ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ଅକ୍ୱାନ୍’ର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବାତ୍ୟା ପ୍ରସ୍ତୁତି, ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରିବା ପାଇଁ ଦଳ ପକ୍ଷରୁ ରାଜ୍ୟର ୭ଟି ସମ୍ବେଦନଶୀଳ ଜିଲ୍ଲାରେ ବରିଷ୍ଠ ନେତାମାନଙ୍କୁ ନିୟୋଜିତ କରାଯାଇଛି।

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ଜାରି କରାଯାଇଥିବା ଏକ ନିର୍ଦ୍ଦେଶନାମା ଅନୁଯାୟୀ, ଏହି ବରିଷ୍ଠ ନେତାମାନଙ୍କୁ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ବିଜେଡି ନେତା ଏବଂ ଦଳୀୟ କର୍ମକର୍ତ୍ତାଙ୍କ ସହ ସମନ୍ୱୟ ରଖି ସାମଗ୍ରିକ ତଦାରଖ କରିବାକୁ ଦାୟିତ୍ୱ ଦିଆଯାଇଛି। ଦଳ ପକ୍ଷରୁ ଜାରି ହୋଇଥିବା ଏହି ନିର୍ଦ୍ଦେଶ ତତ୍କାଳ ପ୍ରଭାବରୁ କାର୍ଯ୍ୟକାରୀ ହୋଇଛି।

ନିର୍ଦ୍ଦେଶନାମା ଅନୁଯାୟୀ, ବାତ୍ୟା ପ୍ରଭାବିତ ହେବାକୁ ଥିବା ୭ଟି ଜିଲ୍ଲା ପାଇଁ ବରିଷ୍ଠ ନେତାମାନଙ୍କୁ ନିମ୍ନଲିଖିତ ଭାବେ ଦାୟିତ୍ୱ ବଣ୍ଟନ କରାଯାଇଛି:

  • ଗଞ୍ଜାମ: ପ୍ରତାପ ଜେନା
  • ଗଜପତି: ନିରଞ୍ଜନ ପୂଜାରୀ
  • ପୁରୀ: ଦେବୀ ପ୍ରସାଦ ମିଶ୍ର
  • କନ୍ଧମାଳ: ପଦ୍ମନାଭ ବେହେରା
  • କେନ୍ଦ୍ରାପଡ଼ା: ପ୍ରଦୀପ ଅମାତ
  • ଜଗତସିଂହପୁର: ଅରୁଣ କୁମାର ସାହୁ
  • ବାଲେଶ୍ୱର: ସୁଦାମ ମାରାଣ୍ଡି

ନିୟୋଜିତ ହୋଇଥିବା ଏହି ବରିଷ୍ଠ ନେତାମାନେ ନିଜ ନିଜ ଆବଣ୍ଟିତ ଜିଲ୍ଲାରେ ରହି ବାତ୍ୟା ପୂର୍ବରୁ ନିଆଯାଉଥିବା ସୁରକ୍ଷା ବ୍ୟବସ୍ଥା, ଲୋକଙ୍କ ସ୍ଥାନାନ୍ତର, ରିଲିଫ୍ ବଣ୍ଟନ ଏବଂ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ପ୍ରତ୍ୟକ୍ଷ ତଦାରଖ କରିବେ।

ବାତ୍ୟା ‘ଅକ୍ୱାନ୍’ ପରିସ୍ଥିତିରେ ଯେପରି ପ୍ରଭାବିତ ଲୋକଙ୍କ ନିକଟରେ ତୁରନ୍ତ ସହାୟତା ପହଞ୍ଚିପାରିବ, ସେଥିପାଇଁ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଦଳୀୟ କର୍ମକର୍ତ୍ତାଙ୍କ ସହ ନିରନ୍ତର ଯୋଗାଯୋଗ ଓ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ନେତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।