ଟୋକିଓ: ଶନିବାର ଦିନ ମଧ୍ୟ ପେରୁରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ରେକର୍ଡ କରାଯାଇଥିବା ଆମେରିକୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଶନିବାର ୦୦୦୯ ଜିଏମ୍‌ଟି ସମୟରେ ଏହି ଭୂମିକମ୍ପ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୦୮.୦ କିଲୋମିଟର ଗଭୀରତାରେ ରହିଥିଲା। ଭୂମିକମ୍ପର ଅବସ୍ଥିତି ୧୦.୮୫ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶ ଏବଂ ୭୫.୯୮ ଡିଗ୍ରୀ ପଶ୍ଚିମ ଦ୍ରାଘିମାରେ ଚିହ୍ନଟ କରାଯାଇଛି।

ଭୂମିକମ୍ପର ଝଟକା ଏତେ ତୀବ୍ର ଥିଲା ଯେ ରାଜଧାନୀ ଲିମାରେ ଲୋକମାନେ ଭୟଭୀତ ହୋଇ ନିଜ ନିଜ ଘରୁ ବାହାରକୁ ଦୌଡ଼ି ଆସିଥିଲେ। ତେବେ ଏହି ଭୂମିକମ୍ପ ପରେ କୌଣସି ସୁନାମୀ ସତର୍କତା କିମ୍ବା ବିପଦ ନଥିବା ଆମେରିକୀୟ ସୁନାମୀ ସତର୍କତା ପ୍ରଣାଳୀ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ ଏଥିରେ କୌଣସି ବଡ଼ ଧରଣର ଜୀବନହାନୀ ଘଟିନଥିବା ବେଳେ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି।

ଅନ୍ୟପକ୍ଷରେ, ଦକ୍ଷିଣ-ପଶ୍ଚିମ ଜାପାନର କୁମାମୋଟୋ ପ୍ରଦେଶରେ ଗୁରୁବାର ଭୋର ସମୟରେ ୫.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହେବା ପରେ ଜାପାନ ପାଣିପାଗ ଏଜେନ୍ସି (JMA) ସ୍ଥାନୀୟ ବାସିନ୍ଦାଙ୍କୁ ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦେଇଛି। ସ୍ଥାନୀୟ ସମୟ ଭୋର ୨ଟା ୨୨ ମିନିଟ୍‌ରେ ହୋଇଥିବା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଆମାକୁସା-ଆଶିକିତା ଅଞ୍ଚଳର ପ୍ରାୟ ୧୦ କିଲୋମିଟର ଗଭୀରତାରେ ଥିଲା। ଜାପାନର ଭୂକମ୍ପ ତୀବ୍ରତା ସ୍କେଲ (୦ରୁ ୭) ରେ ଏହାର ତୀବ୍ରତା ‘ଲୋୟର ୫’ ରେକର୍ଡ କରାଯାଇଥିବା ବେଳେ କୌଣସି ସୁନାମୀ ସତର୍କତା ଜାରି କରାଯାଇ ନଥିଲା।

ଭୂମିକମ୍ପ ଯୋଗୁଁ ମିନମାତା ଏବଂ କୁମା ପୌର ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହିତ ହାକାତା ଏବଂ କାଗୋଶିମା-ଚୁଓ ଷ୍ଟେସନ ମଧ୍ୟରେ ୮ଟି କ୍ୟୁଶୁ ଶିନକାନସେନ ବୁଲେଟ୍ ଟ୍ରେନ୍ ସେବା ବାତିଲ କରାଯିବାରୁ ପ୍ରାୟ ୫,୬୦୦ ଯାତ୍ରୀ ପ୍ରଭାବିତ ହୋଇଥିଲେ। କ୍ୟୁଶୁ ସମେତ ଶିକୋକୁ ଏବଂ ହୋନଶୁର କିଛି ଅଞ୍ଚଳରେ ମଧ୍ୟ ଏହାର ଝଟକା ଅନୁଭୂତ ହୋଇଥିଲା। ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୨୮ ତାରିଖରେ କୁମାମୋଟୋ ପ୍ରଦେଶରେ ୭.୧ ତୀବ୍ରତାର ଏକ ଭୟଙ୍କର ଭୂମିକମ୍ପରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଅଗଷ୍ଟ ୧ ପରଠାରୁ ଗୁରୁବାରର ଏହି ଭୂମିକମ୍ପ ପ୍ରଥମ ଥର ପାଇଁ ୫ କିମ୍ବା ତା’ଠାରୁ ଅଧିକ ତୀବ୍ରତା ରେକର୍ଡ କରିଛି। ଏହା ପୂର୍ବରୁ ଅଗଷ୍ଟ ମାସରେ ଟୋକିଓର ଉତ୍ତର-ପୂର୍ବରେ ଥିବା ଇବାରାକି ପ୍ରଦେଶରେ ୫.୯ ତୀବ୍ରତାର ଭୂମିକମ୍ପ ଯୋଗୁଁ ଅତି କମ୍‌ରେ ୩୭ ଜଣ ଆହତ ହୋଇଥିଲେ। ଏହି ଭୂମିକମ୍ପ ଯୋଗୁଁ କିଛି ଅଞ୍ଚଳରେ ଜଳ ପାଇପ୍ ଫାଟିବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଛି।