ଭୁବନେଶ୍ୱର: ୨୦୨୬-୨୭ ଖରିଫ୍ ବିପଣନ ଋତୁରେ ଓଡ଼ିଶାରୁ ୭୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଖରିଫ୍ ଓ ରବି ଉଭୟ ଋତୁକୁ ମିଶାଇ ମୋଟ ୯୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରିବାକୁ ଯୋଜନା ରହିଛି। ଏନେଇ ଶନିବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଧାନ ସଂଗ୍ରହ କମିଟିର ବୈଠକ ଅନୁଷ୍ଠିତ ହୋଇଛି।
ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି ୨୨.୨୭ ଲକ୍ଷ ଚାଷୀ
ଚଳିତ ଖରିଫ୍ ଋତୁରେ ଧାନ ବିକ୍ରି କରିବା ପାଇଁ ରାଜ୍ୟର ୨୨.୨୭ ଲକ୍ଷ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଗତ ବର୍ଷ ଏହି ସଂଖ୍ୟା ୧୯.୬୭ ଲକ୍ଷ ଥିବାବେଳେ ଚଳିତ ବର୍ଷ ପଞ୍ଜୀକରଣରେ ପ୍ରାୟ ୧୩ ପ୍ରତିଶତ ବୃଦ୍ଧି ଘଟିଛି।
ଧାନ କିଣା ପରେ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ସିଧାସଳଖ ପଠାଇବା ବ୍ୟବସ୍ଥା ରହିଛି। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସହ ପ୍ରକୃତ ଜମି ଚାଷ କରୁଥିବା ଚାଷୀ ଏବଂ ଭାଗଚାଷୀଙ୍କଠାରୁ ଧାନ ସଂଗ୍ରହ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ବୈଠକରେ ଆଲୋଚନା ହୋଇଛି।
ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ ଖରିଫ୍ ଧାନ କ୍ରୟ
ଚଳିତ ବର୍ଷ ନଭେମ୍ବର ୧ରୁ ଖରିଫ୍ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ୨୦୨୭ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଜାରି ରହିବ। ତେବେ ବାତ୍ୟା ଓ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ କେତେକ ଜିଲ୍ଲାରେ ଚାଲୁ ରହିଥିବାରୁ ଅମଳ ସ୍ଥିତିକୁ ଦେଖି ଜିଲ୍ଲାସ୍ତରୀୟ କମିଟି ଧାନ କ୍ରୟ ଆରମ୍ଭ ତାରିଖ ନିର୍ଦ୍ଧାରଣ କରିବେ। ଏଥିପାଇଁ ଜିଲ୍ଲାସ୍ତରରେ ଶୀଘ୍ର ନିଷ୍ପତ୍ତି ନେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।
ଗତ ଋତୁରେ ସଂଗୃହୀତ ହୋଇଥିଲା ୯୭.୯୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ
ବୈଠକରେ ଗତ ୨୦୨୫-୨୬ ବିପଣନ ଋତୁର ଧାନ ସଂଗ୍ରହ ତଥ୍ୟ ମଧ୍ୟ ଉପସ୍ଥାପନ କରାଯାଇଥିଲା। ସେହି ଋତୁରେ ଖରିଫ୍ରୁ ୭୭.୪୮ ଲକ୍ଷ ମେଟ୍ରିକ୍ ଟନ୍ ଏବଂ ରବିରୁ ୨୦.୪୬ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା। ଏହି ଧାନରୁ ଉତ୍ପାଦିତ ଚାଉଳ ସଂଗ୍ରହ ପ୍ରକ୍ରିୟା ମଧ୍ୟ ଜାରି ରହିଛି।
ଖରିଫ୍ ୨୦୨୬-୨୭ ପାଇଁ ରାଜ୍ୟ ସରକାର ଖାଦ୍ୟ ଓ ଧାନ ସଂଗ୍ରହ ନୀତିକୁ ପୂର୍ବରୁ ଅନୁମୋଦନ କରିସାରିଛନ୍ତି। ଏହି ନୀତି ଅନୁଯାୟୀ ଚାଷୀଙ୍କୁ ଧାନର କ୍ୱିଣ୍ଟାଲ୍ ପିଛା ଏମ୍ଏସ୍ପି ଓ ଇନ୍ପୁଟ୍ ସହାୟତା ମିଶାଇ ମୋଟ ୩,୧୦୦ ଟଙ୍କା ମିଳିବ। ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ସହ ଚାଷୀଙ୍କୁ ଠିକ୍ ସମୟରେ ଅର୍ଥ ପ୍ରଦାନ କରିବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି।
ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର, ସମବାୟ ବିଭାଗର କମିସନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଭାରତୀୟ ଖାଦ୍ୟ ନିଗମର ପ୍ରତିନିଧି ଯୋଗ ଦେଇଥିଲେ। ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ବୈଠକରେ ସାମିଲ ହୋଇଥିଲେ।




