ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକ୍ଭାନ୍’ ଆଜି ସକାଳେ ଗୋପାଳପୁର ନିକଟରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ୭ଟା ୩୦ରୁ ୮ଟା ୩୦ ମିନିଟ୍ ମଧ୍ୟରେ ବାତ୍ୟାଟି ୧୯.୧° ଉତ୍ତର ଅକ୍ଷାଂଶ ଏବଂ ୮୪.୮° ପୂର୍ବ ଦ୍ରାଘିମା ନିକଟରେ ସ୍ଥଳଭାଗ ଛୁଇଁଛି। ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ରହିଥିବା ବେଳେ ଝଟକା ପବନର ବେଗ ଘଣ୍ଟାପ୍ରତି ୯୦ କିଲୋମିଟର ପର୍ଯ୍ୟନ୍ତ ରହିଥିଲା।
ପାଣିପାଗ ବିଭାଗର ସୂଚନା ମୁତାବକ, ବାତ୍ୟାର ଲ୍ୟାଣ୍ଡଫଲ୍ ବା ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଆଗାମୀ ୨ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ। ବର୍ତ୍ତମାନ ଏହି ବାତ୍ୟା ଧୀରେ ଧୀରେ ସ୍ଥଳଭାଗ ଭିତରକୁ ଅଗ୍ରସର ହେଉଛି, ଯାହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହିତ ଝଡ଼ତୋଫାନ ଜାରି ରହିବାର ସମ୍ଭାବନା ରହିଛି। ଏହା ପୂର୍ବରୁ ବାତ୍ୟାର ବାହ୍ୟ ମେଘ ସମୂହ ସ୍ଥଳଭାଗରେ ପ୍ରବେଶ କରିସାରିଥିବା ବେଳେ ସାଟେଲାଇଟ୍ ଚିତ୍ରରୁ ସକାଳ ସମୟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ସ୍ପଷ୍ଟ ହୋଇଥିଲା।
ଉପକୂଳ ଅତିକ୍ରମ କରିବା ପୂର୍ବରୁ ବାତ୍ୟା ‘ଅକ୍ଭାନ୍’ ଘଣ୍ଟାପ୍ରତି ପ୍ରାୟ ୨୩ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଥିଲା। ଆଜି ସକାଳ ୫ଟା ୩୦ ମିନିଟ୍ ସମୟରେ ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଗୋପାଳପୁରଠାରୁ ପ୍ରାୟ ୧୧୦ କିଲୋମିଟର ଦକ୍ଷିଣରେ ଏବଂ ପୁରୀଠାରୁ ୨୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଥିଲା।
ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ଦକ୍ଷିଣ ଓଡ଼ିଶା ଉପକୂଳ, ବିଶେଷ କରି ଗଞ୍ଜାମ ଜିଲ୍ଲାରେ ପ୍ରବଳ ପବନ ସାଙ୍ଗକୁ ମୂଷଳଧାରାରେ ବର୍ଷା ଦେଖିବାକୁ ମିଳିଛି। ଆଜି ସକାଳ ୭ଟା ୩୦ ମିନିଟ୍ ସୁଦ୍ଧା ବିଗତ ୨୩ ଘଣ୍ଟା ମଧ୍ୟରେ ଗୋପାଳପୁରରେ ରାଜ୍ୟର ସର୍ବାଧିକ ୧୮୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୧୧୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ବାତ୍ୟାର ସମ୍ଭାବ୍ୟ କ୍ଷୟକ୍ଷତିକୁ ଏଡ଼ାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ପ୍ରାୟ ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବା ସହ ଉଦ୍ଧାରକାରୀ ଦଳଙ୍କୁ ସଜାଗ ରଖାଯାଇଛି।




