ନୂଆଦିଲ୍ଲୀ: ପାକିସ୍ତାନ ସରକାର ଏବଂ ସେନା ବିରୋଧରେ ନିଜର ସଂଘର୍ଷକୁ ଆହୁରି ତୀବ୍ର କରିଥିବା ବାଲୁଚିସ୍ତାନ ଲିବରେସନ୍ ଆର୍ମି (BLA) ଏବେ ନିଜର ସାମରିକ ରଣନୀତି ଏବଂ ସାଂଗଠନିକ ଢାଞ୍ଚାରେ ବଡ଼ ଧରଣର ପରିବର୍ତ୍ତନ ଆଣିଛି। ପାକିସ୍ତାନୀ ସୁରକ୍ଷା ବାହିନୀକୁ ବ୍ୟାପକ କ୍ଷତି ପହଞ୍ଚାଉଥିବା ଏହି ସଂଗଠନ ଏବେ ନିଜର ନୂତନ କମାଣ୍ଡର ମୁଖ୍ୟ ଭାବେ ପାକିସ୍ତାନ ସେନାର ଜଣେ ପୂର୍ବତନ କ୍ୟାପଟେନ୍ ରେହମାନ ଗୁଲଙ୍କୁ ନିଯୁକ୍ତ କରିଛି, ଯାହା ଇସଲାମାବାଦର ଶୀର୍ଷ ସାମରିକ ମହଲରେ ହଇଚଇ ସୃଷ୍ଟି କରିଛି।
‘ମୁରିଦ ବାଲୋଚ’ ଏବଂ ‘ଉସ୍ତାଦ ପୁରିଦ’ ନାମରେ ମଧ୍ୟ ପରିଚିତ ରେହମାନ ଗୁଲ୍ ନୋଶକି ଅଞ୍ଚଳର ବାସିନ୍ଦା। ସେ ପୂର୍ବରୁ ପାକିସ୍ତାନ ସେନାର ୧୯ତମ ଫ୍ରଣ୍ଟିୟର ଫୋର୍ସ ରେଜିମେଣ୍ଟରେ ଜଣେ କମିଶନଡ୍ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ବାଲୁଚିସ୍ତାନ ପ୍ରସଙ୍ଗରେ ପାକିସ୍ତାନ ସେନାର ଦମନମୂଳକ ନୀତିରେ ଅସନ୍ତୁଷ୍ଟ ହୋଇ ସେ ସେନା ଛାଡ଼ି BLA ରେ ଯୋଗ ଦେଇଥିଲେ। ଯୁଦ୍ଧକ୍ଷେତ୍ରର ପ୍ରତ୍ୟକ୍ଷ ଅଭିଜ୍ଞତା ଏବଂ ପାକିସ୍ତାନୀ ସେନାର ଭିତିରି ରଣନୀତି ସମ୍ପର୍କରେ ଗଭୀର ଜ୍ଞାନ ଥିବାରୁ ସେ ଖୁବ୍ ଶୀଘ୍ର ସଂଗଠନର ଦ୍ୱିତୀୟ ଶୀର୍ଷ ନେତା ହୋଇପାରିଥିଲେ। BLA ର ସବୁଠାରୁ ଘାତକ ‘ମଜିଦ ବ୍ରିଗେଡ୍’କୁ ଶକ୍ତିଶାଳୀ କରିବା ପଛରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା।
ଗୁଇନ୍ଦା ଅଧିକାରୀଙ୍କ ସୂଚନା ଅନୁଯାୟୀ, ନେତୃତ୍ୱ ପରିବର୍ତ୍ତନ ସହ BLA ଏବେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିଛି। ପୂର୍ବରୁ କେବଳ ଆଇଇଡି ବିସ୍ଫୋରଣ ଏବଂ ଛାପାମାର ଆକ୍ରମଣ କରୁଥିବା ଏହି ସଂଗଠନ ଏବେ ସାମରିକ କାର୍ଯ୍ୟ ପାଇଁ ପରିବର୍ତ୍ତିତ କ୍ୱାଡକପ୍ଟର ଏବଂ ମାନବବିହୀନ ଏରିଆଲ୍ ଡ୍ରୋନ୍ ବ୍ୟବହାର କରି ପାକିସ୍ତାନୀ ସେନା କନଭୟ ଓ ପାଟ୍ରୋଲିଂ ଦଳ ଉପରେ ଘାତକ ଆକ୍ରମଣ କରୁଛି।
ବାଲୁଚିସ୍ତାନର ପ୍ରାକୃତିକ ସମ୍ପଦକୁ ଇସଲାମାବାଦ ଓ ରାୱଲପିଣ୍ଡିର ଶାସକ ଗୋଷ୍ଠୀ ଲୁଟ୍ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଉପରେ ଅତ୍ୟାଚାର ବଢୁଛି। ଅନ୍ୟପଟେ ଲଗାତାର କ୍ଷୟକ୍ଷତି ଏବଂ ସାଧାରଣ ଲୋକଙ୍କ ଅସହଯୋଗ ଯୋଗୁଁ ପାକିସ୍ତାନୀ ସୁରକ୍ଷା ବାହିନୀର ଅନେକ ଅଧିକାରୀ ଓ ଯବାନଙ୍କ ମନୋବଳ ଭାଙ୍ଗିଯାଇଛି। ଏହାର ସୁଯୋଗ ନେଇ BLA ର ସ୍ୱତନ୍ତ୍ର ନିଯୁକ୍ତି ଶାଖା ଅସନ୍ତୁଷ୍ଟ ପାକିସ୍ତାନୀ ସୈନିକମାନଙ୍କୁ ନିଜ ସଂଗଠନରେ ସାମିଲ କରିବାକୁ ସକ୍ରିୟ ହୋଇଉଠିଛି। ରେହମାନ ଗୁଲଙ୍କ ନିଯୁକ୍ତି ପରେ ଆଗାମୀ ଦିନରେ ପାକିସ୍ତାନ ସେନାର ବହୁ ଅଫିସର ଓ ଯବାନ ବିଦ୍ରୋହ କରି BLA ରେ ଯୋଗଦେବାର ଆଶଙ୍କା ବଢ଼ିଯାଇଛି, ଯାହା ପାକିସ୍ତାନ ପାଇଁ ଏକ ବଡ଼ ସୁରକ୍ଷା ଆହ୍ୱାନ ସୃଷ୍ଟି କରିଛି।




