ଚେନ୍ନାଇ: ତାମିଲନାଡୁର ରାଜନୀତିରେ ନୂଆ ବିବାଦ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କ ମେଣ୍ଟ ସହଯୋଗୀ ତଥା ବିଦୁଥଲାଇ ଚିରୁଥାଇଗଲ କାଚି (VCK) ମୁଖ୍ୟ ଥୋଲ୍ ଥିରୁମାଭାଲଭନ୍ ଶ୍ରୀଲଙ୍କା ଗସ୍ତ ସମୟରେ ଏଲ୍ଟିଟିଇ ମୁଖ୍ୟ ଭେଲୁପିଲ୍ଲାଇ ପ୍ରଭାକରନଙ୍କ ପୈତୃକ ଘର ଥିବା ସ୍ଥାନକୁ ଯାଇଥିଲେ। ଏହି ଗସ୍ତକୁ ନେଇ ବିଜେପି ତୀବ୍ର ଆପତ୍ତି ଉଠାଇବା ସହ କଂଗ୍ରେସର ନିରବତାକୁ ନେଇ ପ୍ରଶ୍ନ କରିଛି।
ନଭେମ୍ବର ୧୭ ତାରିଖରେ ଥିରୁମାଭାଲଭନ୍ ଶ୍ରୀଲଙ୍କାର ଜାଫ୍ନା ଜିଲ୍ଲା ଅନ୍ତର୍ଗତ ଭାଲ୍ଭେଟ୍ଟିଥୁରାଇରେ ପ୍ରଭାକରନଙ୍କ ପୈତୃକ ବାସଭବନ ଥିବା ସ୍ଥାନକୁ ଯାଇଥିଲେ। ସେଠାରେ ସେ କିଛି ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିଥିଲେ। ତେବେ ପ୍ରଭାକରନଙ୍କ ପୁରୁଣା ଘର ଆଉ ନାହିଁ। ଶ୍ରୀଲଙ୍କାର ଗୃହଯୁଦ୍ଧ ଶେଷ ହେବାର ବର୍ଷକ ପରେ, ୨୦୧୦ରେ ଏହାକୁ ଭାଙ୍ଗି ଦିଆଯାଇଥିଲା। ବର୍ତ୍ତମାନ ସେଠାରେ ଏକ ଖାଲି ଜମି ରହିଛି ଏବଂ ଏହା ପ୍ରଭାକରନଙ୍କ ଘର ଥିବା ସ୍ଥାନ ବୋଲି ଏକ ବୋର୍ଡ ଲଗାଯାଇଛି।
ସୂଚନା ଅନୁସାରେ, ଥିରୁମାଭାଲଭନ୍ ନଭେମ୍ବର ୧୬ରେ ଶ୍ରୀଲଙ୍କାର ବରିଷ୍ଠ ତାମିଲ ରାଜନେତା ଏମ୍.କେ. ଶିବାଜିଲିଙ୍ଗମ୍ଙ୍କ ଶେଷକୃତ୍ୟରେ ଯୋଗଦେବାକୁ ସେଠାକୁ ଯାଇଥିଲେ। ଏହି ଗସ୍ତ ସମୟରେ ସେ ଜାଫ୍ନାର ଚେମ୍ମାନି ସ୍ମାରକୀସ୍ଥଳକୁ ମଧ୍ୟ ଯାଇଥିଲେ। ସେଠାରେ ମିଳିଥିବା ସାମୂହିକ କବର ସହ ଜଡ଼ିତ ପୀଡ଼ିତ ପରିବାରଙ୍କ ପ୍ରତି ସେ ସମର୍ଥନ ଜଣାଇଥିଲେ।
ବିଜେପିର କଡ଼ା ସମାଲୋଚନା
ଥିରୁମାଭାଲଭନଙ୍କ ଏହି ଗସ୍ତକୁ ତାମିଲନାଡୁ ବିଜେପିର ମୁଖ୍ୟ ମୁଖପାତ୍ର ନାରାୟଣନ ତିରୁପାଥି ସମାଲୋଚନା କରିଛନ୍ତି। ସେ ଏହାକୁ ଲଜ୍ଜାଜନକ ଓ ଅକ୍ଷମଣୀୟ କାର୍ଯ୍ୟ ବୋଲି କହିଛନ୍ତି। ତାଙ୍କ ମତରେ, ପ୍ରଭାକରନ୍ କୌଣସି ସ୍ୱାଧୀନତା ସଂଗ୍ରାମୀ ନଥିଲେ; ସେ ଏକ ନିଷିଦ୍ଧ ସଂଗଠନ ଏଲ୍ଟିଟିଇର ମୁଖ୍ୟ ଥିଲେ, ଯାହା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପାଇଁ ଦାୟୀ।
ଜଣେ ଭାରତୀୟ ରାଜନେତା ପ୍ରଭାକରନଙ୍କ ଘର ଥିବା ସ୍ଥାନକୁ ଯିବା ତାମିଲ ଲୋକଙ୍କ ପ୍ରତି ସମର୍ଥନ ନୁହେଁ, ବରଂ ରାଜୀବ ଗାନ୍ଧୀଙ୍କ ସ୍ମୃତି ପ୍ରତି ଅପମାନ ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ VCK ସହ ମେଣ୍ଟରେ ରହି ତାମିଲନାଡୁ ସରକାରରେ ଭାଗୀଦାର ହୋଇଥିବା କଂଗ୍ରେସର ଆଭିମୁଖ୍ୟକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।
କଂଗ୍ରେସର ନିରବତାକୁ ନେଇ ପ୍ରଶ୍ନ
୧୯୯୧ ମେ ୨୧ରେ ତାମିଲନାଡୁର ଶ୍ରୀପେରୁମ୍ବୁଦୁରଠାରେ ଏକ ନିର୍ବାଚନୀ ସଭା ସମୟରେ ଏଲ୍ଟିଟିଇର ଆତ୍ମଘାତୀ ଆକ୍ରମଣରେ ରାଜୀବ ଗାନ୍ଧୀଙ୍କ ହତ୍ୟା ହୋଇଥିଲା। ଏହି ଘଟଣା କଂଗ୍ରେସର ରାଜନୈତିକ ଇତିହାସର ଏକ ସମ୍ବେଦନଶୀଳ ଅଧ୍ୟାୟ ହୋଇ ରହିଛି। ତେଣୁ VCK ମୁଖ୍ୟଙ୍କ ଗସ୍ତକୁ ନେଇ କଂଗ୍ରେସର ନିରବତା ବିଜେପିକୁ ଆକ୍ରମଣର ସୁଯୋଗ ଦେଇଛି।
ଅନ୍ୟପକ୍ଷରେ, ଥିରୁମାଭାଲଭନଙ୍କ ଏହି ଗସ୍ତ ଏଲ୍ଟିଟିଇର ସଶସ୍ତ୍ର କାର୍ଯ୍ୟକଳାପ କିମ୍ବା ରାଜୀବ ଗାନ୍ଧୀଙ୍କ ହତ୍ୟାକୁ ସମର୍ଥନ କରୁଥିବାର ପ୍ରମାଣ ନୁହେଁ। ଶ୍ରୀଲଙ୍କାର ତାମିଲ ଲୋକଙ୍କ ଅଧିକାର, ବିସ୍ଥାପନ ଓ ଯୁଦ୍ଧକାଳୀନ ମାନବାଧିକାର ପ୍ରସଙ୍ଗରେ ତାଙ୍କ ରାଜନୈତିକ ଆଗ୍ରହ ରହିଆସିଛି। ତଥାପି ଏହି ଗସ୍ତକୁ ନେଇ ତାମିଲନାଡୁର ରାଜନୀତିରେ ଆଗକୁ କି ପ୍ରତିକ୍ରିୟା ଆସୁଛି, ତାହା ଉପରେ ନଜର ରହିଛି।




