ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍’ କୁ ଦୃଷ୍ଟିରେ ରଖି ଓଡ଼ିଶାର ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଏଥିପାଇଁ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ମାଇକ୍ରୋ-ପ୍ଲାନ୍ କାର୍ଯ୍ୟକାରୀ କରାଯିବା ସହ ବିପଦସଙ୍କୁଳ ଅଞ୍ଚଳଗୁଡ଼ିକରେ ପାନୀୟ ଜଳ ପୁନରୁଦ୍ଧାର ଟିମ୍ ମୁତୟନ କରାଯାଇଛି।
ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ବ୍ଲକ୍ ଓ ଗ୍ରାମ ପଞ୍ଚାୟତଗୁଡ଼ିକୁ ଚିହ୍ନଟ କରାଯାଇ ସେଠାରେ ଆଗୁଆ ସମ୍ବଳ ମହଜୁଦ ରଖାଯାଇଛି। ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ବିଭାଗୀୟ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ପ୍ରାୟ ୭,୬୦୦ ବସ୍ତା ବ୍ଲିଚିଂ ପାଉଡର, ୭.୫୭ ଲକ୍ଷ ପାଣି ବୋତଲ, ୮୧୩ଟି ୱାଟର ଟ୍ୟାଙ୍କର, ୯୦୩ଟି ସିଣ୍ଟେକ୍ସ ଟ୍ୟାଙ୍କ, ୪୧୭ଟି ଜେନେରେଟର ସେଟ୍, ୭୮୯ଟି ୱାଟର ଲୋଡିଂ ପଏଣ୍ଟ ଏବଂ ୧୩ଟି ମୋବାଇଲ୍ ୱାଟର ଟ୍ରିଟମେଣ୍ଟ ୟୁନିଟ୍ ପ୍ରସ୍ତୁତ ରଖାଯାଇଛି। ଏହାସହ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ମୋଟ ୧,୦୧୨ଟି ରେସପନ୍ସ ଟିମ୍ ଚିହ୍ନଟ କରାଯାଇଛି।
ପାନୀୟ ଜଳ ସେବାକୁ ତୁରନ୍ତ ସ୍ୱାଭାବିକ କରିବା ପାଇଁ ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର ପୁନରୁଦ୍ଧାର ଟିମ୍ ନିୟୋଜିତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୧୮ଟି ଟିମ୍ ପହଞ୍ଚିଥିବା ବେଳେ ମାଲକାନଗିରିରେ ୬୩ଟି, ପୁରୀରେ ୫୫ଟି, ଗଜପତିରେ ୫୪ଟି (୧୧୪ଟି ଗ୍ରାମ ପଞ୍ଚାୟତ ପାଇଁ), ଜଗତସିଂହପୁରରେ ୪୦ଟି, କେନ୍ଦ୍ରାପଡ଼ାରେ ୧୮ଟି, ବାଲେଶ୍ୱରରେ ୧୨ଟି, ନବରଙ୍ଗପୁରରେ ୧୨ଟି ଏବଂ ରାୟଗଡ଼ା ଜିଲ୍ଲାରେ ୧୦ଟି ଟିମ୍ ମୁତୟନ କରାଯାଇଛି।
ବାତ୍ୟା ସମୟରେ ଓ ପରବର୍ତ୍ତୀ ସମୟରେ ନିୟମିତ ଜଳ ଯୋଗାଣ ବାଧାପ୍ରାପ୍ତ ହେଲେ ଟ୍ୟାଙ୍କର, ଅସ୍ଥାୟୀ ଟ୍ୟାଙ୍କ ଏବଂ ପାଣି ବୋତଲ ମାଧ୍ୟମରେ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ହୋଇଛି। ଜରୁରୀକାଳୀନ ଷ୍ଟକ୍ ଭାବେ ବାଲେଶ୍ୱରରେ ୧,୦୧,୫୦୦ ପାଣି ବୋତଲ, ମାଲକାନଗିରିରେ ୮୨,୦୦୦, କୋରାପୁଟରେ ୮୦,୦୦୦, କେନ୍ଦ୍ରାପଡ଼ାରେ ୭୦,୦୦୦, ଜଗତସିଂହପୁରରେ ୫୦,୦୦୦ ଏବଂ ଗଜପତିରେ ୨୦,୦୦୦ ପାଣି ବୋତଲ ମହଜୁଦ ରଖାଯାଇଛି। ଏହାସହ ଗଜପତି, କୋରାପୁଟ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଗୋଟିଏ ଲେଖାଏଁ ମୋବାଇଲ୍ ଟ୍ରିଟମେଣ୍ଟ ୟୁନିଟ୍ ରଖାଯାଇଛି।
ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ସହ ନିରନ୍ତର ସମନ୍ୱୟ ରଖାଯାଇଛି, ଯାହାଫଳରେ ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ତୁରନ୍ତ ଆକଳନ କରାଯାଇ ପ୍ରଭାବିତ ଅଞ୍ଚଳରେ ବିନା ବିଳମ୍ବରେ ପାନୀୟ ଜଳ ଯୋଗାଣ ସ୍ୱାଭାବିକ କରାଯାଇପାରିବ।




