ଭୁବନେଶ୍ୱର: ଭୂସ୍ଖଳନ ଜନିତ ବିପଦର ମୁକାବିଲା ଏବଂ ବିପର୍ଯ୍ୟୟ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ଓ ଉତ୍ତରାଖଣ୍ଡ ମଧ୍ୟରେ ସହଯୋଗ ବଢ଼ିବ। ଏଥିପାଇଁ ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (USDMA) ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (OSDMA) ମଧ୍ୟରେ ଖୁବଶୀଘ୍ର ବୁଝାମଣାପତ୍ର (MoU) ସ୍ୱାକ୍ଷର ହେବ। ଏନେଇ ଉଭୟ ରାଜ୍ୟର ଅଧିକାରୀଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି।
ଉତ୍ତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା ଓ ପୁନର୍ବାସ ବିଭାଗର ସଚିବ ବିନୋଦ କୁମାର ସୁମନ ଏବଂ OSDMAର ପରାମର୍ଶଦାତା କମଳ ଲୋଚନ ମିଶ୍ରଙ୍କ ମଧ୍ୟରେ ଏହି ସହଯୋଗ ନେଇ ଆଲୋଚନା ହୋଇଛି। କମଳ ଲୋଚନ ମିଶ୍ରଙ୍କ ନେତୃତ୍ୱରେ OSDMAର ବିଶେଷଜ୍ଞ ଦଳ ଉତ୍ତରାଖଣ୍ଡ ଗସ୍ତ କରି ସେଠାକାର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି।
ଏହି ଗସ୍ତ ସମୟରେ ଭୂସ୍ଖଳନ ରୋକିବା ପାଇଁ ବୈଜ୍ଞାନିକ ଅଧ୍ୟୟନ, ବିପଦ ଆକଳନ, ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ, ନିରନ୍ତର ନିରୀକ୍ଷଣ ଓ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା ସମ୍ପର୍କରେ ଓଡ଼ିଶାର ଟିମ୍କୁ ଅବଗତ କରାଯାଇଛି। ଆଧୁନିକ ବୈଷୟିକ ଜ୍ଞାନ, ଉପଗ୍ରହ ତଥ୍ୟ ଓ GIS ମାଧ୍ୟମରେ ଭୂସ୍ଖଳନ ପ୍ରବଣ ଅଞ୍ଚଳର ମାନଚିତ୍ର ପ୍ରସ୍ତୁତି ଏବଂ ବିପଦ ଆକଳନ ଉପରେ ମଧ୍ୟ ଆଲୋଚନା ହୋଇଛି।
OSDMAର ପରାମର୍ଶଦାତା କମଳ ଲୋଚନ ମିଶ୍ର କହିଛନ୍ତି ଯେ, ସାମ୍ପ୍ରତିକ ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟାରେ ଓଡ଼ିଶାର ଗଞ୍ଜାମ, ଗଜପତି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲା ପ୍ରଭାବିତ ହୋଇଛି। ଏହି ଅଞ୍ଚଳଗୁଡ଼ିକରେ ଭୂସ୍ଖଳନ ମଧ୍ୟ ଏକ ନୂଆ ଆହ୍ୱାନ ଭାବେ ଦେଖାଦେଇଛି। ଏଭଳି ସ୍ଥିତିରେ ଭୂସ୍ଖଳନ ପରିଚାଳନା କ୍ଷେତ୍ରରେ ଉତ୍ତରାଖଣ୍ଡର ଅଭିଜ୍ଞତା ଓ ନୂତନ ପଦକ୍ଷେପ ଓଡ଼ିଶା ପାଇଁ ଉପଯୋଗୀ ହୋଇପାରିବ।
ଅନ୍ୟପକ୍ଷରେ, ଉତ୍ତରାଖଣ୍ଡରେ ଭୂସ୍ଖଳନ ବିପଦ ହ୍ରାସ ପାଇଁ ବୈଜ୍ଞାନିକ ଅଧ୍ୟୟନ, ବିପଦପ୍ରବଣ ଅଞ୍ଚଳର ନିରୀକ୍ଷଣ, ଆଗୁଆ ସତର୍କ ସୂଚନା ଓ ସ୍ଥାନୀୟ ସ୍ତରରେ ତାଲିମ ଭଳି କାର୍ଯ୍ୟ ଚାଲିଛି। ଏଥିସହ ଭୂସ୍ଖଳନ ନିୟନ୍ତ୍ରଣ ଓ ପରିଚାଳନା ପାଇଁ ଉତ୍ତରାଖଣ୍ଡ ଲ୍ୟାଣ୍ଡସ୍ଲାଇଡ୍ ମିଟିଗେସନ୍ ଆଣ୍ଡ ମ୍ୟାନେଜମେଣ୍ଟ ସେଣ୍ଟର (ULMMC)କୁ ଉତ୍କର୍ଷ କେନ୍ଦ୍ର ଭାବେ ପ୍ରତିଷ୍ଠା କରାଯାଇଛି।
ଉଭୟ ରାଜ୍ୟ ମଧ୍ୟରେ ପ୍ରସ୍ତାବିତ MoU ଅନୁସାରେ ବୈଷୟିକ ଜ୍ଞାନ, ଅଭିଜ୍ଞତା ଓ ନୂତନ ପଦ୍ଧତିର ଆଦାନପ୍ରଦାନ କରାଯିବ। ଏହାସହ ଉଭୟ ରାଜ୍ୟର ଭୌଗୋଳିକ ସ୍ଥିତି ଓ ଆବଶ୍ୟକତା ଅନୁଯାୟୀ ଭୂସ୍ଖଳନ ମୁକାବିଲା ପାଇଁ ନୂଆ ସମାଧାନ ବିକଶିତ କରିବା ଉପରେ ଗୁରୁତ୍ୱ ଦିଆଯିବ।




