ନୂଆଦିଲ୍ଲୀ: ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆସନ ବୁଝାମଣା ସମ୍ପର୍କରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି (SP) ମଧ୍ୟରେ ସୋମବାରଠାରୁ ମିଳିତ ବୈଠକ ଆରମ୍ଭ ହେବାକୁ ଯାଉଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମେଣ୍ଟ ସହଯୋଗୀମାନଙ୍କ ଦ୍ୱାରା ଦାବି କରାଯାଉଥିବା ଆସନ ସଂଖ୍ୟା ଉପରେ ବିଚାରବିମର୍ଶ ପାଇଁ ପ୍ରଥମ ବୈଠକ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀଙ୍କ ବାସଭବନରେ ଅନୁଷ୍ଠିତ ହେବ।
ଏହି ଆଲୋଚନା ପାଇଁ ସମାଜବାଦୀ ପାର୍ଟି ପକ୍ଷରୁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏକ ପୋଷ୍ଟ ମାଧ୍ୟମରେ ଦଳ ସୂଚନା ଦେଇଛି ଯେ, ସପାର ଜାତୀୟ ସାଧାରଣ ସମ୍ପାଦକ ତଥା ସାଂସଦ ରାମ ଗୋପାଳ ଯାଦବ, ଉତ୍ତର ପ୍ରଦେଶ ସଭାପତି ଶ୍ୟାମଲାଲ ପାଲ ଏବଂ ସାଂସଦ ରାଜୀବ ରାୟ ଓ ଇକରା ହସନ ଏହି କମିଟିର ସଦସ୍ୟ ରହିଛନ୍ତି, ଯେଉଁମାନେ ଦଳ ପକ୍ଷରୁ ଆଲୋଚନାର ନେତୃତ୍ୱ ନେବେ।
ରବିବାର କଂଗ୍ରେସ ସାଂସଦ ଇମ୍ରାନ ମସୁଦ ନିର୍ବାଚନରେ ‘ଇଣ୍ଡିଆ’ ମେଣ୍ଟର ବିଜୟ ସୁନିଶ୍ଚିତ କରିବା ପାଇଁ ସହଯୋଗୀ ଦଳଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଅନ୍ୟପକ୍ଷରେ, ସମାଜବାଦୀ ପାର୍ଟି ସାଂସଦ ଅବଧେଶ ପ୍ରସାଦ ସମ୍ବାଦ ସରବରାହ ସଂସ୍ଥା IANS ସହ ଆଲୋଚନା ବେଳେ ଆସନ ବଣ୍ଟନକୁ ନେଇ ମେଣ୍ଟ ସହଯୋଗୀଙ୍କ ମଧ୍ୟରେ କୌଣସି ମତଭେଦ ଥିବା ସମ୍ଭାବନାକୁ ଖଣ୍ଡନ କରିଛନ୍ତି। ପ୍ରସାଦ କହିଛନ୍ତି ଯେ, ବିଜେପି ସରକାରକୁ କ୍ଷମତାରୁ ହଟାଇବାର ସାଧାରଣ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ସବୁକିଛି ସୁଚିନ୍ତିତ ଭାବେ ଆଲୋଚନା ଓ ନିଷ୍ପତ୍ତି ନିଆଯାଉଛି।
କଂଗ୍ରେସ ମୁଖପାତ୍ର ସୁରେନ୍ଦ୍ର ରାଜପୁତ IANSକୁ ସୂଚନା ଦେଇ କହିଛନ୍ତି ଯେ, ସମାଜର ଅବହେଳିତ ଏବଂ ପଛୁଆ ବର୍ଗଙ୍କୁ ଉପଯୁକ୍ତ ରାଜନୈତିକ ପ୍ରତିନିଧିତ୍ୱ ଦେବା ଉପରେ ମେଣ୍ଟ ଗୁରୁତ୍ୱ ଦେଉଛି। ସେ କହିଛନ୍ତି ଯେ, ନଳ, ନୀଳ, କୋଲ, ଭିଲ ସମ୍ପ୍ରଦାୟ ସମେତ ପଛୁଆ ବର୍ଗ, ଦଳିତ, ଆଦିବାସୀ, ମହିଳା, ଯୁବକ, କୃଷକ ଏବଂ ସଂଖ୍ୟାଲଘୁ ବର୍ଗର ପ୍ରତିନିଧିମାନଙ୍କୁ ବିଧାନସଭାକୁ ପଠାଇବା ପାଇଁ ପ୍ରୟାସ କରାଯିବ।
ପୂର୍ବରୁ ଶନିବାର ଗଣମାଧ୍ୟମକୁ ସମ୍ବୋଧିତ କରି ସପା ମୁଖ୍ୟ ଅଖିଳେଶ ଯାଦବ ଆସନ ବଣ୍ଟନ କ୍ଷେତ୍ରରେ ‘ଜିତିବାର ସମ୍ଭାବନା’ ଉପରେ ଗୁରୁତ୍ୱ ଦେଇଥିଲେ। ଯାଦବ କହିଥିଲେ ଯେ, ଆଲୋଚନା ଜାରି ରହିଛି ଏବଂ ଜିତିବାର କ୍ଷମତା ହିଁ ଆସନ ବଣ୍ଟନର ମୂଳ ଆଧାର ହେବା ଉଚିତ। ବିଭିନ୍ନ ଦିଗକୁ ତର୍ଜମା କଲେ ଜଣାପଡ଼ୁଛି ଯେ ଏବେ ବି ଅନେକ ଆସନ ରହିଛି ଯେଉଁଠାରେ କଂଗ୍ରେସ ଜିତିପାରିବ ଏବଂ ଏନେଇ ଦଳ ପକ୍ଷରୁ ପରାମର୍ଶ ଦିଆଯିବ ବୋଲି ଅଖିଳେଶ ଯାଦବ ପ୍ରକାଶ କରିଛନ୍ତି।




