ଭୁବନେଶ୍ୱର: ଓଡ଼ିଶାର ୩.୩ କୋଟିରୁ ଅଧିକ ହିତାଧିକାରୀ ବିଭିନ୍ନ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ପ୍ରତିମାସରେ ମାଗଣା ଚାଉଳ ପାଉଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ରାଜ୍ୟ ସରକାର ପ୍ରତିମାସରେ ହାରାହାରି ୧.୯୨ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବଣ୍ଟନ କରୁଛନ୍ତି। ବୁଧବାର ଦିନ ଓଡ଼ିଶା ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି।
ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ୮୪,୮୧,୬୭୪ଟି ପ୍ରାଥମିକ ପରିବାର ର ୨,୮୫,୪୫,୯୬୩ ଜଣ ହିତାଧିକାରୀ ଏବଂ ୧୨,୩୫,୯୧୧ଟି ଅନ୍ତ୍ୟୋଦୟ ଅନ୍ନ ଯୋଜନା ପରିବାରର ୩୩,୭୪,୬୭୩ ଜଣ ହିତାଧିକାରୀ ପ୍ରତିମାସରେ ମାଗଣା ଚାଉଳ ପାଉଛନ୍ତି। ଏହା ବ୍ୟତୀତ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (SFSS) ଅଧୀନରେ ୬,୦୦,୯୧୫ଟି ପରିବାରର ୧୨,୨୨,୭୫୬ ଜଣ ହିତାଧିକାରୀଙ୍କୁ ମାଗଣା ଚାଉଳ ଯୋଗାଇ ଦିଆଯାଉଛି।
ମନ୍ତ୍ରୀ ଆହୁରି ଜଣାଇଛନ୍ତି ଯେ, ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ଅଧୀନରେ NFSA ଏବଂ SFSS ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ପ୍ରତିମାସରେ ହାରାହାରି ୧.୬୫ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ବଣ୍ଟନ କରାଯାଉଛି। ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ଏହି ଯୋଜନାରେ ରାଜ୍ୟର ମୋଟ ୧,୦୩,୧୮,୫୦୦ଟି ପରିବାରର ୩,୩୧,୪୩,୩୯୨ ଜଣ ହିତାଧିକାରୀ ଉପକୃତ ହେଉଛନ୍ତି।
ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ପଷ୍ଟ କରିଛନ୍ତି ଯେ, ଓଡ଼ିଶା ଏକ ଚାଉଳ ବଳକା ରାଜ୍ୟ ଏବଂ ଚାଉଳ ହେଉଛି ଏଠାକାର ହିତାଧିକାରୀଙ୍କ ମୁଖ୍ୟ ଖାଦ୍ୟ। ତେଣୁ ବର୍ତ୍ତମାନ ସମଗ୍ର ରାଜ୍ୟରେ NFSA ଏବଂ SFSS ଅଧୀନରେ ବଣ୍ଟନ ହେଉଥିବା ମୋଟ ଖାଦ୍ୟଶସ୍ୟର ଶତପ୍ରତିଶତ ଭାଗ କେବଳ ଚାଉଳ ରହିଛି। ତେବେ ଆଗାମୀ ଦିନରେ ହିତାଧିକାରୀମାନଙ୍କ ପାଇଁ ଚାଉଳ ସହିତ ଗହମ ବଣ୍ଟନ ଆରମ୍ଭ କରିବାକୁ ରାଜ୍ୟ ସରକାର ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରୁଛନ୍ତି ବୋଲି ସେ ଗୃହରେ ସୂଚନା ଦେଇଛନ୍ତି।




