କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଓଡ଼ିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET)-୨୦୨୬ର ଫଳ ସୋମବାର ପ୍ରକାଶ ପାଇଛି। ଏଥର ମୋଟ ୪୪ ହଜାର ୨୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ପରୀକ୍ଷାର ମୋଟ ପାସ୍ହାର ୭୯.୧୫ ପ୍ରତିଶତ ରହିଛି।
ସେପ୍ଟେମ୍ବର ୩୦ ତାରିଖରେ ପେପର୍-୧ ଓ ପେପର୍-୨ ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଉଭୟ ପେପର୍ ପାଇଁ ମୋଟ ୫୯ ହଜାର ୩୫୭ ଜଣ ପରୀକ୍ଷାର୍ଥୀ ପଞ୍ଜୀକରଣ କରିଥିଲେ। ସେଥିମଧ୍ୟରୁ ୫୫ ହଜାର ୯୬୮ ଜଣ ପରୀକ୍ଷା ଦେଇଥିବା ବେଳେ ୩ ହଜାର ୩୮୯ ଜଣ ଅନୁପସ୍ଥିତ ରହିଥିଲେ।
ପେପର୍-୧ରେ ୪୧,୧୯୨ ଜଣ ଉତ୍ତୀର୍ଣ୍ଣ
ପରିଷଦ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ପେପର୍-୧ ପାଇଁ ୫୫ ହଜାର ୧୯୩ ଜଣ ଆବେଦନ କରିଥିଲେ। ଏଥିରୁ ୫୨ ହଜାର ୧୯ ଜଣ ପରୀକ୍ଷା ଦେଇଥିବା ବେଳେ ୩ ହଜାର ୧୭୪ ଜଣ ଅନୁପସ୍ଥିତ ଥିଲେ। ଏହି ପେପର୍ରେ ୪୧ ହଜାର ୧୯୨ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ପେପର୍-୧ର ପାସ୍ହାର ୭୯.୧୯ ପ୍ରତିଶତ ରହିଛି।
ପେପର୍-୨ର ପାସ୍ହାର ୭୮.୬୫%
ସେହିପରି ପେପର୍-୨ ପାଇଁ ୪ ହଜାର ୧୬୪ ଜଣ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୩ ହଜାର ୯୪୯ ଜଣ ପରୀକ୍ଷା ଦେଇଥିବା ବେଳେ ୨୧୫ ଜଣ ଅନୁପସ୍ଥିତ ରହିଥିଲେ। ଏହି ପେପର୍ରେ ୩ ହଜାର ୧୦୬ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପେପର୍-୨ର ପାସ୍ହାର ୭୮.୬୫ ପ୍ରତିଶତ ରହିଛି।
ନଭେମ୍ବର ୨୫ରୁ ଡିଜିଟାଲ୍ ସାର୍ଟିଫିକେଟ୍ ଡାଉନ୍ଲୋଡ୍
ପରୀକ୍ଷାର୍ଥୀମାନେ BSE ଓଡ଼ିଶାର ଅଫିସିଆଲ୍ ୱେବ୍ସାଇଟ୍ www.bseodisha.ac.in ଏବଂ www.bseodisha.nic.in ରେ ନିଜର ଫଳ ଦେଖିପାରିବେ। କୃତକାର୍ଯ୍ୟ ପରୀକ୍ଷାର୍ଥୀମାନେ ନଭେମ୍ବର ୨୫ ତାରିଖ ସକାଳ ୧୦ଟାରୁ ନିର୍ଦ୍ଧାରିତ ଶୁଳ୍କ ଦେଇ ଡିଜିଟାଲ୍ ପ୍ରମାଣପତ୍ର ଡାଉନ୍ଲୋଡ୍ କରିପାରିବେ। ମୂଳ ପ୍ରମାଣପତ୍ର ଜାରି ହେବା ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ରହିବ।
ଅନ୍ୟପକ୍ଷରେ, ଅକୃତକାର୍ଯ୍ୟ ପରୀକ୍ଷାର୍ଥୀମାନେ ଡିସେମ୍ବର ୨ ତାରିଖ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ନିଜର OMR ଉତ୍ତର ଖାତା ଡାଉନ୍ଲୋଡ୍ କରିପାରିବେ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।




