ଭୁବନେଶ୍ୱର: ରାଜ୍ୟରେ ଇନ୍ଦିରା ଗାନ୍ଧୀ ଜାତୀୟ ଭିନ୍ନକ୍ଷମ ଭତ୍ତା ଯୋଜନା (IGNDPS) ଅଧୀନରେ ପଞ୍ଜୀକୃତ ହୋଇଥିବା ୭,୯୧୮ ଜଣ ଦିବ୍ୟାଙ୍ଗ ହିତାଧିକାରୀ ଆଧାର ଲିଙ୍କ୍ ଜନିତ ସମସ୍ୟା ଯୋଗୁଁ ସେମାନଙ୍କର ମାସିକ ଭତ୍ତା ପାଇନାହାନ୍ତି। ଶୁକ୍ରବାର ଦିନ ଓଡ଼ିଶା ବିଧାନସଭାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି।
ବିଧାୟକ ଗଣେଶ୍ୱର ବେହେରାଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ଗଣ୍ଡ ଗୃହକୁ ଏହି ସୂଚନା ଦେଇଛନ୍ତି। ବିଧାୟକ ଶ୍ରୀ ବେହେରା ରାଜ୍ୟରେ ଥିବା ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କର ଜିଲ୍ଲାୱାରୀ ଏବଂ ବର୍ଗୱାରୀ ତଥ୍ୟ ମାଗିବା ସହିତ ବିଭିନ୍ନ ଯୋଜନା ଅଧୀନରେ ସେମାନଙ୍କର ମାସିକ ଭତ୍ତା ବ୍ୟାଙ୍କ ଖାତାକୁ ଯାଉଛି କି ନାହିଁ ସେ ବିଷୟରେ ଜାଣିବାକୁ ଚାହିଁଥିଲେ। ଏହା ସହିତ କେତେ ଜଣ ହିତାଧିକାରୀ କେତେ ମାସ ଧରି ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ଏବଂ କେବେ ସୁଦ୍ଧା ସେମାନଙ୍କର ବକେୟା ଅର୍ଥ ପ୍ରଦାନ କରାଯିବ, ସେ ନେଇ ସେ ପ୍ରଶ୍ନ ଉଠାଇଥିଲେ।
ଏହାର ଉତ୍ତରରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ଜାତୀୟ ଗଣନା ତଥ୍ୟ ଅନୁଯାୟୀ ଓଡ଼ିଶାରେ ଇନ୍ଦିରା ଗାନ୍ଧୀ ଜାତୀୟ ଭିନ୍ନକ୍ଷମ ଭତ୍ତା ଯୋଜନା (IGNDPS) ଅଧୀନରେ ମୋଟ ୨୦,୩୩,୯୫୯ ଜଣ ହିତାଧିକାରୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଆଧାର ଲିଙ୍କ୍ ସମ୍ବନ୍ଧୀୟ ତ୍ରୁଟି ଯୋଗୁଁ ଗତ ଏପ୍ରିଲ ମାସଠାରୁ ବିଭିନ୍ନ ମାସରେ ୭,୯୧୮ ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଭତ୍ତା ଟଙ୍କା ଜମା ହୋଇପାରିନାହିଁ।
ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ, ଉପଯୁକ୍ତ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଚଳିତ ମାସ ଶେଷ ସୁଦ୍ଧା ସମ୍ପୃକ୍ତ ହିତାଧିକାରୀମାନଙ୍କୁ ସେମାନଙ୍କର ସମସ୍ତ ବକେୟା ଭତ୍ତା ପ୍ରଦାନ କରାଯିବ। ଏ ଦିଗରେ ବିଭାଗ ପକ୍ଷରୁ ଆବଶ୍ୟକୀୟ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯାଉଥିବା ମନ୍ତ୍ରୀ ଗୃହକୁ ଆଶ୍ୱାସନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ଡିଜିଟାଲ୍ ପେମେଣ୍ଟ ଓ ଆଧାର ସଂଯୋଗୀକରଣ ପ୍ରକ୍ରିୟା ଯୋଗୁଁ ବଞ୍ଚିତ ହୋଇଥିବା ଯୋଗ୍ୟ ହିତାଧିକାରୀମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରି ସେମାନଙ୍କୁ ନିୟମିତ ସାମାଜିକ ସୁରକ୍ଷା ଭତ୍ତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି।




