ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ଲାଗି ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ସମନ୍ୱୟ ଓ ସାମୂହିକ ଉଦ୍ୟମ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟପାଳ ବ୍ରଜମୋହନ ରାମ। ବିକାଶମୂଳକ ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟରେ ଶେଷ କରିବା, ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଏବଂ କାର୍ଯ୍ୟର ନିୟମିତ ସମୀକ୍ଷା ପାଇଁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ସମୀକ୍ଷା
ଖୋର୍ଦ୍ଧା ଜିଲ୍ଲାକୁ ଦିନିକିଆ ଗସ୍ତରେ ଯାଇଥିବା ରାଜ୍ୟପାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିଲେ। ଏଥିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜ, ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିତ ପର୍ଶୋତ୍ତମଦାସଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।
ଜନସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ନିଷ୍ଠାର ସହ ଦାୟିତ୍ୱ ତୁଲାଇବାକୁ ରାଜ୍ୟପାଳ ଅଧିକାରୀଙ୍କୁ କହିଥିଲେ। ଖୋର୍ଦ୍ଧାର ବିକାଶ ଯୋଜନାକୁ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ସହ ଯୋଡ଼ିବାକୁ ମଧ୍ୟ ସେ ଆହ୍ୱାନ ଦେଇଥିଲେ।
ସାଇନ୍ସ ସିଟିଠାରୁ ଚିଲିକା ପର୍ଯ୍ୟଟନ ପ୍ରକଳ୍ପ ଯାଏଁ ସମୀକ୍ଷା
ବୈଠକରେ ଜିଲ୍ଲାର ଅନେକ ପ୍ରମୁଖ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା। ଏଥିରେ ପ୍ରସ୍ତାବିତ ସାଇନ୍ସ ସିଟି, ଶିଳ୍ପାଞ୍ଚଳ, ବୃହତ୍ ଜଳସେଚନ ପ୍ରକଳ୍ପ, କ୍ରୀଡ଼ା ଭିତ୍ତିଭୂମି, ସର୍ବସାଧାରଣ ପାଠାଗାର, ପାଇକ ସ୍ମାରକୀ ଓ ସାଂସ୍କୃତିକ କେନ୍ଦ୍ର ଆଦି ସାମିଲ ଥିଲା।
ଏହାସହ ବୟନ ଶିଳ୍ପ ହବ୍ର ସମ୍ପ୍ରସାରଣ, ଚିଲିକା ଇକୋ-ଟୁରିଜିମ୍, ବନ୍ୟଜନ୍ତୁ ପର୍ଯ୍ୟଟନ ସର୍କିଟ୍, ଐତିହ୍ୟ ଓ ତୀର୍ଥସ୍ଥଳୀର ଭିତ୍ତିଭୂମି ବିକାଶ ଏବଂ ପାନୀୟ ଜଳ ଯୋଗାଣ ଯୋଜନାର ସ୍ଥିତି ସମ୍ପର୍କରେ ଅଧିକାରୀମାନେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ।
ଅପରାଧ ପ୍ରତି ଶୂନ୍ୟ ସହନଶୀଳତା ଉପରେ ଗୁରୁତ୍ୱ
ବିକାଶ ପ୍ରକଳ୍ପ ସମ୍ପର୍କିତ ଆଲୋଚନାରେ ଜମି ଅଧିଗ୍ରହଣ, ପୁନର୍ବାସ ଓ ଥଇଥାନ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଥିଲା। ଜିଲ୍ଲାର ଆଇନଶୃଙ୍ଖଳା ସ୍ଥିତି ନେଇ ମଧ୍ୟ ସମୀକ୍ଷା କରାଯାଇଥିଲା। ଦୀର୍ଘସ୍ଥାୟୀ ବିକାଶ ପାଇଁ ଶାନ୍ତିପୂର୍ଣ୍ଣ ପରିବେଶ ଅତ୍ୟନ୍ତ ଜରୁରୀ ବୋଲି କହିବା ସହ ଅପରାଧ ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ରାଜ୍ୟପାଳ ଗୁରୁତ୍ୱ ଦେଇଥିଲେ।
ମା’ ଉଗ୍ରତାରାଙ୍କ ଦର୍ଶନ, ହିତାଧିକାରୀଙ୍କ ସହ ଆଲୋଚନା
ଗସ୍ତର ପ୍ରାରମ୍ଭରେ ରାଜ୍ୟପାଳ ଟାଙ୍ଗୀ ବ୍ଲକ୍ର ଭୁଷଣ୍ଡପୁରସ୍ଥିତ ମା’ ଉଗ୍ରତାରା ମନ୍ଦିରକୁ ଯାଇ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ପରେ ସେ ସାନରାଉତପଡ଼ା ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ସ୍ଥାନୀୟ ଜନପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ କଥା ହୋଇଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (PMAY-G), ପୋଷଣ ଓ ମୁଦ୍ରା ଯୋଜନାର ହିତାଧିକାରୀଙ୍କଠାରୁ ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ମତାମତ ନେଇଥିଲେ। ସରକାରୀ ଯୋଜନାର ସୁଫଳ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାରେ ଜନସାଧାରଣଙ୍କ ସକ୍ରିୟ ଭାଗିଦାରି ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।




