ତେହେରାନ: ହରମୁଜ୍ ପ୍ରଣାଳୀ (Strait of Hormuz) ପୂର୍ବ ଭାଗରେ ନୌସେନା ମାଇନ୍ ସହ ଧକ୍କା ଖାଇବା ପରେ ଦୁଇଟି ‘ନିୟମ ଉଲ୍ଲଂଘନକାରୀ’ ତୈଳ ଟ୍ୟାଙ୍କରରେ ନିଆଁ ଲାଗିଥିବା ଇରାନ ସେନାର ନୌବାହିନୀ ମଙ୍ଗଳବାର ସୂଚନା ଦେଇଛି। ଏହି ଦୁଇ ଜାହାଜ ନିଜର ପରିଚୟ ଓ ନେଭିଗେସନ୍ ସିଷ୍ଟମ୍ ବନ୍ଦ କରି ଜଳପଥର ପୂର୍ବ ଦିଗରେ ଥିବା ଏକ ‘ନିଷିଦ୍ଧ’ ଅଞ୍ଚଳରେ ପ୍ରବେଶ କରିଥିବା ସେନା ୱେବସାଇଟରେ ପ୍ରକାଶିତ ବିବୃତ୍ତିରେ କୁହାଯାଇଛି।

ନୌବାହିନୀ ବିବୃତ୍ତି ଅନୁଯାୟୀ, ଏହି ବିସ୍ଫୋରଣ ଯୋଗୁଁ ଉଭୟ ତୈଳ ଟ୍ୟାଙ୍କର ଅଟକି ଯାଇଛି। ଏହି ଘଟଣା ହରମୁଜ୍ ପ୍ରଣାଳୀ ଦେଇ ସୁରକ୍ଷିତ ଯାତାୟାତ ପାଇଁ ଇରାନର ନିୟମାବଳୀ ପାଳନ କରିବାର ଆବଶ୍ୟକତାକୁ ଦର୍ଶାଉଛି ବୋଲି ସିନ୍ହୁଆ (Xinhua) ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି। ଇରାନର ଲକ୍ଷ୍ୟ ଓ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଜଳପଥ ପୁନଃ ଖୋଲାଯିବ ନାହିଁ ବୋଲି ନୌବାହିନୀ ଚେତାବନୀ ଦେବା ସହ ସୁରକ୍ଷିତ ଯାତାୟାତ ପାଇଁ ଟ୍ୟାଙ୍କର ମାଲିକମାନଙ୍କୁ ଇରାନ ସଶସ୍ତ୍ର ବାହିନୀ ସହ ସମନ୍ୱୟ ରକ୍ଷା କରିବାକୁ ପରାମର୍ଶ ଦେଇଛି।

ମଙ୍ଗଳବାର ଇରାନ ସେନା କମାଣ୍ଡର ମେଜର ଜେନେରାଲ୍ ଆମିର ହାତାମି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଇରାନର ସାତଟି ସର୍ତ୍ତ ପୂରଣ ନହେବା ପର୍ଯ୍ୟନ୍ତ ହରମୁଜ୍ ପ୍ରଣାଳୀ ଖୋଲିବ ନାହିଁ। ତେହେରାନ ଏହି ଜଳପଥ ଉପରେ ନିଜର ନିୟନ୍ତ୍ରଣକୁ ଆହୁରି କଡ଼ାକଡ଼ି କରିବ ଏବଂ ବିରୋଧୀଙ୍କ ପାଇଁ ପରିସ୍ଥିତିକୁ ଜଟିଳ କରିଦେବ ବୋଲି ସେ ଚେତାବନୀ ଦେଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି।

ମଙ୍ଗଳବାର ବରିଷ୍ଠ ସେନା କମାଣ୍ଡରମାନଙ୍କୁ ସମ୍ବୋଧିତ କରି ଜେନେରାଲ୍ ହାତାମି କହିଛନ୍ତି ଯେ, ସାମାଜିକ, ସାମରିକ, ରାଜନୈତିକ ଏବଂ ଭୂ-ରାଜନୈତିକ ଏହି ଚାରି କ୍ଷେତ୍ରରେ ଇରାନର ଶକ୍ତି ଶତ୍ରୁ ପକ୍ଷର ସମସ୍ତ ଗଣିତକୁ ବଦଳାଇ ଦେଇଛି ବୋଲି ଏକ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି। ସେ କହିଛନ୍ତି ଯେ, ଯୁଦ୍ଧର ଯନ୍ତ୍ରଣା ଇରାନବାସୀଙ୍କୁ ଏକା ଭୋଗିବାକୁ ଦିଆଯିବ ନାହିଁ। ଯେଉଁମାନେ ଯୁଦ୍ଧ ଆରମ୍ଭ କରିଛନ୍ତି, ସେମାନେ ନିଜ ଘରେ ଓ ପେଟ୍ରୋଲ ପମ୍ପରେ ଏହାର ପ୍ରଭାବ ଅନୁଭବ କରିଛନ୍ତି। ଇରାନ ଏକାକୀ ଯୁଦ୍ଧର କଷ୍ଟ ସହିବ ନାହିଁ ଏବଂ ଶତ୍ରୁକୁ ସମର୍ଥନ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ ବୋଲି ସେ ସତର୍କ କରାଇଛନ୍ତି।

ହରମୁଜ୍ ପ୍ରଣାଳୀକୁ ଇରାନର ଭୂ-ରାଜନୈତିକ ଶକ୍ତି ଓ ସାମଗ୍ରିକ ସାମର୍ଥ୍ୟର ପ୍ରତୀକ ଭାବେ ବର୍ଣ୍ଣନା କରି ମେଜର ଜେନେରାଲ୍ ହାତାମି କହିଛନ୍ତି ଯେ, ସାତଟି ସର୍ତ୍ତ ପୂରଣ ନହେବା ଯାଏଁ ଏହି ରଣନୀତିକ ଜଳପଥ ବନ୍ଦ ରହିବ। ପାର୍ସିକ ଉପସାଗରକୁ ଓମାନ ଉପସାଗର ଓ ଆରବ ସାଗର ସହ ଯୋଡ଼ୁଥିବା ହରମୁଜ୍ ପ୍ରଣାଳୀ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶକ୍ତି କରିଡର ମଧ୍ୟରୁ ଅନ୍ୟତମ। ପ୍ରମୁଖ ଉପସାଗରୀୟ ଉତ୍ପାଦକ ଦେଶମାନଙ୍କଠାରୁ ଅଶୋଧିତ ତୈଳ ଏବଂ ତରଳ ପ୍ରାକୃତିକ ଗ୍ୟାସ୍ ଅନ୍ତର୍ଜାତୀୟ ବଜାରକୁ ଏହି ମାର୍ଗ ଦେଇ ପରିବହନ ହୋଇଥାଏ। ଏଭଳି ପରିସ୍ଥିତିରେ ଏହି ଜଳପଥ ଅବରୋଧ ରହିଲେ ବିଶ୍ୱ ତୈଳ ଓ ଗ୍ୟାସ୍ ଯୋଗାଣ ଶୃଙ୍ଖଳ ଉପରେ ବଡ଼ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।