ଭୁବନେଶ୍ୱର: ବାତ୍ୟା ‘ଅକ୍ଭାନ୍’ର ସମ୍ଭାବ୍ୟ ପ୍ରଭାବର ମୁକାବିଲା ପାଇଁ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ଜଙ୍ଗଲ, ବନ୍ୟଜନ୍ତୁ ଏବଂ ବିଭାଗୀୟ ଭିତ୍ତିଭୂମିର ସୁରକ୍ଷା ନିମନ୍ତେ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଆଞ୍ଚଳିକ ଓ ବନ୍ୟପ୍ରାଣୀ ଡିଭିଜନକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ସମସ୍ତ ଡିଭିଜନାଲ ଫରେଷ୍ଟ ଅଫିସର ମାନଙ୍କ ସମେତ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପ-ନିର୍ଦ୍ଦେଶକ ଏବଂ ଶିମିଳିପାଳ ଉତ୍ତର ଓ ଦକ୍ଷିଣ ବନ୍ୟପ୍ରାଣୀ ଡିଭିଜନର ଉପ-ନିର୍ଦ୍ଦେଶକମାନଙ୍କୁ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତିକୁ ସୁଦୃଢ଼ କରିବାକୁ କୁହାଯାଇଛି। ଯେକୌଣସି ଜରୁରୀ ପରିସ୍ଥିତିର ସଫଳ ମୁକାବିଲା ପାଇଁ ସମସ୍ତ ଆବଶ୍ୟକୀୟ ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି।
ଏହି ପରାମର୍ଶାବଳୀ ଅନୁଯାୟୀ, ଉପଯୁକ୍ତ ସରଞ୍ଜାମ ସହିତ ଉଦ୍ଧାରକାରୀ ଦଳ ମୁତୟନ କରିବା, ଜରୁରୀକାଳୀନ ଔଷଧ ଓ ପଶୁଚିକିତ୍ସା ସେବା ଉପଲବ୍ଧ ରଖିବା ଏବଂ ଚିଡ଼ିଆଖାନା ଓ ଅନ୍ୟ ସମ୍ବେଦନଶୀଳ ସ୍ଥାନରେ ଥିବା ପଶୁମାନଙ୍କ ପାଇଁ ପାନୀୟ ଜଳ ଓ ଖାଦ୍ୟର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦିଆଯାଇଛି। ଏହା ସହିତ ବନ୍ୟଜନ୍ତୁଙ୍କ ସୁରକ୍ଷା, ଜଙ୍ଗଲ ବିଭାଗର ଭିତ୍ତିଭୂମି ସୁରକ୍ଷା ଏବଂ ପର୍ଯ୍ୟଟକ ଓ ଦର୍ଶକମାନଙ୍କ ନିରାପତ୍ତା ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ରହିଛି।
ସମସ୍ତ ଡିଭିଜନାଲ କଣ୍ଟ୍ରୋଲ ରୁମ୍ଗୁଡ଼ିକୁ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରଖିବା ସହିତ VHF ନେଟୱର୍କ ଏବଂ WhatsApp ଗ୍ରୁପ୍ ମାଧ୍ୟମରେ ପ୍ରଭାବଶାଳୀ ଯୋଗାଯୋଗ ବ୍ୟବସ୍ଥା ବଜାୟ ରଖିବାକୁ କୁହାଯାଇଛି। ଜରୁରୀକାଳୀନ ପରିସ୍ଥିତି ଉପୁଜିଲେ ତୁରନ୍ତ ଓ ସମନ୍ୱିତ ପଦକ୍ଷେପ ନେବା ପାଇଁ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ, ଓଡ଼ିଶା ବିପର୍ଯ୍ୟୟ ତ୍ୱରିତ କାର୍ଯ୍ୟ ବାହିନୀ (ODRAF), ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (NDRF) ଏବଂ ଅଗ୍ନିଶମ ସେବା କର୍ମଚାରୀମାନଙ୍କ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ।
ଅନ୍ୟପକ୍ଷରେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ‘ଅକ୍ଭାନ୍’ ଉପକୂଳ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ଅଞ୍ଚଳ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ପବନର ସତର୍କତା ଜାରି କରାଯାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ସୁରକ୍ଷା ଓ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରାଯାଇଛି। ବନ୍ୟଜନ୍ତୁ ଓ ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ ବନ ବିଭାଗର ପ୍ରତ୍ୟେକ ୟୁନିଟ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହା ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ସମୟରେ କ୍ଷୟକ୍ଷତିକୁ ସର୍ବନିମ୍ନ ସ୍ତରରେ ରଖାଯାଇପାରିବ।




