ରାୟଗଡ଼ା: ଗଞ୍ଜେଇ ଚାଷ ବିରୋଧରେ ଅଭିଯାନ ଜାରି ରଖିଛି ମୁନିଗୁଡ଼ା ପୁଲିସ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅଧୀନ ଚନ୍ଦ୍ରପୁର ବ୍ଲକର ଗୁଣ୍ଡୁରିଗୁଡ଼ା ଗ୍ରାମ ନିକଟ ଏକ ଜମିରେ ଚଢ଼ାଉ କରି ପୁଲିସ ୯୮୮ଟି ଗଞ୍ଜେଇ ଗଛ ନଷ୍ଟ କରିଛି। ଏହି ଘଟଣାରେ ଗଞ୍ଜେଇ ଚାଷ କରିବା ଅଭିଯୋଗରେ ଦାଶ କୁମୁରିକା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ଗୁଇନ୍ଦା ସୂଚନା ଆଧାରରେ ଚଢ଼ାଉ

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗୁଇନ୍ଦା ସୂଚନା ପାଇବା ପରେ ରାୟଗଡ଼ା ଏସ୍‌ପି ରାଜ ପ୍ରସାଦଙ୍କ ନିର୍ଦ୍ଦେଶରେ ମୁନିଗୁଡ଼ା ଥାନା ଆଇଆଇସି ଲଳିତ ମୋହନ ସାଗରଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ରେ ଏସ୍‌ଆଇ ଉର୍ମିଳା ସେଠୀଙ୍କ ସମେତ ମହେନ୍ଦ୍ର ହାଂସଦା ଓ ମନୋରଞ୍ଜନ ବିଶ୍ୱାଳ ସାମିଲ ଥିଲେ।

ଚଢ଼ାଉ ସମୟରେ ଚନ୍ଦ୍ରପୁର ତହସିଲଦାର ମାଜିଷ୍ଟ୍ରେଟ୍‌ ଭାବେ ଉପସ୍ଥିତ ଥିଲେ। ଏହାସହ ରାଜସ୍ୱ ବିଭାଗ, କୃଷି ବିଭାଗର କର୍ମଚାରୀ ଏବଂ ଆଇଆର୍‌ବି ପୁଲିସ ବାହିନୀ ମଧ୍ୟ ଅଭିଯାନରେ ସାମିଲ ହୋଇଥିଲେ।

୪ରୁ ୫ ଫୁଟ ଉଚ୍ଚତାର ଗଛ ନଷ୍ଟ

ଚଢ଼ାଉ ବେଳେ ଜମିରୁ ୯୮୮ଟି ଗଞ୍ଜେଇ ଗଛ ଠାବ କରାଯାଇଥିଲା। ଗଛଗୁଡ଼ିକର ଉଚ୍ଚତା ପ୍ରାୟ ୪ରୁ ୫ ଫୁଟ ଥିଲା। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୁଲିସ ଗଛଗୁଡ଼ିକୁ କାଟିବା ପରେ ପୋଡ଼ି ନଷ୍ଟ କରିଥିଲା। ତେବେ ପରୀକ୍ଷା ପାଇଁ ଦୁଇଟି ଗଛ ପୁଲିସ ଜବତ କରି ଆଣିଥିବା ଜଣାପଡ଼ିଛି।

ଏହି ମାମଲାରେ ବୋରିଖାଲ ଗ୍ରାମର ଦାଶ କୁମୁରିକାଙ୍କୁ ଏନ୍‌ଡିପିଏସ୍‌ ଆଇନର ଧାରା ୨୦(ଏ)(i) ଅନୁଯାୟୀ ଗିରଫ କରାଯାଇଛି। ପରେ ତାଙ୍କୁ ବିଚାର ବିଭାଗୀୟ ଅଦାଲତକୁ ପଠାଯାଇଛି।

ପୂର୍ବରୁ ମଧ୍ୟ ୨୭୨ଟି ଗଛ ନଷ୍ଟ କରିଥିଲା ପୁଲିସ

ଉଲ୍ଲେଖଯୋଗ୍ୟ, ଗତ ୧୪ ତାରିଖରେ ମଧ୍ୟ ମୁନିଗୁଡ଼ା ପୁଲିସ ବୋରିଖାଲ ଗ୍ରାମରେ ଚଢ଼ାଉ କରି ସାହେବ କୁମୁରିକା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ସେହି ଅଭିଯାନରେ ୨୭୨ଟି ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା।