ଦି ହେଗ୍: ରୋହିଙ୍ଗ୍ୟା ମୁସଲିମଙ୍କ ଉପରେ ମ୍ୟାନମାର ସେନାର ନିର୍ମମ ଅତ୍ୟାଚାର ମାମଲାରେ ଆସିଛି ଐତିହାସିକ ରାୟ। ୨୦୧୭ରେ ମ୍ୟାନମାରର ରାଖାଇନ୍‌ ରାଜ୍ୟରେ ସେନା ଚଳାଇଥିବା ସାମରିକ ଅଭିଯାନ ସମୟରେ ରୋହିଙ୍ଗ୍ୟାଙ୍କ ବିରୋଧରେ ନରସଂହାର ହୋଇଥିବା ନେଇ ଅନ୍ତର୍ଜାତୀୟ ନ୍ୟାୟାଳୟ (ICJ) ରାୟ ଦେଇଛନ୍ତି। ଏହି ଅଭିଯାନରେ ପ୍ରାୟ ୧୦ ହଜାର ରୋହିଙ୍ଗ୍ୟାଙ୍କ ମୃତ୍ୟୁ ହୋଇଥିବା ପ୍ରମାଣକୁ ମଧ୍ୟ କୋର୍ଟ ସମର୍ଥନ କରିଛନ୍ତି।

କୋର୍ଟଙ୍କ ରାୟ ଅନୁସାରେ, ମ୍ୟାନମାର ସୁରକ୍ଷା ବାହିନୀ ରୋହିଙ୍ଗ୍ୟା ସାଧାରଣ ନାଗରିକଙ୍କୁ ହତ୍ୟା କରିବା ସହ ବ୍ୟାପକ ଯୌନ ହିଂସା ଓ ଶିଶୁଙ୍କ ଉପରେ ଅତ୍ୟନ୍ତ ନିର୍ମମ ଆକ୍ରମଣ କରିଥିଲେ। ଗାଁ ଛାଡ଼ି ବାଂଲାଦେଶ ଆଡ଼କୁ ପଳାଉଥିବା ରୋହିଙ୍ଗ୍ୟାଙ୍କ ଉପରେ ମଧ୍ୟ ଗୁଳିମାଡ଼ ହୋଇଥିବା ପ୍ରମାଣ ମିଳିଛି। ଅନେକ ଗାଁ ଓ ଘର ଧ୍ୱଂସ କରାଯାଇଥିବା ସହ ରୋହିଙ୍ଗ୍ୟାଙ୍କ ଜମିରେ ଅନ୍ୟ ଭିତ୍ତିଭୂମି ନିର୍ମାଣ ଓ ଅନ୍ୟ ସମ୍ପ୍ରଦାୟର ଲୋକଙ୍କୁ ବସତି ସ୍ଥାପନ ପାଇଁ ଉତ୍ସାହିତ କରାଯାଇଥିବା କୋର୍ଟ ଉଲ୍ଲେଖ କରିଛନ୍ତି।

୨୦୧୭ ଅଗଷ୍ଟରେ ରାଖାଇନ୍‌ ଅଞ୍ଚଳରେ ରୋହିଙ୍ଗ୍ୟା ବିଦ୍ରୋହୀ ଗୋଷ୍ଠୀର ଆକ୍ରମଣ ପରେ ମ୍ୟାନମାର ସେନା ଏହି ଅଭିଯାନ ଆରମ୍ଭ କରିଥିଲା। ମ୍ୟାନମାର ସରକାର ଏହାକୁ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ବୋଲି କହିଥିଲେ। କିନ୍ତୁ ଏହି ଅଭିଯାନ ସମୟରେ ବ୍ୟାପକ ହତ୍ୟା, ଦୁଷ୍କର୍ମ ଓ ଘର ପୋଡ଼ି ଦିଆଯିବାର ଅଭିଯୋଗ ଉଠିଥିଲା। ଫଳରେ ୭ ଲକ୍ଷରୁ ଅଧିକ ରୋହିଙ୍ଗ୍ୟା ଜୀବନ ବଞ୍ଚାଇବାକୁ ବାଂଲାଦେଶ ପଳାଇଥିଲେ।

ଏହି ଘଟଣାକୁ ନେଇ ୨୦୧୯ରେ ଆଫ୍ରିକୀୟ ଦେଶ ଗାମ୍ବିଆ ICJରେ ମ୍ୟାନମାର ବିରୋଧରେ ମାମଲା ଦାଏର କରିଥିଲା। ୧୯୪୮ର ନରସଂହାର ନିରୋଧୀ ଚୁକ୍ତି ଅନୁସାରେ ମ୍ୟାନମାର ନିଜ ଦାୟିତ୍ୱ ପାଳନ କରିନଥିବା ଗାମ୍ବିଆ ଅଭିଯୋଗ କରିଥିଲା। ଏହି ମାମଲାର ଶୁଣାଣି ୨୦୨୬ ଜାନୁଆରିରେ ହୋଇଥିଲା ଏବଂ ନଭେମ୍ବର ୧୯ରେ କୋର୍ଟ ରାୟ ପ୍ରକାଶ କରିଥିଲେ।

ଏହି ରାୟରେ ମ୍ୟାନମାରକୁ ନରସଂହାର ପାଇଁ ଦାୟୀ କରିବା ସହ ପୀଡ଼ିତଙ୍କ ପାଇଁ କ୍ଷତିପୂରଣ ଓ ପୁନର୍ବାସ ସମ୍ପର୍କିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ରୋହିଙ୍ଗ୍ୟାମାନେ ଯେପରି ସୁରକ୍ଷିତ, ସ୍ୱେଚ୍ଛାକୃତ ଓ ସମ୍ମାନଜନକ ଭାବେ ନିଜ ଦେଶକୁ ଫେରିପାରିବେ, ସେଥିପାଇଁ ମଧ୍ୟ ବ୍ୟବସ୍ଥା କରିବାକୁ କୋର୍ଟ କହିଛନ୍ତି। କ୍ଷତିପୂରଣର ପରିମାଣ ପରବର୍ତ୍ତୀ ପର୍ଯ୍ୟାୟରେ ନିର୍ଦ୍ଧାରଣ ହେବ।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ପ୍ରାୟ ୧୨ ଲକ୍ଷ ରୋହିଙ୍ଗ୍ୟା ଶରଣାର୍ଥୀ ବାଂଲାଦେଶରେ ରହୁଛନ୍ତି। ଦୀର୍ଘ ବର୍ଷ ଧରି ନିଜ ଦେଶକୁ ଫେରିବା ଓ ନାଗରିକତା ଅଧିକାର ପାଇଁ ସେମାନେ ସଂଘର୍ଷ କରୁଛନ୍ତି। ଏହି ରାୟକୁ ରୋହିଙ୍ଗ୍ୟା ସମ୍ପ୍ରଦାୟ ପାଇଁ ନ୍ୟାୟ ଦିଗରେ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି।