ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍’ର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତିକୁ ଆହୁରି ବ୍ୟାପକ କରିଛନ୍ତି। ବାତ୍ୟା ସମୟରେ ପ୍ରବଳ ପବନ ଓ ବର୍ଷା ଯୋଗୁଁ ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଥିବାରୁ, ତୁରନ୍ତ ରାସ୍ତା ସଫା କରିବା ଏବଂ ଗଛ କାଟିବା କାର୍ଯ୍ୟ ପାଇଁ ୧୧ଟି ଉପକୂଳବର୍ତ୍ତୀ ଓ ସଂଲଗ୍ନ ଜିଲ୍ଲାରେ ୧୦୦ଟି ସ୍ୱତନ୍ତ୍ର ଟିମ୍ ମୁତୟନ କରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଓଡ଼ିଶା ବନ ଉନ୍ନୟନ ନିଗମ କୁ ନିର୍ଦ୍ଦେଶ ଦେଇଛନ୍ତି।
ଭୁବନେଶ୍ୱରସ୍ଥିତ OFDC ଲିମିଟେଡ୍ ର ପରିଚାଳନା ନିର୍ଦ୍ଦେଶକ ଙ୍କୁ ଏକ ଜରୁରୀ ପତ୍ର ମାଧ୍ୟମରେ SRC ଜଣାଇଛନ୍ତି ଯେ, ଚିହ୍ନଟ ହୋଇଥିବା ସମସ୍ତ ଟିମ୍ ଯେପରି ତୁରନ୍ତ ନିଜ ନିଜ ଜିଲ୍ଲାର ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର ରେ ରିପୋର୍ଟ କରନ୍ତି ଏବଂ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଅବସ୍ଥାରେ ରହନ୍ତି, ସେଥିପାଇଁ ନିର୍ଦ୍ଦେଶ ଦିଆଯାଉ।
ସରକାରୀ ଯୋଜନା ଅନୁଯାୟୀ ମୋଟ ୧୦୦ଟି ଟିମକୁ ୧୧ଟି ଜିଲ୍ଲାରେ ବଣ୍ଟନ କରାଯାଇଛି। ଏଥିମଧ୍ୟରୁ ଗଜପତି ଏବଂ ମୟୂରଭଞ୍ଜ ଜିଲ୍ଲା ପାଇଁ ୫ଟି ଲେଖାଏଁ ଟିମ୍ ରଖାଯାଇଥିବା ବେଳେ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲା ପାଇଁ ୧୦ଟି ଲେଖାଏଁ ଟିମ୍ ଆବଣ୍ଟିତ ହୋଇଛି।
ବାତ୍ୟା ଜନିତ ପବନ ଓ ବର୍ଷାରେ ରାସ୍ତା ଉପରେ ଉପୁଡ଼ି ପଡ଼ିଥିବା ଗଛ ଓ ଡାଳପତ୍ରକୁ ତୁରନ୍ତ ହଟାଇବା ପାଇଁ ସମସ୍ତ ଟିମ୍ ନିକଟରେ ଚେନ୍-ସ, ଗଛ କାଟିବା ଯନ୍ତ୍ରପାତି, ଆବଶ୍ୟକୀୟ ଉପକରଣ, ଗାଡ଼ି ଏବଂ ପର୍ଯ୍ୟାପ୍ତ ମାନବ ସମ୍ବଳ ମହଜୁଦ ରଖିବାକୁ SRC ଗୁରୁତ୍ୱ ଦେଇଛନ୍ତି।
ଉଦ୍ଧାର କାର୍ଯ୍ୟ, ରିଲିଫ୍ ଯୋଗାଣ ଏବଂ ଅତ୍ୟାବଶ୍ୟକ ସେବା ପାଇଁ ମୁଖ୍ୟ ରାସ୍ତାଗୁଡ଼ିକୁ ଅବରୋଧମୁକ୍ତ ରଖିବା ନିମନ୍ତେ ଏହି ଟିମ୍ଗୁଡ଼ିକ ସମ୍ପୃକ୍ତ ଜିଲ୍ଲାପାଳ, ଅଗ୍ନିଶମ ବାହିନୀ, ପୂର୍ତ୍ତ ବିଭାଗ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସଂସ୍ଥା ସହ ମିଳିତ ଭାବେ କାର୍ଯ୍ୟ କରିବେ। ଏହାସହ ବିନା ବିଳମ୍ବରେ DEOC ରେ ରିପୋର୍ଟ କରିବା ସହ ଟିମ୍ ଲିଡରମାନଙ୍କ ନାମ ଓ ଯୋଗାଯୋଗ ନମ୍ବର ଜିଲ୍ଲାପାଳ ଏବଂ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରକୁ ପ୍ରଦାନ କରିବାକୁ OFDC କୁ ନିର୍ଦ୍ଦେଶ ଦିଆଯାଇଛି।




