ଭୁବନେଶ୍ୱର: ରାଜୀବ ଭବନ ସ୍ଥିତ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ବାତ୍ୟା ପରବର୍ତ୍ତୀ ସ୍ଥିତି, ଜନସୁରକ୍ଷା ଏବଂ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିବା ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ସବିଶେଷ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିବା ପରେ ବାତ୍ୟା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିଛି ଏବଂ ଏହା ନୟାଗଡ଼, ଅନୁଗୁଳ ଓ ସମ୍ବଲପୁର ଦେଇ ଝାଡ଼ଖଣ୍ଡ ଆଡ଼କୁ ଅଗ୍ରସର ହେଉଛି। ଓଡ଼ିଶା ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୫୫-୬୫ କିଲୋମିଟର ରହିଥିଲା ଏବଂ ଏହା ଧୀରେ ଧୀରେ ଦୁର୍ବଳ ହୋଇ ଗଭୀର ଅବପାତ ଓ ପରେ ଅବପାତରେ ପରିଣତ ହୋଇଛି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ କେନ୍ଦୁଝର, ଯାଜପୁର, ଢ଼େଙ୍କାନାଳ, କଟକ, ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ବର୍ଷା ହୋଇପାରେ। ଝାଡ଼ଖଣ୍ଡରେ ମଧ୍ୟମ ଧରଣର ବର୍ଷା ଆଶଙ୍କା ଥିବାରୁ ରାଜ୍ୟ ସରକାର ଝାଡ଼ଖଣ୍ଡ ଜଳସମ୍ପଦ ବିଭାଗ ସହ ସମନ୍ୱୟ ରକ୍ଷା କରିଛନ୍ତି। ଡ୍ୟାମ୍‌ଗୁଡ଼ିକରେ ପର୍ଯ୍ୟାପ୍ତ ଜଳ ଧାରଣ କ୍ଷମତା ଥିବାରୁ କୌଣସି ଅତିରିକ୍ତ ଜଳ ନିଷ୍କାସନ କରାଯିବ ନାହିଁ ବୋଲି ଝାଡ଼ଖଣ୍ଡ କର୍ତ୍ତୃପକ୍ଷ ଆଶ୍ୱାସନା ଦେଇଛନ୍ତି।

ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟର ୨୦ଟି ଜିଲ୍ଲାର ୧୯୭ଟି ବ୍ଲକ ଓ ୫୬ଟି ପୌରାଞ୍ଚଳ ଅଧୀନରେ ଥିବା ୬,୨୦୧ଟି ପ୍ରଭାବିତ ଅଞ୍ଚଳକୁ ଚିହ୍ନଟ କରାଯାଇଥିଲା। ବିପଦସଙ୍କୁଳ ସ୍ଥାନରୁ ମୋଟ ୪,୪୦,୪୬୧ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରସ୍ତୁତ ହୋଇଥିବା ପ୍ରାୟ ୧୦,୦୦୦ ଆଶ୍ରୟସ୍ଥଳୀ ମଧ୍ୟରୁ ବର୍ତ୍ତମାନ ୩,୬୫୩ଟି କାର୍ଯ୍ୟକ୍ଷମ ରହିଛି, ଯେଉଁଠାରେ ଲୋକଙ୍କୁ ରନ୍ଧା ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉଛି। ବିଶେଷ କରି ଆସନ୍ନ ପ୍ରସବା ମହିଳାଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇ ଚିହ୍ନଟ ହୋଇଥିବା ୧୨,୩୦୫ ଜଣଙ୍କ ମଧ୍ୟରୁ ୫,୬୭୪ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ୨,୩୧୬ ଜଣ ମହିଳା ସୁରକ୍ଷିତ ଭାବେ ସନ୍ତାନ ପ୍ରସବ କରିଛନ୍ତି।

ମହାନଦୀ, ଦେବୀ, କୁଶଭଦ୍ରା, ଇବ୍, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ଜଳକା ଏବଂ ଋଷିକୂଲ୍ୟା ସମେତ ସମସ୍ତ ପ୍ରମୁଖ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି। କିଛି ସ୍ଥାନରେ ସାମାନ୍ୟ ଭୂସ୍ଖଳନ ଓ ୧୫ରୁ ୨୦ଟି ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ଅଗ୍ନିଶମ ବାହିନୀ, ଏନଡିଆରଏଫ୍ ଓ ଓଡ୍ରାଫ୍ ଟିମ୍ ତୁରନ୍ତ ରାସ୍ତା ସଫା କରି ଯାତାୟାତ ସ୍ୱାଭାବିକ କରିଛନ୍ତି। ରାଜ୍ୟରେ କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଅଘଟଣ ଘଟିନାହିଁ। ବାତିଲ ହୋଇଥିବା କିଛି ଟ୍ରେନ୍ ଓ ବିମାନ ସେବା ଧୀରେ ଧୀରେ ସ୍ୱାଭାବିକ ହେଉଛି। ସମସ୍ତ ବିଭାଗର ସମନ୍ୱୟ ଓ ଆଗୁଆ ପ୍ରସ୍ତୁତି ଯୋଗୁଁ ପରିସ୍ଥିତିକୁ ସଫଳତାର ସହ ନିୟନ୍ତ୍ରଣ କରାଯାଇପାରିଥିବା ବେଳେ ମୟୂରଭଞ୍ଜ ଓ ବାଲେଶ୍ୱର ସମେତ ବର୍ଷା ପ୍ରଭାବିତ ଜିଲ୍ଲାବାସୀଙ୍କୁ ଆଗାମୀ ୨୪ ଘଣ୍ଟା ସତର୍କ ରହିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।