ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ କ୍ରମଶଃ ଏକ ପ୍ରଚଣ୍ଡ ସାମୁଦ୍ରିକ ବାତ୍ୟାର ରୂପ ନେଉଥିବାରୁ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ବ୍ୟାପକ ସତର୍କତା ଜାରି କରାଯାଇଛି। ଆଗାମୀ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ କଡ଼ା ପରାମର୍ଶ ଦିଆଯାଇଛି।
ଆଇଏମଡିର ସର୍ବଶେଷ ଚେତାବନୀ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଗଭୀର ଅବପାତଟି ଘନୀଭୂତ ହୋଇ ଏକ ସାଂଘାତିକ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ ଏବଂ ଆଗାମୀ କିଛି ଦିନ ମଧ୍ୟରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ନଭେମ୍ବର ୧୬ ତାରିଖରୁ କେନ୍ଦ୍ରୀୟ ଏବଂ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୩୫ରୁ ୬୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
ନଭେମ୍ବର ୧୭ ତାରିଖ ବେଳକୁ ପବନର ବେଗ ବୃଦ୍ଧି ପାଇ ଘଣ୍ଟାପ୍ରତି ୬୦-୮୦ କିଲୋମିଟର ଏବଂ ସିଷ୍ଟମ୍ ଅଧିକ ଶକ୍ତିଶାଳୀ ହେବା ପରେ ପବନର ବେଗ ୯୦-୧୧୦ କିଲୋମିଟରରୁ ବୃଦ୍ଧି ପାଇ ୧୨୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ବିଶେଷ କରି ନଭେମ୍ବର ୧୮ ଏବଂ ୧୯ ତାରିଖରେ ଦକ୍ଷିଣ-ପଶ୍ଚିମ ଏବଂ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅତି ଭୟଙ୍କର ସାମୁଦ୍ରିକ ବାତ୍ୟାର ପରିସ୍ଥିତି ସୃଷ୍ଟି ହେବ। ଏହି ସମୟରେ ଘଣ୍ଟାପ୍ରତି ୧୨୦ରୁ ୧୬୫ କିଲୋମିଟର (ଝଟକା ପବନ ୧୮୫ କିଲୋମିଟର) ବେଗରେ ବିଧ୍ୱଂସୀ ବାତ୍ୟାଗ୍ରସ୍ତ ପବନ ବହିବାର ଆଶଙ୍କା ରହିଛି।
ଏହି ସମୟ ମଧ୍ୟରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତରୁ ଅତି ଅଶାନ୍ତ ରହିବ। ଯେଉଁ ମତ୍ସ୍ୟଜୀବୀମାନେ ବର୍ତ୍ତମାନ ସମୁଦ୍ର ଭିତରେ ଅଛନ୍ତି, ସେମାନଙ୍କୁ ତୁରନ୍ତ କୂଳକୁ ଫେରିଆସିବାକୁ କୁହାଯାଇଛି। ସେହିପରି ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗରର ଚିହ୍ନଟ ହୋଇଥିବା ବିପଦସଙ୍କୁଳ ଅଞ୍ଚଳକୁ ନଯିବା ପାଇଁ ପାଣିପାଗ ବିଭାଗ କଡ଼ା ନିର୍ଦ୍ଦେଶନାମା ଜାରି କରିଛି।




