ଭୁବନେଶ୍ୱର: ଓଡ଼ିଆ ସିନେମା ଏବଂ ଭାରତୀୟ ଚଳଚ୍ଚିତ୍ର ଜଗତ ପାଇଁ ଏକ ଐତିହାସିକ ସଫଳତା ସାମ୍ନାକୁ ଆସିଛି। ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରା ଉପରେ ଆଧାରିତ ଫିଚର ଫିଲ୍ମ ‘ବାଘୁଣୀ’ (BAGHUNI – DANCE LIKE A TIGER) ଆସନ୍ତା ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବାକୁ ଥିବା ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ର ସମ୍ମାନଜନକ ‘ଗାଲା ପ୍ରିମିୟର’ ପାଇଁ ମନୋନୀତ ହୋଇଛି। ଚଳିତ ବର୍ଷର ଚୟନ ତାଲିକାରେ ସ୍ଥାନ ପାଇଥିବା ଏହା ହେଉଛି ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର।

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ନିର୍ଦ୍ଦେଶକ ଜିତେନ୍ଦ୍ର ମିଶ୍ରଙ୍କ ରଚନା ଓ ନିର୍ଦ୍ଦେଶନାରେ ନିର୍ମିତ ‘ବାଘୁଣୀ’ ଏକ ବହୁରାଷ୍ଟ୍ରୀୟ ସହ-ପ୍ରଯୋଜନା। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (NFDC), ଓଡ଼ିଶାରେ ଜନ୍ମିତ ତଥା ୟୁକେ-ଆଧାରିତ ପ୍ରଯୋଜକ ପାର୍ଥ ପଣ୍ଡାଙ୍କ ‘ଗ୍ଲୋକାଲ ଫିଲ୍ମସ୍ ୟୁକେ ଲିମିଟେଡ୍’ ଏବଂ ଜିତେନ୍ଦ୍ର ମିଶ୍ରଙ୍କ ‘ସିନେମା4ଗୁଡ୍ ପ୍ରାଇଭେଟ୍ ଲିମିଟେଡ୍’ (ଭାରତ) ମିଳିତ ଭାବେ ଏହାର ନିର୍ମାଣ କରିଛନ୍ତି।

ଚଳଚ୍ଚିତ୍ରରେ ଓଡ଼ିଆ ସିନେମାର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କ ସହ ରାଜ୍ୟର ହଜାର ହଜାର ପିଲାଙ୍କ ମଧ୍ୟରୁ କଠିନ ଅଡିସନ୍ ଜରିଆରେ ବଛାଯାଇଥିବା ପ୍ରତିଭାବାନ ଶିଶୁ କଳାକାରମାନେ ଅଭିନୟ କରିଛନ୍ତି। ନିଜ ଅଭିଜ୍ଞତା ବାଣ୍ଟି ସବ୍ୟସାଚୀ କହିଛନ୍ତି, “ଓଡ଼ିଆ ସିନେମା ଏବେ ଜାତୀୟ ସ୍ତରରେ ଚର୍ଚ୍ଚା ସାଉଁଟୁଛି, କିନ୍ତୁ ମୋର ବିଶ୍ୱାସ ‘ବାଘୁଣୀ’ ଓଡ଼ିଆ ଚଳଚ୍ଚିତ୍ରକୁ ଅନ୍ତର୍ଜାତୀୟ ସ୍ତରକୁ ନେଇଯିବ। ଚରିତ୍ରର ଆବଶ୍ୟକତା ଅନୁଯାୟୀ ପ୍ରକୃତ ବାଘ ନାଚ ଶିଖିବା ଏବଂ ୩୦ କିଲୋଗ୍ରାମ ଓଜନ କମାଇବା ମୋ ପାଇଁ ଅତ୍ୟନ୍ତ କଷ୍ଟକର ଥିଲା, ମାତ୍ର ଫିଲ୍ମର କାହାଣୀ ଓ ଟିମ୍ ମୋତେ ପ୍ରେରଣା ଦେଇଥିଲେ।”

ସତ୍ୟ ଘଟଣା ଉପରେ ଆଧାରିତ ‘ବାଘୁଣୀ’ ଓଡ଼ିଶାର ଏକ ଦୁର୍ଗମ ଗାଁର ୧୧ ବର୍ଷୀୟା ବାଳିକା ‘ମିନି’ର ସ୍ୱପ୍ନ ଓ ସଂଘର୍ଷର କାହାଣୀ। ପୁରୁଷ ପ୍ରାଧାନ୍ୟ ପାରମ୍ପରିକ ଲୋକନୃତ୍ୟ ‘ବାଘ ନାଚ’ରେ ଜଣେ ଟାଇଗର ଡ୍ୟାନ୍ସର ହେବାକୁ ସେ ସ୍ୱପ୍ନ ଦେଖେ। ପୁରୁଷତାନ୍ତ୍ରିକ ସମାଜର ଶହ ଶହ ବର୍ଷର ପରମ୍ପରାକୁ ଚ୍ୟାଲେଞ୍ଜ କରି ଲିଙ୍ଗଗତ ଭେଦଭାବ ବିରୋଧରେ ସେ କିପରି ନିଜ ପରିଚୟ ସୃଷ୍ଟି କରୁଛି, ତାହା ଏଥିରେ ନିଖୁଣ ଭାବେ ଦର୍ଶାଯାଇଛି।

ସହ-ପ୍ରଯୋଜକ ପାର୍ଥ ପଣ୍ଡା ଏହାକୁ ନିଜ ମାଟି ଓଡ଼ିଶା ପ୍ରତି ଶ୍ରଦ୍ଧାଞ୍ଜଳି ବୋଲି କହିଥିବା ବେଳେ NFDC ର ଏମଡି ଧୀରଜ ସିଂହ ଏବଂ ଜିଏମ୍ ତରୁଣ ତଲରେଜା କହିଛନ୍ତି ଯେ, ଏହି ଭାରତ-ୟୁକେ ସହ-ପ୍ରଯୋଜନା ବିଶ୍ୱ ଦରବାରରେ ଓଡ଼ିଶାର ଲୋକକଳା ଏବଂ ଭାରତୀୟ କାହାଣୀର ସମୃଦ୍ଧିକୁ ଉପସ୍ଥାପନ କରିବ। ଫିଲ୍ମରେ ପ୍ରେମ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଡଃ ନିର୍ମଳା ନାୟକ ଗୀତ ରଚନା କରିଛନ୍ତି ଏବଂ ସୁଶାନ୍ତ ମଣି ସଂଳାପ ଲେଖିଛନ୍ତି।