ଅନୁଗୁଳ: ତାଳଚେର ସହରରେ ବାୟୁ ପ୍ରଦୂଷଣ ରୋକିବା ଦିଗରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ (NGT) ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ସହରର ହୋଟେଲ, ଢାବା, ରେସ୍ତୁରାଁ ଓ ରାସ୍ତାକଡ଼ ଖାଦ୍ୟ ଦୋକାନରେ ରନ୍ଧାବଢ଼ା ପାଇଁ କୋଇଲା ବ୍ୟବହାର ବନ୍ଦ କରିବାକୁ ଆବଶ୍ୟକ ପଦକ୍ଷେପ ନେବା ଲାଗି ଟ୍ରିବ୍ୟୁନାଲ ରାଜ୍ୟ ସରକାରଙ୍କୁ କହିଛନ୍ତି। ଏଥିପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ଦୁଇ ମାସ ମଧ୍ୟରେ ପଦକ୍ଷେପ ନେବା ସହ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି।
କୋଇଲା ଧୂଆଁରେ ବଢ଼ୁଛି ସହରର ପ୍ରଦୂଷଣ
ତାଳଚେର ଦେଶର ଅନ୍ୟତମ ପ୍ରଦୂଷିତ ସହର ଭାବେ ପରିଚିତ। କଳକାରଖାନା ଓ ଖଣି ଖନନ ସହିତ ହୋଟେଲ, ଢାବା ଏବଂ ରାସ୍ତାକଡ଼ ଖାଦ୍ୟ ଦୋକାନରେ କୋଇଲା ଜାଳିବା ମଧ୍ୟ ବାୟୁ ପ୍ରଦୂଷଣର ଏକ କାରଣ ବୋଲି ଆବେଦନରେ ଦର୍ଶାଯାଇଛି।
ସୂଚନା ଅଧିକାର କର୍ମୀ ଦେବପ୍ରସାଦ ସାହୁ ଏହି ସମସ୍ୟା ନେଇ ପୂର୍ବରୁ ଏକାଧିକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ଆବଶ୍ୟକ ପଦକ୍ଷେପ ନିଆନଯିବାରୁ ସେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଥିଲେ।
୨୦୧୬ର କଟକଣା ଲାଗୁ ହେଉନଥିବା ଅଭିଯୋଗ
ଆବେଦନକାରୀଙ୍କ ଯୁକ୍ତି ଅନୁଯାୟୀ, ତାଳଚେରର ଅନେକ ହୋଟେଲ, ଢାବା ଓ ରାସ୍ତାକଡ଼ ଖାଦ୍ୟ ଦୋକାନରେ ରନ୍ଧାବଢ଼ା ପାଇଁ କଞ୍ଚା କୋଇଲା ବ୍ୟବହାର କରାଯାଉଛି। ଏଥିରୁ ନିର୍ଗତ ଧୂଆଁ ସହରର ବାୟୁକୁ ଆହୁରି ପ୍ରଦୂଷିତ କରୁଛି। ବିଶେଷକରି ପ୍ରାତଃଭ୍ରମଣକାରୀ ଓ ରାସ୍ତାରେ ଯାତାୟାତ କରୁଥିବା ଲୋକେ ଏହାର ପ୍ରଭାବରେ ପଡ଼ୁଛନ୍ତି।
ରାଜ୍ୟ ପରିବେଶ ବିଭାଗର ୨୦୧୬ ମସିହାର ବିଜ୍ଞପ୍ତିରେ ଅନୁଗୁଳ ସମେତ କେତେକ ଜିଲ୍ଲାର ହୋଟେଲ ଓ ଢାବାରେ କୋଇଲା ଜାଳିବା ଉପରେ କଟକଣା ଥିବା ସତ୍ତ୍ୱେ ଏହାର କଡ଼ାକଡ଼ି ଅନୁପାଳନ ହେଉନଥିବା ସେ ଅଭିଯୋଗ କରିଥିଲେ। ବାଣିଜ୍ୟିକ ଏଲ୍ପିଜି ଉପଲବ୍ଧ ଥିବା ସତ୍ତ୍ୱେ ଖର୍ଚ୍ଚ କମାଇବା ପାଇଁ କେତେକ ବ୍ୟବସାୟୀ କୋଇଲା ବ୍ୟବହାର କରୁଥିବା ମଧ୍ୟ ଆବେଦନରେ ଦର୍ଶାଯାଇଥିଲା।
ଉଚ୍ଚସ୍ତରୀୟ କମିଟିରେ ରହିବେ ତିନି ଶୀର୍ଷ ଅଧିକାରୀ
ମାମଲାର ଶୁଣାଣି କରି NGTର ତିନିଜଣିଆ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ କହିଛନ୍ତି। ଏହି କମିଟିରେ ମୁଖ୍ୟ ଶାସନ ସଚିବ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ଏବଂ ପରିବେଶ ବିଭାଗର ସଚିବ ସାମିଲ ହେବେ।
କମିଟି ଦୁଇ ମାସ ମଧ୍ୟରେ ଆବଶ୍ୟକ ପଦକ୍ଷେପ ନେଇ ଟ୍ରିବ୍ୟୁନାଲଙ୍କ ନିକଟରେ ସତ୍ୟପାଠ ଦାଖଲ କରିବ। ତେବେ ହୋଟେଲ, ଢାବା କିମ୍ବା ଜଳଖିଆ ଦୋକାନ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ସମ୍ପୃକ୍ତ ବ୍ୟବସାୟୀଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ଦେବାକୁ ମଧ୍ୟ NGT ସ୍ପଷ୍ଟ କରିଛନ୍ତି।
ତାଳଚେରର ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ଏହି ନିର୍ଦ୍ଦେଶକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।




