ଭୁବନେଶ୍ୱର: ରାଜସ୍ୱ ବିଭାଗର କାର୍ଯ୍ୟାଳୟ ପାଇଁ ଭୁବନେଶ୍ୱରରେ ‘ରାଜସ୍ୱ ଭବନ’ ନାମରେ ଏକ ବହୁତଳ ବିଶିଷ୍ଟ କୋଠା ନିର୍ମାଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି। ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁବ୍ୟବସ୍ଥିତ ଓ ଆଧୁନିକ କରିବା ଦିଗରେ ଏହି ପଦକ୍ଷେପକୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବେ ବିବେଚନା କରାଯାଉଛି।

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ଭୁବନେଶ୍ୱରରେ ଏକ ୯ ମହଲା ବିଶିଷ୍ଟ କୋଠା ନିର୍ମାଣ କରାଯିବ। ଅତ୍ୟାଧୁନିକ ବ୍ୟବସ୍ଥା ଓ ସୁବିଧା ସହିତ ନିର୍ମିତ ହେବାକୁ ଥିବା ଏହି କୋଠାରେ ଭୂତଳ ମହଲା ତଳେ ଦୁଇଟି ବେସ୍‌ମେଣ୍ଟ ରହିବ। ଏହା ଦ୍ୱାରା କାର୍ଯ୍ୟାଳୟ ପରିଚାଳନା ସହ ପାର୍କିଂ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ପାଇଁ ଉତ୍ତମ ବ୍ୟବସ୍ଥା ହୋଇପାରିବ।

ଏହି ପ୍ରକଳ୍ପ ନିର୍ମାଣ ପାଇଁ ମୋଟ ୩୪୭.୮୬ କୋଟି ଟଙ୍କା ବ୍ୟୟ କରାଯିବ। ରାଜସ୍ୱ ବିଭାଗର ସମସ୍ତ ପ୍ରଶାସନିକ ବ୍ୟବସ୍ଥାକୁ ଏହି କୋଠାରେ ଗୋଟିଏ ଛାତ ତଳେ ରଖିବା ଦ୍ୱାରା ରାଜସ୍ୱ ବ୍ୟବସ୍ଥାର ସୁପରିଚାଳନା ଏବଂ ରାଜସ୍ୱ ସଂଗ୍ରହ ପ୍ରକ୍ରିୟା ସହଜ ଓ ସୁବ୍ୟବସ୍ଥିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମାଝୀ ଆଶା ବ୍ୟକ୍ତ କରିଛନ୍ତି।

ବିଭିନ୍ନ ରାଜସ୍ୱ ଶାଖା ଓ ପ୍ରଶାସନିକ ୟୁନିଟ୍‌ଗୁଡ଼ିକ ଗୋଟିଏ ସ୍ଥାନରେ କାର୍ଯ୍ୟକ୍ଷମ ହେଲେ ବିଭାଗୀୟ ସମନ୍ୱୟ ବୃଦ୍ଧି ପାଇବ ଏବଂ ସାଧାରଣ ଲୋକଙ୍କୁ ତ୍ୱରିତ ଓ ସୁବିଧାଜନକ ସେବା ମିଳିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।