ଭୁବନେଶ୍ୱର: ଓଡ଼ିଶାର ପ୍ରସିଦ୍ଧ ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ନିକଟରେ ଠାବ ହୋଇଥିବା ଅଣ୍ଡିରା ମହାବଳ ବାଘଟି ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ଆସିଥିବା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ପକ୍ଷରୁ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରାଯାଇଛି। ଗତ ନଭେମ୍ବର ୯ ତାରିଖରେ ଦେବ୍ରିଗଡ଼ ଅଞ୍ଚଳରେ ପ୍ରଥମ ଥର ପାଇଁ ଏହି ବାଘର ଉପସ୍ଥିତି ରେକର୍ଡ କରାଯାଇଥିଲା।

ଏନଟିସିଏ ର ସୂଚନା ଅନୁଯାୟୀ, ଏହି ବାଘଟି ୨୦୨୫ ମସିହାରେ ଛତିଶଗଡ଼ର ଉଦନ୍ତି-ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟ ରେ ଦେଖାଯାଇଥିବା ସେହି ସମାନ ବାଘ ଅଟେ। ଛତିଶଗଡ଼ ବନ୍ୟପ୍ରାଣୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କ୍ୟାମେରା-ଟ୍ରାପ୍ ଫଟୋ ଏବଂ ଅନ୍ୟାନ୍ୟ କ୍ଷେତ୍ର ପ୍ରମାଣଗୁଡ଼ିକର ବିସ୍ତୃତ ଯାଞ୍ଚ କରାଯାଇଥିଲା। ବିଶେଷ କରି ବାଘ ଶରୀରରେ ଥିବା ପଟା ଚିହ୍ନ ବା ‘ଷ୍ଟ୍ରାଇପ୍-ପ୍ୟାଟର୍ଣ୍ଣ’ ମେଳାଇବା ପରେ ଉଭୟ ସ୍ଥାନରେ ଦେଖାଯାଇଥିବା ବାଘ ଗୋଟିଏ ବୋଲି ନିଶ୍ଚିତ ହୋଇଛି।

ବାଘଟିର ଗତିବିଧି ଉପରେ ଅଧିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏହି ୫ ବର୍ଷୀୟ ଅଣ୍ଡିରା ମହାବଳ ବାଘଟି ପ୍ରଥମେ ଛତିଶଗଡ଼ର ଉଦନ୍ତି-ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟରୁ ବାହାରି ବାରନୱାପାରା ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଯାଇଥିଲା। ସେଠାରୁ ପ୍ରାୟ ୪୦୦ କିଲୋମିଟର ଦୀର୍ଘ ଜଙ୍ଗଲ ପଥ ଅତିକ୍ରମ କରି ଏହା ଓଡ଼ିଶାର ଡେବ୍ରିଗଡ଼ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଛି।

ଦେବ୍ରିଗଡ଼ ଅଭୟାରଣ୍ୟରେ ବାଘମାନଙ୍କ ପାଇଁ ଅନୁକୂଳ ପରିବେଶ, ପର୍ଯ୍ୟାପ୍ତ ଶିକାର ଏବଂ ଜଳର ସୁବିଧା ଥିବାରୁ ବାଘଟି ଏଠାକୁ ଆକର୍ଷିତ ହୋଇଥିବା ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତ ଦେଇଛନ୍ତି। ବାଘଟିର ସୁରକ୍ଷା ଏବଂ ଗତିବିଧି ଉପରେ ନଜର ରଖିବା ପାଇଁ ବନ ବିଭାଗ ପକ୍ଷରୁ ଅଭୟାରଣ୍ୟ ଓ ଏହାର ପଶ୍ଚିମ ସୀମାନ୍ତ ଅଞ୍ଚଳରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି।