙ୍କୁ ଏକ ଚିଠି ଲେଖି ବିସ୍ତୃତ ସ୍ପଷ୍ଟୀକରଣ ମାଗିଛନ୍ତି।
ନଭେମ୍ବର ୧୬ ତାରିଖରେ ଲେଖିଥିବା ଏହି ପତ୍ରରେ ଡକ୍ଟର ପାତ୍ର ପ୍ରସ୍ତାବିତ ଚୁକ୍ତିର ବ୍ୟବସାୟିକ ଯଥାର୍ଥତା ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ନାଲକୋ ନିକଟରେ ପୂର୍ବରୁ ୧,୨୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ, ସୁଦୃଢ଼ ଭିତ୍ତିଭୂମି ଏବଂ କୋଇଲା ଲିଙ୍କେଜ୍ ରହିଛି। ଏହା ବ୍ୟତୀତ ୨୦୨୫-୨୬ ଆର୍ଥିକ ବର୍ଷରେ ନାଲକୋ ନିଜର ଉତ୍କଳ-ଡି ଏବଂ ଉତ୍କଳ-ଇ ଖଣିରୁ ୪ ନିୟୁତ ଟନ୍ କୋଇଲା ଉତ୍ପାଦନ କରିଛି ଏବଂ କମ୍ପାନୀର ଆର୍ଥିକ ସ୍ଥିତି ମଧ୍ୟ ବେଶ୍ ମଜବୁତ ରହିଛି। ଏଭଳି ସ୍ଥିତିରେ କେବଳ ନିଜସ୍ୱ ଆବଶ୍ୟକତା ପୂରଣ ପାଇଁ ଉଦ୍ଦିଷ୍ଟ ଏକ ନୂତନ ପାୱାର ପ୍ରକଳ୍ପକୁ ନିଜେ ନିର୍ମାଣ ଓ ପରିଚାଳନା କରିବା ପରିବର୍ତ୍ତେ ନାଲକୋ କାହିଁକି ୫୦ ପ୍ରତିଶତ ଅଂଶଧନ ଛାଡ଼ିବାକୁ ଯାଉଛି ବୋଲି ସାଂସଦ ମୌଳିକ ପ୍ରଶ୍ନ ଉଠାଇଛନ୍ତି।
ସଂସଦୀୟ ତଦାରଖ ଦାୟିତ୍ୱ ଅନ୍ତର୍ଗତ ଡକ୍ଟର ପାତ୍ର ନିମ୍ନଲିଖିତ ୬ଟି ବିଷୟରେ ତଥ୍ୟ ମାଗିଛନ୍ତି:
ସ୍ୱାଧୀନ କାର୍ଯ୍ୟାନ୍ୱୟନ: ନାଲକୋ ନିଜେ ଏହି ପ୍ରକଳ୍ପ କଲେ କିମ୍ବା ଯୌଥ ଉଦ୍ୟୋଗରେ କଲେ କେଉଁଥିରେ ଅଧିକ ଆର୍ଥିକ ଓ ପରିଚାଳନାଗତ ଲାଭ ମିଳିବ, ସେ ନେଇ କୌଣସି ତୁଳନାତ୍ମକ ବୈଷୟିକ-ଆର୍ଥିକ ମୂଲ୍ୟାଙ୍କନ କରାଯାଇଛି କି?
ଆର୍ଥିକ ଯଥାର୍ଥତା: ୧୨,୦୦୦ରୁ ୧୭,୦୦୦ କୋଟି ଟଙ୍କା ଅଟକଳ କରାଯାଇଥିବା ଏହି ପ୍ରକଳ୍ପର ପ୍ରକୃତ ଖର୍ଚ୍ଚ, ବିଦ୍ୟୁତ୍ ଶୁଳ୍କ, ନିବେଶ ଉପରେ ଲାଭ ଏବଂ ଉଭୟ ମଡେଲର ଦୀର୍ଘକାଳୀନ ଆର୍ଥିକ ଫାଇଦାର ବିବରଣୀ।
କୋଇଲା ସୁରକ୍ଷା: ନିଜର ଉତ୍କଳ-ଡି ଓ ଉତ୍କଳ-ଇ ଖଣି ଥାଇ ମଧ୍ୟ ଏନଏଲସିଆଇଏଲ୍ର ମାଛକାଟା ଖଣି ସହ ଦୀର୍ଘକାଳୀନ କୋଇଲା ଯୋଗାଣ ଚୁକ୍ତି କରିବାର କାରଣ କ’ଣ?
ମାଲିକାନା ଓ ସମ୍ପତ୍ତି: ସମାନ ମାଲିକାନା ପାଇଁ ଏନଏଲସିଆଇଏଲ୍ର ନିର୍ଦ୍ଦିଷ୍ଟ ଯୋଗଦାନ କ’ଣ ରହିବ ଏବଂ ନାଲକୋର ଜମି, ଜଳ, ରେଳ ସଂଯୋଗ ଓ ପାଉଁଶ ପରିଚାଳନା ଭିତ୍ତିଭୂମିର ମୂଲ୍ୟାଙ୍କନ କିପରି ହେବ?
ଦୀର୍ଘକାଳୀନ ଆର୍ଥିକ ଦାୟବଦ୍ଧତା: ମାତ୍ର ୫୦% ଅଂଶଧନ ରଖି ନାଲକୋ କାହିଁକି ୨୫ ବର୍ଷ ପର୍ଯ୍ୟନ୍ତ ପ୍ରକଳ୍ପର ୧୦୦% ବିଦ୍ୟୁତ୍ କିଣିବାକୁ ଚୁକ୍ତିବଦ୍ଧ ହେବ?
ପ୍ରକଳ୍ପ ସ୍ଥିତି: ୨୦୩୦-୩୧ ସୁଦ୍ଧା ନାଲକୋର ପ୍ରସ୍ତାବିତ ସ୍ମେଲଟର ସମ୍ପ୍ରସାରଣ ସହ ତାଳ ଦେଇ ଏହି ପ୍ରକଳ୍ପ ଠିକ୍ ସମୟରେ ଶେଷ କରିବା ପାଇଁ କି ପଦକ୍ଷେପ ନିଆଯାଇଛି?
ଓଡ଼ିଶାର ସ୍ୱାର୍ଥ ଏବଂ ନାଲକୋର ସମ୍ପତ୍ତିର ସୁରକ୍ଷା ଦୃଷ୍ଟିରୁ ବୋର୍ଡ ଦ୍ୱାରା ଅନୁମୋଦିତ ତଥ୍ୟ ଓ ଫିଜିବିଲିଟି ରିପୋର୍ଟ ସହ ତୁରନ୍ତ ବିନ୍ଦୁୱାରୀ ଲିଖିତ ଉତ୍ତର ଦେବାକୁ ଡକ୍ଟର ପାତ୍ର ଅନୁରୋଧ କରିଛନ୍ତି।




