ରାଜ୍ୟର ଯୁବକଯୁବତୀଙ୍କୁ ଦକ୍ଷ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଆରମ୍ଭ କରିଛନ୍ତି ‘ଦକ୍ଷତା ବିକାଶ ଯୋଜନା’। ଏହି ଯୋଜନା ଅଧୀନରେ ୧.୧୭ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ସଂଯୋଜିତ ସ୍ୱଳ୍ପକାଳୀନ ତାଲିମ ଦିଆଯିବ। ସେହିପରି ୩ ଲକ୍ଷ ଯୁବକଯୁବତୀଙ୍କୁ ଉଦୀୟମାନ ଡିଜିଟାଲ୍ କ୍ଷେତ୍ରରେ ପ୍ରଶିକ୍ଷଣ ଦିଆଯିବ।

ଏହି ଯୋଜନାର କାର୍ଯ୍ୟାନ୍ୱୟନ ନେଇ ସୋମବାର ଭୁବନେଶ୍ୱରରେ ଜିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି ଅଧିକାରୀ (DSDEO) ଏବଂ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା (PIA) ଗୁଡ଼ିକୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ଏଥିରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ତାଲିମ ସହ ନିଯୁକ୍ତି ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ। କେବଳ କେତେ ଜଣଙ୍କୁ ତାଲିମ ଦିଆଗଲା ତାହା ନୁହେଁ, ବରଂ କେତେ ଜଣ ନିଯୁକ୍ତି ପାଇଲେ ତାହା ଯୋଜନାର ସଫଳତାର ମାପକାଠି ହେବ ବୋଲି ସେ କହିଥିଲେ।

ଡିଜିଟାଲ୍ ଦକ୍ଷତା ପ୍ରଶିକ୍ଷଣରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI), କ୍ଲାଉଡ୍ କମ୍ପ୍ୟୁଟିଂ, ଡାଟା ଆନାଲିଟିକ୍ସ ଓ ସାଇବର ସିକ୍ୟୁରିଟି ଭଳି କ୍ଷେତ୍ରକୁ ସାମିଲ କରାଯାଇଛି। ଏହାଦ୍ୱାରା ନୂଆ ପ୍ରଯୁକ୍ତି ଆଧାରିତ ନିଯୁକ୍ତି ସୁଯୋଗ ପାଇଁ ଯୁବପିଢ଼ିଙ୍କୁ ପ୍ରସ୍ତୁତ କରାଯିବ।

ଏହାସହ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ‘ସ୍କିଲ୍ ହବ୍’ ପ୍ରତିଷ୍ଠା କରାଯିବ। ଏଠାରେ ନିୟମିତ ପାଠପଢ଼ା ସହିତ ନ୍ୟାସନାଲ୍ ସ୍କିଲ୍ସ କ୍ୱାଲିଫିକେସନ୍ ଫ୍ରେମ୍‌ୱାର୍କ (NSQF) ଅନୁଯାୟୀ ନିଯୁକ୍ତିଭିତ୍ତିକ ପାଠ୍ୟକ୍ରମରେ ତାଲିମ ଦିଆଯିବ।

ବିଦେଶରେ ଚାକିରି କରିବାକୁ ଆଗ୍ରହୀ ଯୁବକଯୁବତୀଙ୍କ ପାଇଁ ଜର୍ମାନ ଓ ଜାପାନୀ ଭାଷା ଶିକ୍ଷା ସହ ସାଂସ୍କୃତିକ ଅଭିମୁଖୀକରଣ, ସାର୍ଟିଫିକେସନ୍, ଭିସା ଓ ଯାତ୍ରା ସହାୟତା ଏବଂ ନିଯୁକ୍ତି ପରବର୍ତ୍ତୀ ସହଯୋଗର ବ୍ୟବସ୍ଥା ରହିଛି।

ଏହି ଯୋଜନାରେ ଦିବ୍ୟାଙ୍ଗ, ଜେଲ୍‌ରେ ଥିବା କଏଦୀ, କିନ୍ନର ସମ୍ପ୍ରଦାୟ ଏବଂ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ (PVTG)ଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଦକ୍ଷତା ବିକାଶ ଓ ଜୀବିକା ସୁଯୋଗ ସୃଷ୍ଟି ଉପରେ ଧ୍ୟାନ ଦିଆଯାଇଛି।