ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନ ଆଜି ବୁଧବାର ବେଶ୍ ହଙ୍ଗାମାପୂର୍ଣ୍ଣ ରହିଛି। କୋଟିଆ ସୀମା ବିବାଦ ଏବଂ ବନ୍ୟା ପ୍ରପୀଡ଼ିତଙ୍କ ପ୍ରତି ରାଜ୍ୟ ସରକାରଙ୍କ କଥିତ ଅବହେଳା ଅଭିଯୋଗ ନେଇ ବିରୋଧୀ ବିଜେଡି ଏବଂ କଂଗ୍ରେସ ସଦସ୍ୟମାନେ ପ୍ରଶ୍ନକାଳ ଆରମ୍ଭରୁ ହିଁ ପ୍ରବଳ ହଟ୍ଟଗୋଳ କରିଥିଲେ। ବିରୋଧୀ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ପ୍ଲାକାର୍ଡ ପ୍ରଦର୍ଶନ କରିବା ସହ ନାରାବାଜି କରିବାରୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ବାଚସ୍ପତି ସୂରମା ପାଢ଼ୀ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ସ୍ଥିତି ସ୍ୱାଭାବିକ ନ ହେବାରୁ ଅଧିବେଶନ ଆରମ୍ଭ ହେବାର ମାତ୍ର ୩୯ ମିନିଟ୍ ମଧ୍ୟରେ ଅର୍ଥାତ୍ ପୂର୍ବାହ୍ନ ୧୧ଟା ୩୯ ମିନିଟରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।
ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟା ୨୫ ମିନିଟ୍ ସମୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରଶ୍ନର ଉତ୍ତର ରଖୁଥିବା ବେଳେ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ବିରୋଧୀ ଦଳର ବିଧାୟକମାନେ ହାତରେ ପ୍ଲାକାର୍ଡ ଧରି ଓ ସରକାର ବିରୋଧୀ ସ୍ଲୋଗାନ ଦେଇ ଗୃହର ମଧ୍ୟଭାଗକୁ ମାଡ଼ି ଆସିଥିଲେ। ଗଞ୍ଜାମ ଏବଂ ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବନ୍ୟା ପରିସ୍ଥିତିକୁ ପରିଚାଳନା କରିବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସେମାନେ ଅଭିଯୋଗ କରିଥିଲେ। ବିଜେଡି ସଦସ୍ୟମାନେ ପୂର୍ବ ୨୪ ବର୍ଷର ବିପର୍ଯ୍ୟୟ ପରିଚାଳନା ସଫଳତା ସହିତ ବର୍ତ୍ତମାନ ସରକାରଙ୍କ ପ୍ରଥମ ୨୪ ମାସର କ୍ଷୟକ୍ଷତିକୁ ତୁଳନା କରି ପ୍ରଶ୍ନ ଉଠାଇଥିଲେ। ବିପର୍ଯ୍ୟୟ ପ୍ରପୀଡ଼ିତଙ୍କ ସ୍ୱାର୍ଥ ଅପେକ୍ଷା ସରକାର ନିଜ ସ୍ୱାର୍ଥକୁ ଅଧିକ ପ୍ରାଧାନ୍ୟ ଦେଉଥିବା ପ୍ଲାକାର୍ଡରେ ଉଲ୍ଲେଖ ରହିଥିଲା।
ଏହାପୂର୍ବରୁ ୧୭ତମ ଓଡ଼ିଶା ବିଧାନସଭାର ଅଷ୍ଟମ ଅଧିବେଶନର ପ୍ରଥମ ଦିନ ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ ଏବଂ ଜାତୀୟ ସଙ୍ଗୀତ ଗାନ ସହ ଆରମ୍ଭ ହୋଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରା, ପାଟଣାର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ, ପୋଲିସ କର୍ମଚାରୀ ଅଜୟ ବାଗ ଓ ହିମାଂଶୁ ରାୟ ଏବଂ ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବର୍ଷାଜନିତ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ବିୟୋଗରେ ଗୃହରେ ଶୋକ ପ୍ରକାଶ କରାଯାଇଥିଲା। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ମ ଏବଂ ସିପିଆଇ(ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡା ମଧ୍ୟ ଶୋକବ୍ୟକ୍ତ କରିଥିଲେ। ଦିବଙ୍ଗତ ଆତ୍ମାଙ୍କ ସଦଗତି ନିମନ୍ତେ ଗୃହରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।




