ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ବିକାଶ ଓ ପଛୁଆ ଅଞ୍ଚଳରେ ଭିତ୍ତିଭୂମିର ଉନ୍ନତି ପାଇଁ ଗଠିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (WODC)ର ଅନୁଦାନ ବିନିଯୋଗକୁ ନେଇ ସାମ୍ନାକୁ ଆସିଛି ଉଦ୍‌ବେଗଜନକ ତଥ୍ୟ। ଗତ ତିନି ଆର୍ଥିକ ବର୍ଷରେ ପରିଷଦକୁ ୧,୪୨୦ କୋଟି ଟଙ୍କା ଅନୁଦାନ ମିଳିଥିବା ବେଳେ ଏଥିରୁ ୯୫୫.୮୮ କୋଟି ଟଙ୍କା ଏଯାଏଁ ଖର୍ଚ୍ଚ ହୋଇପାରିନାହିଁ। ଅର୍ଥାତ୍ ମୋଟ ଅନୁଦାନର ପ୍ରାୟ ୬୭ ପ୍ରତିଶତ ଅର୍ଥ ଅବ୍ୟବହୃତ ହୋଇ ପଡ଼ିରହିଛି।

ବିଧାନସଭାରେ ବିଧାୟକ ଯୋଗେଶ କୁମାର ସିଂଙ୍କ ପକ୍ଷରୁ ଡବ୍ଲୁଓଡିସିର ଅନୁଦାନ ଓ ବ୍ୟୟ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ତଥ୍ୟ ଦେଇଛନ୍ତି।

ତିନି ବର୍ଷରେ ୧୪୨୦ କୋଟିର ଅନୁଦାନ

ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଅନୁସାରେ, ୨୦୨୩-୨୪ ଆର୍ଥିକ ବର୍ଷରେ ଡବ୍ଲୁଓଡିସିକୁ ୪୦୦ କୋଟି ଟଙ୍କା, ୨୦୨୪-୨୫ରେ ୫୨୦ କୋଟି ଟଙ୍କା ଏବଂ ୨୦୨୫-୨୬ରେ ୫୦୦ କୋଟି ଟଙ୍କା ଅନୁଦାନ ମିଳିଛି। ଏହି ତିନି ବର୍ଷରେ ମୋଟ ୧,୪୨୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି।

େଲେ ଅନୁଦାନ ଅନୁସାରେ ବିକାଶମୂଳକ କାର୍ଯ୍ୟରେ ବ୍ୟୟର ପରିମାଣ ଯଥେଷ୍ଟ କମ୍ ରହିଛି। ଉପଲବ୍ଧ ତଥ୍ୟ ଅନୁଯାୟୀ, ୨୦୨୩-୨୪ରେ ୪୦୦ କୋଟି ଟଙ୍କାରୁ ୨୩୦.୫୬ କୋଟି ଟଙ୍କା ଏବଂ ୨୦୨୪-୨୫ରେ ୫୨୦ କୋଟି ଟଙ୍କାରୁ ମାତ୍ର ୨୨୪.୬୦ କୋଟି ଟଙ୍କା ବ୍ୟୟ ହୋଇଛି। ଅନ୍ୟପକ୍ଷରେ ୨୦୨୫-୨୬ର ଅବ୍ୟୟିତ ଅର୍ଥକୁ ମିଶାଇ ମୋଟ ୯୫୫.୮୮ କୋଟି ଟଙ୍କା ଖର୍ଚ୍ଚ ହୋଇନଥିବା ଜଣାପଡ଼ିଛି।

ବିକାଶ ଲକ୍ଷ୍ୟ ହାସଲରେ ବାଧା

ପଶ୍ଚିମ ଓଡ଼ିଶାର ପଛୁଆ ଅଞ୍ଚଳଗୁଡ଼ିକରେ ଆଞ୍ଚଳିକ ବୈଷମ୍ୟ ଦୂର କରିବା, ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତାଘାଟ ଓ ଜଳସେଚନ ଭଳି ମୌଳିକ କ୍ଷେତ୍ରରେ ଉନ୍ନତି ଆଣିବା ଡବ୍ଲୁଓଡିସି ଗଠନର ପ୍ରମୁଖ ଉଦ୍ଦେଶ୍ୟ। ଏହା ଅଧୀନରେ ୩୬ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି।

କିନ୍ତୁ ବିପୁଳ ପରିମାଣର ଅନୁଦାନ ମିଳିବା ସତ୍ତ୍ୱେ ତାହାର ଉପଯୁକ୍ତ ବିନିଯୋଗ ହୋଇନପାରିବା ବିକାଶ ପ୍ରକ୍ରିୟାକୁ ପ୍ରଭାବିତ କରୁଛି। ଅନୁଦାନର ସଠିକ୍ ବିନିଯୋଗ, ପ୍ରକଳ୍ପ ଚୟନ ଓ କାର୍ଯ୍ୟାନ୍ୱୟନରେ ଗତି ଆଣିବା ସହ ଖର୍ଚ୍ଚ ହୋଇନଥିବା ଅର୍ଥର ସଦୁପଯୋଗ କରିବା ଏବେ ପରିଷଦ ପାଇଁ ବଡ଼ ଆହ୍ୱାନ ହୋଇଛି।