ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ରେଳ ଯୋଗାଯୋଗ କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି। ବଲାଙ୍ଗିରରୁ ପାଟଣାଗଡ଼ ଦେଇ ନୂଆପଡ଼ା ଜିଲ୍ଲାର ଲଖନା ପର୍ଯ୍ୟନ୍ତ ପ୍ରସ୍ତାବିତ ନୂତନ ବ୍ରଡ୍ ଗେଜ୍ ରେଳପଥକୁ କେନ୍ଦ୍ର ସରକାର ‘ସ୍ୱତନ୍ତ୍ର ରେଳ ପ୍ରକଳ୍ପ’ ମାନ୍ୟତା ପ୍ରଦାନ କରିଛନ୍ତି। ଏନେଇ କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବତଟ ରେଳପଥ (ନିର୍ମାଣ) ବିଭାଗ ମାଧ୍ୟମରେ ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ରେଳବାଇ (ସଂଶୋଧନ) ଅଧିନିୟମ, ୨୦୦୮ର ଧାରା ୩୭ଏ (Clause 37A) ଅନୁଯାୟୀ ଏହି ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁସାରେ, ପୂର୍ବତଟ ରେଳପଥ ଅଧୀନରେ “ପାଟଣାଗଡ଼ ଦେଇ ବଲାଙ୍ଗିର-ଲଖନା (ନୂଆପଡ଼ା) ମଧ୍ୟରେ ନୂତନ ବ୍ରଡ୍ ଗେଜ୍ ରେଳ ଲାଇନ (୧୦୨ କିଲୋମିଟର)” ଶୀର୍ଷକ ପ୍ରକଳ୍ପକୁ ଓଡ଼ିଶାରେ ଏକ ସ୍ୱତନ୍ତ୍ର ରେଳ ପ୍ରକଳ୍ପ ଭାବେ ଅଧିସୂଚିତ କରାଯାଇଛି। ସରକାରୀ ଗେଜେଟରେ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖରୁ ହିଁ ଏହି ସ୍ୱତନ୍ତ୍ର ମାନ୍ୟତା କାର୍ଯ୍ୟକାରୀ ହେବ।
ଏହି ନୂତନ ରେଳ ଲାଇନର ମୋଟ ଦୈର୍ଘ୍ୟ ୧୦୨ କିଲୋମିଟର ରହିବ। ଏହା ବଲାଙ୍ଗିରକୁ ପାଟଣାଗଡ଼ ଦେଇ ନୂଆପଡ଼ା ଜିଲ୍ଲାର ଲଖନା ସହ ସିଧାସଳଖ ସଂଯୋଗ କରିବ। ‘ସ୍ୱତନ୍ତ୍ର ରେଳ ପ୍ରକଳ୍ପ’ ଟ୍ୟାଗ୍ ମିଳିବା ଫଳରେ ଦୀର୍ଘ ଦିନରୁ ପଡ଼ି ରହିଥିବା ଏହି ରେଳପଥ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ଆଇନଗତ ତଥା ପ୍ରଶାସନିକ ମଞ୍ଜୁରୀ କାର୍ଯ୍ୟ ଅତ୍ୟନ୍ତ ତ୍ୱରାନ୍ୱିତ ହୋଇପାରିବ। ଫଳରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇବା ନେଇ ପଥ ପରିଷ୍କାର ହୋଇଛି।
ବଲାଙ୍ଗିର-ପାଟଣାଗଡ଼-ଲଖନା ରେଳପଥ ସମ୍ପୂର୍ଣ୍ଣ ହେବା ପରେ ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ରେଳ ଯୋଗାଯୋଗ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ। ଏହା ଦ୍ୱାରା ବଲାଙ୍ଗିର, ପାଟଣାଗଡ଼ ଏବଂ ନୂଆପଡ଼ା ଅଞ୍ଚଳର ସାଧାରଣ ଯାତ୍ରୀମାନେ ଉପକୃତ ହେବା ସହ ସ୍ଥାନୀୟ କୃଷି, ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରକୁ ବ୍ୟାପକ ପ୍ରୋତ୍ସାହନ ମିଳିବ। ଅଞ୍ଚଳର ସାମଗ୍ରିକ ଅର୍ଥନୈତିକ ବିକାଶ ଦିଗରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।




