ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ କାର୍ଯ୍ୟରତ ତିନି ଜଣ ମହିଳା ଡାକ୍ତର କାର୍ଯ୍ୟକ୍ଷେତ୍ରରେ ଲଗାତାର ମାନସିକ ନିର୍ଯାତନା, ଅପମାନ ଏବଂ ପ୍ରଶାସନିକ ସହଯୋଗର ଅଭାବ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ଗତ ଛଅ ମାସ ଧରି ସେମାନେ ଏଭଳି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଥିବା ଦର୍ଶାଇ ସମ୍ବଲପୁର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ଷେତ୍ରରେ ଏକ ସମ୍ମାନଜନକ ଏବଂ ସହଯୋଗପୂର୍ଣ୍ଣ ବାତାବରଣ ସୁନିଶ୍ଚିତ କରିବା ପାଇଁ ତୁରନ୍ତ ହସ୍ତକ୍ଷେପ କରିବାକୁ ସେମାନେ ଅନୁରୋଧ କରିଛନ୍ତି।
ଅଭିଯୋଗ ପତ୍ର ଅନୁଯାୟୀ, ଛୁଟି ଆବେଦନ ଏବଂ ଅନ୍ୟାନ୍ୟ ସେବା ସମ୍ବନ୍ଧୀୟ ନ୍ୟାୟସଙ୍ଗତ ପ୍ରସଙ୍ଗ ଉଠାଇଲେ ସେମାନଙ୍କୁ ଅପମାନଜନକ ବ୍ୟବହାରର ଶିକାର ହେବାକୁ ପଡ଼ୁଛି। ବ୍ୟକ୍ତିଗତ ପକ୍ଷପାତିତା ଯୋଗୁଁ ବୃତ୍ତିଗତ ନିଷ୍ପତ୍ତିଗୁଡ଼ିକ ପ୍ରଭାବିତ ହେଉଛି, ଯାହାଫଳରେ କର୍ମଚାରୀଙ୍କ ମଧ୍ୟରେ ବାରମ୍ବାର ମତଭେଦ ଓ ବିବାଦ ସୃଷ୍ଟି ହେଉଛି ବୋଲି ମହିଳା ଡାକ୍ତରମାନେ ଉଲ୍ଲେଖ କରିଛନ୍ତି।
ମହିଳା ଡାକ୍ତରମାନେ ଆହୁରି ଅଭିଯୋଗ କରିଛନ୍ତି ଯେ, ଅତ୍ୟଧିକ ରୋଗୀ ଭିଡ଼ ଏବଂ ଜରୁରୀକାଳୀନ ପରିସ୍ଥିତି ସମୟରେ ମଧ୍ୟ ସେମାନଙ୍କୁ ଅନ୍ୟ ସହକର୍ମୀଙ୍କ ସହାୟତା ନେବାକୁ ଅନୁମତି ଦିଆଯାଉ ନାହିଁ। ଏହାଦ୍ୱାରା ସେମାନଙ୍କ ଉପରେ କାର୍ଯ୍ୟଭାର ବଢ଼ିବା ସହ ରୋଗୀ ସେବା ପରିଚାଳନା ପ୍ରଭାବିତ ହେଉଛି। ନିଷ୍ଠାର ସହ କାର୍ଯ୍ୟ କରିବା ସତ୍ତ୍ୱେ ଗତ ଛଅ ମାସ ଧରି ଏକ ଚାପଗ୍ରସ୍ତ ପରିବେଶରେ କାମ କରିବାକୁ ବାଧ୍ୟ ହେବା ଫଳରେ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ, ବ୍ୟକ୍ତିଗତ ଜୀବନ ଏବଂ କାର୍ଯ୍ୟଦକ୍ଷତା ଉପରେ ଗଭୀର ପ୍ରଭାବ ପଡ଼ିଥିବା ସେମାନେ ଦର୍ଶାଇଛନ୍ତି।
ଅଭିଯୋଗକାରୀ ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି ଯେ ସେମାନେ କୌଣସି ପ୍ରକାର ବିବାଦ କିମ୍ବା ମୁହାଁମୁହିଁ ପରିସ୍ଥିତି ଚାହାନ୍ତି ନାହିଁ; ବରଂ କାର୍ଯ୍ୟକ୍ଷେତ୍ରରେ ପାରସ୍ପରିକ ସମ୍ମାନ, ଦଳଗତ କାର୍ଯ୍ୟ ଏବଂ ସମାନ ବ୍ୟବହାର ଦାବି କରୁଛନ୍ତି। ଏହି ଘଟଣାର ତଦନ୍ତ କରି ସମସ୍ୟାର ସମାଧାନ କରିବା ସହିତ ସେମାନଙ୍କ ପରିଚୟ ଗୋପନ ରଖିବାକୁ ଏବଂ ସ୍ୱର ଉତ୍ତୋଳନ କରିଥିବାରୁ ସେମାନଙ୍କ ବିରୋଧରେ ଯେପରି କୌଣସି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହୁଏ, ତାହା ସୁନିଶ୍ଚିତ କରିବାକୁ ସେମାନେ ସିଡିଏମଓଙ୍କୁ ନିବେଦନ କରିଛନ୍ତି।




