ନୂଆଦିଲ୍ଲୀ: ଭାରତର ଅର୍ଥନୀତି, ବେକାରୀ ସମସ୍ୟା ଓ ଶିକ୍ଷା ବ୍ୟବସ୍ଥାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଆମେରିକାର ନ୍ୟୁୟର୍କସ୍ଥିତ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି, ଭାରତ ଏକ ଗଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି। ଦେଶରେ ବ୍ୟାପକ ବେକାରୀ ସମସ୍ୟା ରହିଥିବା ସହ ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ଗମ୍ଭୀର ତ୍ରୁଟି ରହିଛି ବୋଲି ସେ ମତ ଦେଇଛନ୍ତି।
ରାହୁଲ କହିଛନ୍ତି, ଭାରତର ଆର୍ଥିକ ମଡେଲ୍ ପ୍ରାୟ ଏକ ଦଶନ୍ଧି ହେଲା ଆଶାନୁରୂପ ଫଳ ଦେଉନାହିଁ। ‘ମେକ୍ ଇନ୍ ଇଣ୍ଡିଆ’ ଓ ‘ଷ୍ଟାର୍ଟଅପ୍ ଇଣ୍ଡିଆ’ ଭଳି ଯୋଜନା ଆବଶ୍ୟକ ମାତ୍ରାରେ ନିଯୁକ୍ତି ସୃଷ୍ଟି କରିପାରିନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଦେଶର ଅର୍ଥନୀତିର ମୁଖ୍ୟ ଆଧାର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସହ କୃଷି କ୍ଷେତ୍ର। ଏହି କ୍ଷେତ୍ରଗୁଡ଼ିକ ଦୁର୍ବଳ ହୋଇପଡ଼ିଥିବାରୁ ନିଯୁକ୍ତି ସୃଷ୍ଟି ଉପରେ ଏହାର ପ୍ରଭାବ ପଡ଼ୁଛି ବୋଲି ସେ କହିଛନ୍ତି।
କେବଳ ସେବା କ୍ଷେତ୍ର ଉପରେ ନିର୍ଭର କରି ଦେଶର ସମସ୍ତ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା ସମ୍ଭବ ନୁହେଁ। ଏଥିପାଇଁ ଉତ୍ପାଦନ ବା ମାନୁଫାକ୍ଚରିଂ କ୍ଷେତ୍ରକୁ ପୁନର୍ଗଠନ କରିବା ଆବଶ୍ୟକ ବୋଲି ରାହୁଲ ମତ ଦେଇଛନ୍ତି। ଘରୋଇ ପୁଞ୍ଜିନିବେଶର ଅଭାବ ଓ ଅଳ୍ପ କିଛି ବଡ଼ ବ୍ୟବସାୟିକ ଗୋଷ୍ଠୀଙ୍କ ଅଭିବୃଦ୍ଧିକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।
ଦେଶର ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଥିବା ଅସନ୍ତୋଷ ସମ୍ପର୍କରେ ରାହୁଲ କହିଛନ୍ତି, ବିଶେଷକରି ଶିକ୍ଷିତ ମଧ୍ୟବିତ୍ତ ପରିବାରର ଯୁବକଯୁବତୀ ନିଜ ଭବିଷ୍ୟତକୁ ନେଇ ଆଶା ହରାଉଛନ୍ତି। ଉପଯୁକ୍ତ ଚାକିରି ଓ ଜୀବିକାର ସୁଯୋଗ ନମିଳିବା ଏହାର ଏକ ପ୍ରମୁଖ କାରଣ ବୋଲି ସେ କହିଛନ୍ତି। ଏଥିସହ ନିର୍ବାଚନୀ ପ୍ରକ୍ରିୟା ଓ ଭୋଟ୍ ଚୋରି ଅଭିଯୋଗ ଉଠାଇ ନିର୍ବାଚନ ବ୍ୟବସ୍ଥାରେ ସଂସ୍କାର ଆବଶ୍ୟକ ବୋଲି ମଧ୍ୟ ସେ ମତ ରଖିଛନ୍ତି।
ରାହୁଲଙ୍କ ଏହି ମନ୍ତବ୍ୟକୁ ନେଇ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ଆସିଛି। ବିଦେଶ ମାଟିରେ ଭାରତର ଅର୍ଥନୀତି ଓ ଗଣତନ୍ତ୍ରକୁ ନେଇ ନକାରାତ୍ମକ ମନ୍ତବ୍ୟ ଦେଇ ସେ ଦେଶକୁ ବଦନାମ କରୁଥିବା ବିଜେପି ନେତାମାନେ ଅଭିଯୋଗ କରିଛନ୍ତି। ଦଳର ମୁଖପାତ୍ରମାନେ ଭାରତର ଅଭିବୃଦ୍ଧି ହାର ଓ ଅର୍ଥନୈତିକ ସ୍ଥିତିର ଉଦାହରଣ ଦେଇ ରାହୁଲଙ୍କ ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ରାହୁଲ ଗାନ୍ଧୀ ଦୁଇ ଦିନିଆ ଆମେରିକା ଗସ୍ତରେ ଅଛନ୍ତି। କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଆଲୋଚନା ପରେ ସେ ନଭେମ୍ବର ୧୮ରେ ଚିକାଗୋ ବିଶ୍ୱବିଦ୍ୟାଳୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।




