ଢାକା: ଭାରତରେ ନିର୍ବାସିତ ଜୀବନ ବିତାଉଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା (Sheikh Hasina) ଯଦି ଆସନ୍ତା ଡିସେମ୍ବର ୧୬ ତାରିଖରେ ଦେଶକୁ ଫେରିବାକୁ ଚାହାଁନ୍ତି, ତେବେ ତାଙ୍କୁ ହାତକଡ଼ି ପିନ୍ଧି ଜଣେ କଏଦୀ ଭାବେ ଫେରିବାକୁ ପଡ଼ିବ ବୋଲି ବାଂଲାଦେଶର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ହୁମାୟୁନ୍ କବିର (Humaiun Kobir) ମଙ୍ଗଳବାର କଡ଼ା ମନ୍ତବ୍ୟ ଦେଇଛନ୍ତି। ଢାକାରେ ବୈଦେଶିକ ମନ୍ତ୍ରଣାଳୟରେ ବିଦେଶୀ କୂଟନୀତିଜ୍ଞଙ୍କୁ ଅବଗତ କରାଇବା ପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ସେ ଏହି ବୟାନ ରଖିଛନ୍ତି।
ପାକିସ୍ତାନଠାରୁ ବାଂଲାଦେଶର ସ୍ୱାଧୀନତା ସ୍ମୃତିରେ ଡିସେମ୍ବର ୧୬କୁ ‘ବିଜୟ ଦିବସ’ (Victory Day) ଭାବେ ପାଳନ କରାଯାଉଥିବା ବେଳେ, ହସିନା ଏକ ସରକାରୀ ବିମାନ କିମ୍ବା ବିମାନ ବାଂଲାଦେଶ ଏୟାରଲାଇନ୍ସରେ ଢାକା ଫେରିବାକୁ ଚାହୁଁଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା। ଏନେଇ ପ୍ରତିକ୍ରିୟା ରଖି ହୁମାୟୁନ୍ କବିର କହିଛନ୍ତି ଯେ, “ଅର୍ଥ ଦେଇ ଏଭଳି ଖବର ଦେଖାଯାଇପାରେ, କିନ୍ତୁ ଆମକୁ ବାସ୍ତବତା ଓ ଇଚ୍ଛା ମଧ୍ୟରେ ପାର୍ଥକ୍ୟ ବୁଝିବାକୁ ପଡ଼ିବ। ବାସ୍ତବତା ହେଉଛି ଆଇନର ସାମ୍ନା କରିବା ପାଇଁ ହିଁ ଅପରାଧୀଙ୍କୁ ଦେଶକୁ ଅଣାଯିବ। କେହି କେହି ନିଜ ଶୟନକକ୍ଷରେ ଶୋଇ ଏୟାରପୋର୍ଟ କିମ୍ବା ଟ୍ରେନରେ ଚଢ଼ି ଫେରୁଥିବାର ସ୍ୱପ୍ନ ଦେଖିପାରନ୍ତି, କିନ୍ତୁ ସେମାନେ ସାଧାରଣ ଯାତ୍ରୀ ନୁହଁନ୍ତି। ସେମାନଙ୍କୁ କେବଳ ହାତକଡ଼ି ପିନ୍ଧାଇ କିମ୍ବା ନ୍ୟାୟର ସମ୍ମୁଖୀନ କରାଇବା ପାଇଁ ହିଁ ଦେଶକୁ ଅଣାଯାଇପାରିବ।”
ଅନ୍ୟପକ୍ଷରେ, ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସୂଚନା ଓ ପ୍ରସାରଣ ପରାମର୍ଶଦାତା ଜାହିଦ୍ ଉର୍ ରହମାନ (Zahed Ur Rahman) ହସିନାଙ୍କ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗରେ ତାଙ୍କ ସହ ସିଧାସଳଖ କୌଣସି ଆଲୋଚନା ହେବାର ସମ୍ଭାବନାକୁ ଅଗ୍ରାହ୍ୟ କରିଛନ୍ତି। ଢାକା ସଚିବାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ହସିନା ନିଜେ ବାଂଲାଦେଶ ଫେରିବାକୁ ଚାହୁଁଥିବାରୁ ତାଙ୍କ ପ୍ରତ୍ୟର୍ପଣରେ କୌଣସି ଆଇନଗତ ବାଧା ନାହିଁ। ସେ ଆହୁରି କହିଛନ୍ତି ଯେ, “ଶେଖ ହସିନା ଆସିବେ କି ନାହିଁ, ତାହା ତାଙ୍କ ସହ ଆଲୋଚନାର ବିଷୟ ନୁହେଁ। ଏହି ଆଲୋଚନା ଭାରତ ସହିତ ହେବ। ସେ ଏବଂ ତାଙ୍କ ସହଯୋଗୀମାନେ ଭାରତରେ ଅଛନ୍ତି। ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେଣୁ ସେ ଆସିବେ କି ନାହିଁ, ବାଂଲାଦେଶ ବିମାନରେ ଆସିବେ କି ଅନ୍ୟ ବିମାନରେ ଅବା ଚାଲିଚାଲି ଆସିବେ ଏବଂ ତାଙ୍କୁ କିପରି ହସ୍ତାନ୍ତର କରାଯିବ ଏସବୁ ବିଷୟରେ ଭାରତ ସହ କଥାବାର୍ତ୍ତା ହେବ।”
ଏହି ମାସ ପ୍ରାରମ୍ଭରେ ଏକ ସାକ୍ଷାତକାରରେ ଶେଖ ହସିନା କହିଥିଲେ ଯେ, ଗିରଫ, କାରାବାସ କିମ୍ବା ହତ୍ୟାର ଆଶଙ୍କା ତାଙ୍କୁ ବାଂଲାଦେଶ ଫେରିବାରୁ ନିବୃତ୍ତ କରିପାରିବ ନାହିଁ। ନିଜ ଲୋକଙ୍କଠାରୁ ଦୂରେଇ ରହିବା ଅପେକ୍ଷା ନିଜ ମାତୃଭୂମିରେ ମୃତ୍ୟୁବରଣ କରିବା ଅଧିକ ଶ୍ରେୟସ୍କର ବୋଲି ସେ କହିଥିଲେ। ୧୯୮୧ରେ ସାମରିକ ଶାସନ ସତ୍ତ୍ୱେ ଏବଂ ୨୦୦୭ରେ ଗିରଫ ହେବାର ଆଶଙ୍କା ଥାଇ ମଧ୍ୟ ସେ ଦେଶକୁ ଫେରିଥିବା କଥା ସ୍ମରଣ କରି ହସିନା କହିଥିଲେ ଯେ, ଭୟ ତାଙ୍କୁ କେବେ ବି ସଠିକ୍ ପଥରେ ଚାଲିବାରୁ ଅଟକାଇ ପାରିନାହିଁ।




