ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ଜବାବ ଦାଖଲ କରିବାରେ ବିଳମ୍ବକୁ ନେଇ ଆମ୍ ଆଦମୀ ପାର୍ଟି (ଆପ୍) ନେତା ଅରବିନ୍ଦ କେଜ୍ରିୱାଲ ଓ ଅନ୍ୟ ନେତାଙ୍କୁ ତାଗିଦ୍ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ମଙ୍ଗଳବାର ଶୁଣାଣି ସମୟରେ ହାଇକୋର୍ଟଙ୍କ ଖଣ୍ଡପୀଠ ଜବାବ ଦାଖଲ ପାଇଁ ସେମାନଙ୍କୁ ଶେଷ ସୁଯୋଗ ଭାବେ ଆଉ ୩ ସପ୍ତାହ ସମୟ ଦେଇଛନ୍ତି। ଏହି ସମୟ ମଧ୍ୟରେ ଜବାବ ଦାଖଲ ନକଲେ ସେମାନଙ୍କ ପକ୍ଷ ରଖିବାର ଅଧିକାର ବନ୍ଦ କରିଦିଆଯିବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି।
ଜଷ୍ଟିସ୍ ନବୀନ ଚାୱଲା ଓ ଜଷ୍ଟିସ୍ ଅରୁଣ ଭରଦ୍ୱାଜଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଅଦାଲତ କହିଥିଲେ ଯେ, ରେଜିଷ୍ଟ୍ରିର ରିପୋର୍ଟ ଅନୁସାରେ ଆବଶ୍ୟକ ଦସ୍ତାବିଜ୍ ଯୋଗାଇ ଦିଆଯାଇଛି। ତଥାପି ଜବାବ ଦାଖଲରେ ବିଳମ୍ବ ହେଉଥିବାରୁ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିଥିଲେ। ଆଉ ସମୟ ଦିଆଯିବ ନାହିଁ ବୋଲି କହିବା ସହ ତିନି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଶୁଣାଣି ସମୟରେ ଆପ୍ ନେତାଙ୍କ ପକ୍ଷରୁ ଉପସ୍ଥିତ ଓକିଲମାନେ କିଛି ଦସ୍ତାବିଜ୍ ମିଳିନଥିବା ନେଇ ଅଭିଯୋଗ କରିଥିଲେ। ତେବେ ଖଣ୍ଡପୀଠ ସେମାନଙ୍କୁ ଜବାବ ଦାଖଲ ସମୟରେ ଏହି ଆପତ୍ତି ଉଲ୍ଲେଖ କରିବାକୁ କହିଥିଲେ।
ଏହି ଅବମାନନା ମାମଲାର ମୂଳରେ ରହିଛି ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ସ୍ୱର୍ଣ୍ଣା କାନ୍ତା ଶର୍ମାଙ୍କ ସମ୍ପର୍କରେ ଆପ୍ ନେତାଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ଓ ସାର୍ବଜନୀନ ମନ୍ତବ୍ୟ। ଦିଲ୍ଲୀ ଅବକାରୀ ନୀତି ମାମଲାରେ ତଳ ଅଦାଲତ କେଜ୍ରିୱାଲ, ମନୀଷ ସିସୋଦିଆ ଓ ଅନ୍ୟ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିବା ରାୟ ବିରୋଧରେ CBI ହାଇକୋର୍ଟରେ ଆବେଦନ କରିଥିଲା। ଏହି ମାମଲା ଜଷ୍ଟିସ୍ ଶର୍ମାଙ୍କ ଖଣ୍ଡପୀଠରେ ଶୁଣାଣି ହେଉଥିବାବେଳେ ଆପ୍ ନେତାମାନେ ପକ୍ଷପାତିତା ଆଶଙ୍କା ଦର୍ଶାଇ ଶୁଣାଣିରେ ଭାଗ ନେବାକୁ ମନା କରିଥିଲେ।
ଏହାପରେ ସୋସିଆଲ୍ ମିଡିଆ ପୋଷ୍ଟ ଓ ଜଷ୍ଟିସ୍ ଶର୍ମାଙ୍କୁ ଲେଖାଯାଇଥିବା ଚିଠିକୁ ଆଧାର କରି ହାଇକୋର୍ଟ ମେ’ ୧୪ରେ ନିଜଆଡ଼ୁ ଅଦାଲତ ଅବମାନନା ମାମଲା ଆରମ୍ଭ କରିଥିଲେ। କେଜ୍ରିୱାଲ, ମନୀଷ ସିସୋଦିଆ, ସଞ୍ଜୟ ସିଂହ, ଦୁର୍ଗେଶ ପାଠକ, ସୌରଭ ଭରଦ୍ୱାଜଙ୍କ ସମେତ ଅନ୍ୟ ନେତା ଏହି ମାମଲାରେ ସାମିଲ ଅଛନ୍ତି।
ଏହା ବ୍ୟତୀତ ଜଷ୍ଟିସ୍ ଶର୍ମାଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ଅଭିଯାନ ଚଳାଇବା ଅଭିଯୋଗକୁ ନେଇ ଆଉ ଏକ ପୃଥକ୍ ଅବମାନନା ଆବେଦନ ମଧ୍ୟ ଦାଖଲ ହୋଇଛି। ଏହି ମାମଲାରେ ଆପ୍ ନେତା ଗୋପାଳ ରାୟ ଓ ସାମ୍ବାଦିକ ସୌରଭ ଦାସଙ୍କ ନାମ ମଧ୍ୟ ରହିଛି। ହାଇକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ୧୪, ୨୦୨୭ରେ କରିବେ।




