ଭୁବନେଶ୍ୱର: ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାରେ ନୂଆ ହିତାଧିକାରୀଙ୍କୁ ସାମିଲ କରିଛନ୍ତି ଓଡ଼ିଶା ସରକାର। ଗତ ଦୁଇ ବର୍ଷ ମଧ୍ୟରେ ୭ ଲକ୍ଷ ୭୬ ହଜାର ୮୧୪ଟି ପରିବାରର ୧୫ ଲକ୍ଷ ୩୮ ହଜାର ୯୨ ଜଣଙ୍କୁ ନୂଆ ରାସନ୍ କାର୍ଡ ମିଳିଛି। ବୁଧବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ନୂଆ ରାସନ୍ କାର୍ଡ ପାଇଁ ମୋଟ ୨୩ ଲକ୍ଷ ୧୫ ହଜାର ୯୪୬ଟି ଆବେଦନ ମିଳିଥିଲା। ସେଥିମଧ୍ୟରୁ ୧୮ ଲକ୍ଷ ୬ ହଜାର ୧୬୯ଟି ଆବେଦନର କ୍ଷେତ୍ରସ୍ତରୀୟ ଯାଞ୍ଚ ଶେଷ ହୋଇଛି। ଯାଞ୍ଚ ପରେ ୧୦ ଲକ୍ଷ ୨୯ ହଜାର ୩୫୫ଟି ଆବେଦନକୁ ଅଯୋଗ୍ୟ ଦର୍ଶାଇ ଖାରଜ କରାଯାଇଛି। ଅବଶିଷ୍ଟ ୫ ଲକ୍ଷ ୯ ହଜାର ୭୭୭ଟି ଆବେଦନର ଯାଞ୍ଚ ଏବେ ଚାଲିଛି। ଯୋଗ୍ୟ ବିବେଚିତ ପରିବାରଙ୍କୁ ପର୍ଯ୍ୟାୟକ୍ରମେ ନୂଆ କାର୍ଡ ଦିଆଯାଉଛି।
ରାଜ୍ୟରେ ୩.୩୧ କୋଟି ଲୋକ ପାଉଛନ୍ତି ଖାଦ୍ୟ ସୁରକ୍ଷା ସୁବିଧା
ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ଓଡ଼ିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (SFSS) ଅଧୀନରେ ମୋଟ ୧ କୋଟି ୩ ଲକ୍ଷ ୧୮ ହଜାର ୫୦୦ଟି ପରିବାରର ୩ କୋଟି ୩୧ ଲକ୍ଷ ୪୩ ହଜାର ୩୯୨ ଜଣ ସଦସ୍ୟ ଖାଦ୍ୟ ସୁରକ୍ଷା ସୁବିଧା ପାଉଛନ୍ତି।
ଏଥିମଧ୍ୟରୁ NFSA ଅଧୀନରେ ୯୭ ଲକ୍ଷ ୧୭ ହଜାର ୫୮୫ଟି ପରିବାରର ୩ କୋଟି ୧୯ ଲକ୍ଷ ୨୦ ହଜାର ୬୩୬ ଜଣ ହିତାଧିକାରୀ ଅଛନ୍ତି। ଏହା ମଧ୍ୟରେ ଅନ୍ତ୍ୟୋଦୟ ଅନ୍ନ ଯୋଜନା (AAY)ରେ ୧୨ ଲକ୍ଷ ୩୫ ହଜାର ୯୧୧ଟି ପରିବାରର ୩୩ ଲକ୍ଷ ୭୪ ହଜାର ୬୭୩ ଜଣ ଏବଂ ପ୍ରାଥମିକ ପରିବାର ବର୍ଗରେ ୮୪ ଲକ୍ଷ ୮୧ ହଜାର ୬୭୪ଟି ପରିବାରର ୨ କୋଟି ୮୫ ଲକ୍ଷ ୪୫ ହଜାର ୯୬୩ ଜଣ ରହିଛନ୍ତି।
ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ୬ ଲକ୍ଷ ୨୦ ହଜାର ୯୧୫ଟି ପରିବାରର ୧୨ ଲକ୍ଷ ୨୨ ହଜାର ୭୫୬ ଜଣ ହିତାଧିକାରୀ ଅଛନ୍ତି।
ସରକାରଙ୍କ ପକ୍ଷରୁ ଆବେଦନଗୁଡ଼ିକର ଯାଞ୍ଚ ଜାରି ରହିଥିବାରୁ ଆଗକୁ ଆହୁରି ଯୋଗ୍ୟ ପରିବାର ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇପାରିବେ।




