ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉପରେ ପ୍ରାଥମିକ ଶିକ୍ଷକମାନଙ୍କ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଂଘର ଅଭିଯୋଗ ଅନୁଯାୟୀ, ଦୀର୍ଘ ୧୧ ମାସ ଧରି ସରକାରଙ୍କ ପ୍ରତିଶ୍ରୁତି ଓ ଅପେକ୍ଷା ସତ୍ତ୍ୱେ ସେମାନଙ୍କର ଦୁଇ ଦଫା ଦାବି ଏପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ। ଏହାର ପ୍ରତିବାଦରେ ଆସନ୍ତା ଡିସେମ୍ବର ୪ ତାରିଖରୁ ବିଧାନସଭା ସମ୍ମୁଖରେ ରାଜ୍ୟସ୍ତରୀୟ ମିଳିତ ଆନ୍ଦୋଳନକୁ ଓହ୍ଲାଇବାକୁ ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ କୁହାଯାଇଛି ଯେ, ନିଜର ନ୍ୟାଯ୍ୟ ଦାବି ପୂରଣ ପାଇଁ ଗତବର୍ଷ ଡିସେମ୍ବର ୫ ତାରିଖରୁ ଶିକ୍ଷକମାନେ ଶାନ୍ତିପୂର୍ଣ୍ଣ ଏବଂ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ଚଳାଇ ଆସିଛନ୍ତି। ବିଭିନ୍ନ ପର୍ଯ୍ୟାୟରେ ସରକାରଙ୍କ ସହ ଆଲୋଚନା ଏବଂ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଦୀର୍ଘ ୧୧ ମାସ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନର ବାଟ ବାହାରିପାରିନାହିଁ। ବାରମ୍ବାର ଦାବି ଉପସ୍ଥାପନ ସତ୍ତ୍ୱେ ନିଷ୍ପତ୍ତି କାର୍ଯ୍ୟକାରୀ ହେଉନଥିବାରୁ ରାଜ୍ୟର ଲକ୍ଷାଧିକ ପ୍ରାଥମିକ ଶିକ୍ଷକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ମହାସଂଘ ଦର୍ଶାଇଛି।
ମହାସଂଘ ପକ୍ଷରୁ ସ୍ପଷ୍ଟ ଭାବେ ଚେତାବନୀ ଦିଆଯାଇଛି ଯେ, ଯଦି ଚଳିତ ନଭେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟ ସରକାର ସେମାନଙ୍କର ଦୁଇ ଦଫା ଦାବି ପୂରଣ ନକରନ୍ତି, ତେବେ ଆସନ୍ତା ଡିସେମ୍ବର ୪ ତାରିଖରୁ ରାଜ୍ୟର ସମସ୍ତ ପ୍ରାଥମିକ ଶିକ୍ଷକ ସଂଘ ଏକାଠି ହୋଇ ରାଜରାସ୍ତାକୁ ଓହ୍ଲାଇବେ। ବିଧାନସଭା ସମ୍ମୁଖରେ ଏହି ମିଳିତ ଆନ୍ଦୋଳନ କରାଯିବ ବୋଲି ମହାସଂଘ ଘୋଷଣା କରିଛି।
ବିଧାନସଭା ଅଧିବେଶନ ଚାଲିଥିବା ସମୟରେ ପ୍ରାଥମିକ ଶିକ୍ଷକ ମହାସଂଘର ଏହି ମିଳିତ ଆନ୍ଦୋଳନ ଡାକରା ପ୍ରଶାସନିକ ଓ ରାଜନୈତିକ ମହଲରେ ଗୁରୁତ୍ୱ ବହନ କରୁଛି। ନଭେମ୍ବର ଶେଷ ସୁଦ୍ଧା ସରକାର ଶିକ୍ଷକ ମହାସଂଘର ଦାବି ଉପରେ କି ପଦକ୍ଷେପ ନେଉଛନ୍ତି ଏବଂ ଆଲୋଚନା ମାଧ୍ୟମରେ ଏହାର ସମାଧାନ ହେଉଛି କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।




