ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଛି। ବାଉଁଶନାଳ ଛକ ନିକଟରେ କାର୍‌ ଓ ମୋଟରସାଇକେଲ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଅନ୍ୟପଟେ କାର୍‌ରେ ଥିବା ଦୁଇ ଜଣ ମଧ୍ୟ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟା ସମୟରେ ନୀଳଗିରି ଏନ୍‌ଏସିର ୬ ନମ୍ବର ୱାର୍ଡ ମଙ୍ଗଳାସାହି ଗ୍ରାମର ତ୍ରିଲୋଚନ ମଲ୍ଲିକ ଓରଫ ପପୁ ଏବଂ ସିଂଲା ଥାନା ଅଞ୍ଚଳର ତାଙ୍କ ଜଣେ ବନ୍ଧୁ ଏକ ହୁଣ୍ଡାଇ କାର୍‌ରେ ନୀଳଗିରିରୁ ସଜନାଗଡ଼ ଅଭିମୁଖେ ଯାଉଥିଲେ। ସେହି ସମୟରେ ଜଡ଼ିଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡେଙ୍ଗାସାହି ଗ୍ରାମର ମାନସ ସିରେନ (୩୨) ଓ କୁଶ ସିଂ (୪୨) ଏକ ପଲସର ବାଇକ୍‌ରେ ବିପରୀତ ଦିଗରୁ ଆସୁଥିଲେ।

ବାଉଁଶନାଳ ଛକ ନିକଟସ୍ଥ ଜେଡି ଇଟାଭାଟି ସମ୍ମୁଖରେ ଉଭୟ ଗାଡ଼ି ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା। ଧକ୍କାର ପ୍ରଭାବ ଏତେ ତୀବ୍ର ଥିଲା ଯେ ବାଇକ୍‌ରେ ଥିବା ମାନସ ଓ କୁଶଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

କାର୍‌ରେ ଥିବା ଦୁଇ ଜଣ ଆହତ

ଦୁର୍ଘଟଣାରେ କାର୍‌ ଚଳାଉଥିବା ତ୍ରିଲୋଚନ ମଲ୍ଲିକଙ୍କ ମୁହଁ, ମୁଣ୍ଡ ଓ ଆଖିରେ ଗଭୀର ଆଘାତ ଲାଗିଛି। ତାଙ୍କୁ ତୁରନ୍ତ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କାର୍‌ରେ ଥିବା ଅନ୍ୟ ଜଣେ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ତେବେ ସେ ଘଟଣାସ୍ଥଳ ଛାଡ଼ି ଚାଲିଯାଇଥିବା ସୂଚନା ମିଳିଛି।

ତଦନ୍ତ ଆରମ୍ଭ କଲା ପୋଲିସ

ଦୁର୍ଘଟଣା ଖବର ପାଇ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତକଙ୍କ ମୃତଦେହ ଉଦ୍ଧାର କରି ନୀଳଗିରି ମେଡିକାଲକୁ ନେଇଥିଲା। ଦୁର୍ଘଟଣାରେ ସମ୍ପୃକ୍ତ କାର୍‌ ଓ ବାଇକ୍‌କୁ ଜବତ କରି ଥାନାକୁ ନିଆଯାଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶନିବାର ମୃତଦେହଗୁଡ଼ିକର ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।