ମନିଲା: ବିଶ୍ୱରେ ଗୋଟିଏ ପରେ ଗୋଟିଏ ସଙ୍କଟ ଦେଖାଦେଉଥିବାବେଳେ ଆଜି ସମଗ୍ର ବିଶ୍ୱକୁ ଶାନ୍ତି, ସ୍ଥିରତା ଓ ଭବିଷ୍ୟତ ପ୍ରତି ନିଶ୍ଚିତତାର ଆବଶ୍ୟକତା ରହିଛି। ପ୍ରତିଯୋଗିତା ନୁହେଁ, ସହଯୋଗ ମାଧ୍ୟମରେ ଭବିଷ୍ୟତ ଗଠନ କରିବାକୁ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଙ୍ଗଳବାର ଫିଲିପାଇନ୍ସର ମନିଲାଠାରେ ଅନୁଷ୍ଠିତ ୨୩ତମ ଭାରତ-ଆସିଆନ୍ ଶିଖର ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହି ମତ ରଖିଛନ୍ତି।
ଏହି ବର୍ଷର ସମ୍ମିଳନୀର ବିଷୟବସ୍ତୁ ‘ନେଭିଗେଟିଂ ଆୱାର ଫ୍ୟୁଚର୍, ଟୁଗେଦର୍’ (ଏକାଠି ଭବିଷ୍ୟତର ପଥ ନିର୍ଦ୍ଧାରଣ)ର ଗୁରୁତ୍ୱ ଉପରେ ମୋଦୀ ଆଲୋକପାତ କରିଥିଲେ। ଭାରତ ଓ ଆସିଆନ୍ ମିଳିତ ଭାବେ ବିଶ୍ୱର ପ୍ରାୟ ଏକ-ଚତୁର୍ଥାଂଶ ଜନସଂଖ୍ୟାର ପ୍ରତିନିଧିତ୍ୱ କରୁଥିବାରୁ ଏହି ଅଞ୍ଚଳର ଭବିଷ୍ୟତ ସହଯୋଗ ଉପରେ ଆଧାରିତ ହେବା ଆବଶ୍ୟକ ବୋଲି ସେ କହିଥିଲେ।
ଭାରତର ‘ଆକ୍ଟ ଇଷ୍ଟ୍’ ନୀତି ଯୋଗୁଁ ଆସିଆନ୍ ଦେଶଗୁଡ଼ିକ ସହ ସମ୍ପର୍କରେ ନୂଆ ଗତି ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ସହଯୋଗ ଏବେ କେବଳ ସାଂସ୍କୃତିକ ସମ୍ପର୍କରେ ସୀମିତ ନରହି ଡିଜିଟାଲ୍ ପ୍ରଯୁକ୍ତି, ପ୍ରତିରକ୍ଷା ଓ ମହାକାଶ କ୍ଷେତ୍ରକୁ ବିସ୍ତାରିତ ହୋଇଛି। ୨୦୧୪ ପରଠାରୁ ଲୋକଙ୍କ ମଧ୍ୟରେ ସମ୍ପର୍କ ମଜଭୁତ କରିବା ପାଇଁ ୧୦୦ରୁ ଅଧିକ ପଦକ୍ଷେପ ନିଆଯାଇଛି। ପ୍ରାୟ ୨୫୦ଟି କ୍ୱିକ୍ ଇମ୍ପାକ୍ଟ ପ୍ରୋଜେକ୍ଟ ଆରମ୍ଭ ହୋଇଥିବାବେଳେ ଦକ୍ଷତା ବିକାଶ ପାଇଁ ୧୦ ହଜାରରୁ ଅଧିକ ବୃତ୍ତି ପ୍ରଦାନ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ।
ଭବିଷ୍ୟତର ପ୍ରଯୁକ୍ତି କ୍ଷେତ୍ରରେ ଭାରତ ଓ ଆସିଆନ୍ କେବଳ ଉପଭୋକ୍ତା ହୋଇ ରହିବା ଉଚିତ୍ ନୁହେଁ, ବରଂ ମିଳିତ ଭାବେ ନୂଆ ପ୍ରଯୁକ୍ତି ବିକାଶ କରିବା ସହ ଯୁବପିଢ଼ିଙ୍କୁ ଆବଶ୍ୟକ ଦକ୍ଷତା ପ୍ରଦାନ କରିବା ଦରକାର ବୋଲି ମୋଦୀ କହିଥିଲେ।
ଏହି ଅବସରରେ ଭାରତ-ଆସିଆନ୍ ସହଯୋଗକୁ ଆହୁରି ମଜଭୁତ କରିବା ପାଇଁ ସେ ନଅଟି ପ୍ରସ୍ତାବ ରଖିଥିଲେ। ସେଥିମଧ୍ୟରେ ସାମୁଦ୍ରିକ ସହଯୋଗ ଯୋଜନା, ସାଇବର ଫୋରେନସିକ୍ ତାଲିମ, ପରମାଣୁ ଶକ୍ତି ସମ୍ପର୍କିତ ବୈଷୟିକ ଆଦାନପ୍ରଦାନ, ମହାକାଶ ହ୍ୟାକାଥନ୍, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ସହଯୋଗ, ଯୁବ ସମ୍ପର୍କ କାର୍ଯ୍ୟକ୍ରମ, ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଅଧିକ ବୃତ୍ତି ଓ ଆସିଆନ୍ ଦେଶର ପର୍ଯ୍ୟଟକଙ୍କ ପାଇଁ ମାଗଣା ଇ-ଭିସା ଆଦି ରହିଛି।
ମୋଦୀ କହିଥିଲେ, ଭାରତର ବିକାଶ ଓ ଆସିଆନ୍ର ସମୃଦ୍ଧି ପରସ୍ପର ସହ ଗଭୀର ଭାବେ ଜଡ଼ିତ। ଆସିଆନ୍ କମ୍ୟୁନିଟି ଭିଜନ୍ ୨୦୪୫ ଓ ବିକଶିତ ଭାରତ ୨୦୪୭ ମିଳିତ ଆକାଂକ୍ଷା ପୂରଣରେ ସହାୟକ ହେବ। ଆସିଆନ୍ର ଏକତା ଓ କେନ୍ଦ୍ରୀୟ ଭୂମିକା ପ୍ରତି ଭାରତର ସମର୍ଥନ ଆଗକୁ ମଧ୍ୟ ଅତୁଟ ରହିବ ବୋଲି ସେ ଦୋହରାଇଥିଲେ।




