ନୂଆଦିଲ୍ଲୀ: ରାମପୁରସ୍ଥିତ ମହମ୍ମଦ ଅଲି ଜୌହର ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ୪୨୬ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ସମାଜବାଦୀ ପାର୍ଟି (SP) ର ବରିଷ୍ଠ ନେତା ମହମ୍ମଦ ଆଜମ ଖାନଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଆଜମ ଖାନଙ୍କୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଥିବା ଆହ୍ଲାବାଦ ହାଇକୋର୍ଟଙ୍କ ନଭେମ୍ବର ୧୭ ତାରିଖର ଆଦେଶରେ ହସ୍ତକ୍ଷେପ କରିବାକୁ ଗୁରୁବାର ଦିନ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି।
ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ଦାୟର କରାଯାଇଥିବା ସ୍ପେଶାଲ ଲିଭ୍ ପିଟିସନ୍ (SLP) ର ଶୁଣାଣି କରି ଜଷ୍ଟିସ୍ ଏମ୍.ଏମ୍. ସୁନ୍ଦରେଶ ଏବଂ ଜଷ୍ଟିସ୍ ପି.ବି. ବରାଲେଙ୍କ ଖଣ୍ଡପୀଠ ଏହାର ଫଇସଲା କରିଛନ୍ତି। ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ଯେହେତୁ ହାଇକୋର୍ଟ ଏକ ଅନ୍ତରୀଣ ଆଦେଶ ଦେଇଛନ୍ତି, ତେଣୁ ଏହି ପର୍ଯ୍ୟାୟରେ ଏଥିରେ ହସ୍ତକ୍ଷେପ କରିବାକୁ କୋର୍ଟ ଇଚ୍ଛୁକ ନୁହଁନ୍ତି। ଏହାସହ ହାଇକୋର୍ଟଙ୍କ ପ୍ରାଥମିକ ପର୍ଯ୍ୟବେକ୍ଷଣ ମାମଲାର ଚୂଡ଼ାନ୍ତ ଶୁଣାଣି ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।
ଶୁଣାଣି ସମୟରେ ଇଡି ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ (ASG) ଏସ୍.ଭି. ରାଜୁ ହାଇକୋର୍ଟଙ୍କ ପର୍ଯ୍ୟବେକ୍ଷଣ ଉପରେ ପ୍ରଶ୍ନ ଉଠାଇଥିଲେ। ସେ ଯୁକ୍ତି ବାଢ଼ିଥିଲେ ଯେ ଆଜମ ଖାନଙ୍କୁ ଗିରଫଦାରୀର କାରଣ ପ୍ରଦାନ କରାଯାଇଥିଲା, କିନ୍ତୁ ସେ ତାହା ଗ୍ରହଣ କରିବାକୁ ମନା କରିଦେଇଥିଲେ। ଏହାର ପ୍ରମାଣ ସ୍ୱରୂପ ଭିଡିଓ ରେକର୍ଡିଂ ଏବଂ ପଞ୍ଚନାମା ଥିବା ସେ ଦର୍ଶାଇଥିଲେ। ତେବେ ସୁପ୍ରିମକୋର୍ଟ ଇଡିର ଯୁକ୍ତିକୁ ଅଗ୍ରାହ୍ୟ କରି ହାଇକୋର୍ଟଙ୍କ ଆଦେଶରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଆଜମ ଖାନଙ୍କ ଦ୍ୱାରା ପ୍ରତିଷ୍ଠିତ ଓ ପରିଚାଳିତ ମୌଲାନା ମହମ୍ମଦ ଅଲି ଜୌହର ଟ୍ରଷ୍ଟ ଅଧୀନସ୍ଥ ଜୌହର ବିଶ୍ୱବିଦ୍ୟାଳୟ ପାଇଁ ଚାଷୀଙ୍କ ଜମି ଜୋରଜବରଦସ୍ତ ଅକ୍ତିଆର କରିବା ଏବଂ ସରକାରୀ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ PMLA ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି। ଏହି ମାମଲାରେ ଇଡି ବିଶ୍ୱବିଦ୍ୟାଳୟର ୪୨୬.୪୬ କୋଟି ଟଙ୍କାର ଜମି ଓ କୋଠାବାଡ଼ିକୁ ଅସ୍ଥାୟୀ ଭାବେ ଜବତ କରିବା ସହ ଗତ ଅକ୍ଟୋବର ୩୧ ତାରିଖରେ ଆଜମ ଖାନଙ୍କୁ ଗିରଫ କରିଥିଲା। ପୂର୍ବରୁ ନଭେମ୍ବର ୫ରେ ସୁପ୍ରିମକୋର୍ଟ ତାଙ୍କୁ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ କହିଥିଲେ।




