ୱାଶିଂଟନ୍: ଆମେରିକାର ପ୍ରତ୍ୟେକ ପିଲାଙ୍କୁ ନିଜ କମ୍ପାନି SpaceXର ଦୁଇଟି ଲେଖାଏଁ ସେୟାର ଦେବାକୁ ଘୋଷଣା କରିଛନ୍ତି ଧନୀ ଉଦ୍ୟୋଗପତି ଏଲନ୍ ମସ୍କ। ଏଥିରୁ ଗୋଟିଏ ସେୟାର SpaceX ପକ୍ଷରୁ ମିଳିବ ଏବଂ ଅନ୍ୟଟି ମସ୍କ ନିଜେ ଦେବେ। ଆମେରିକା ସରକାରଙ୍କ ‘ଟ୍ରମ୍ପ ଆକାଉଣ୍ଟ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ସେୟାର ବଣ୍ଟନ କରିବା ଯୋଜନା ରହିଛି।
ମସ୍କ ବୁଧବାର ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ଏହି ଘୋଷଣା କରିଛନ୍ତି। ଏହା ପୂର୍ବରୁ SpaceX ମଧ୍ୟ ପ୍ରତ୍ୟେକ ସକ୍ରିୟ ଟ୍ରମ୍ପ ଆକାଉଣ୍ଟ୍କୁ ନିଜର ଗୋଟିଏ ନୂଆ Class A ସେୟାର ଦେବାକୁ ଘୋଷଣା କରିଥିଲା। କମ୍ପାନିର ଏହି ଅବଦାନ ସହ ସମାନ ସଂଖ୍ୟକ ସେୟାର ମସ୍କ ବ୍ୟକ୍ତିଗତ ଭାବେ ଦେବେ।
ପ୍ରାୟ ୧୮ ବିଲିୟନ୍ ଡଲାରର ସେୟାର ଉପହାର
ବୁଧବାରର ବଜାର ବନ୍ଦ ସମୟରେ SpaceXର ଗୋଟିଏ ସେୟାରର ମୂଲ୍ୟ ୧୨୭.୪୪ ଡଲାର ଥିଲା। ଏହି ମୂଲ୍ୟ ଆଧାରରେ ଦୁଇଟି ସେୟାରର ମୂଲ୍ୟ ପ୍ରାୟ ୨୫୪.୮୮ ଡଲାର। ପ୍ରାୟ ୭୦ ନିୟୁତ ଆକାଉଣ୍ଟ୍କୁ ଏହି ସେୟାର ମିଳିଲେ ଉପହାରର ମୋଟ ମୂଲ୍ୟ ପ୍ରାୟ ୧୮ ବିଲିୟନ୍ ଡଲାର ହୋଇପାରେ।
SpaceX ପକ୍ଷରୁ ଦିଆଯିବାକୁ ଥିବା ସେୟାର ଡିସେମ୍ବରରେ ହସ୍ତାନ୍ତର ହେବ ବୋଲି ମସ୍କ କହିଛନ୍ତି। ଅନ୍ୟପଟେ ନିଜ ବ୍ୟକ୍ତିଗତ ସେୟାର ହସ୍ତାନ୍ତର ପାଇଁ ତାଙ୍କୁ ଜୁନ୍ ୨୦୨୭ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ସେହି ସମୟରେ ତାଙ୍କ ଉପରେ ଥିବା ସେୟାର ହସ୍ତାନ୍ତର ସମ୍ପର୍କିତ ପ୍ରତିବନ୍ଧକ ବା ଲକ୍ଅପ୍ ଅବଧି ଶେଷ ହେବ।
କ’ଣ ଏହି ଟ୍ରମ୍ପ ଆକାଉଣ୍ଟ୍?
ଆମେରିକାର ୧୮ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ଦୀର୍ଘମିଆଦୀ ସଞ୍ଚୟ ଓ ନିବେଶର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଟ୍ରମ୍ପ ଆକାଉଣ୍ଟ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହା ଏକ ଟିକସ ସୁବିଧାଯୁକ୍ତ ନିବେଶ ଆକାଉଣ୍ଟ୍। ଏହା ମାଧ୍ୟମରେ ପିଲାମାନଙ୍କ ନାମରେ ଦୀର୍ଘକାଳୀନ ଆର୍ଥିକ ସମ୍ପତ୍ତି ଗଢ଼ିବାର ଯୋଜନା ରହିଛି।
ହ୍ୱାଇଟ୍ ହାଉସ୍ର ସୂଚନା ଅନୁଯାୟୀ, ଅକ୍ଟୋବର ସୁଦ୍ଧା ପ୍ରାୟ ୭୦ ନିୟୁତ ଆକାଉଣ୍ଟ୍ ଖୋଲାଯାଇଥିଲା। ତେବେ SpaceXର ଘୋଷଣାରେ କେବଳ ବର୍ତ୍ତମାନ ସକ୍ରିୟ ଥିବା ଟ୍ରମ୍ପ ଆକାଉଣ୍ଟ୍ଗୁଡ଼ିକୁ ସେୟାର ଦିଆଯିବ ବୋଲି କୁହାଯାଇଛି। କେତୋଟି ଆକାଉଣ୍ଟ୍ ଏହି ଯୋଗ୍ୟତା ପୂରଣ କରୁଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।
ପୂର୍ବରୁ ମଧ୍ୟ ଦେଇଥିଲେ ସେୟାର ଦେବାର ପ୍ରତିଶ୍ରୁତି
ଗତ ଅକ୍ଟୋବରରେ ମସ୍କ ଆମେରିକାର ପ୍ରତ୍ୟେକ ପିଲାଙ୍କୁ ନିଜ SpaceXର ଗୋଟିଏ ସେୟାର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏବେ କମ୍ପାନି ଓ ନିଜ ପକ୍ଷରୁ ଗୋଟିଏ ଲେଖାଏଁ ସେୟାର ଦେବା ଘୋଷଣା କରି ଏହାକୁ ଦୁଇଟିକୁ ବୃଦ୍ଧି କରିଛନ୍ତି।
ଏହା ବ୍ୟତୀତ SpaceXର ଅଧ୍ୟକ୍ଷ ତଥା COO ଗ୍ୱିନ୍ ସଟ୍ୱେଲ୍ ଓ ତାଙ୍କ ସ୍ୱାମୀ ମଧ୍ୟ ଟ୍ରମ୍ପ ଆକାଉଣ୍ଟ୍ କାର୍ଯ୍ୟକ୍ରମରେ ଦୁଇ ନିୟୁତରୁ ଅଧିକ ପିଲାଙ୍କ ପାଇଁ ଗୋଟିଏ ଲେଖାଏଁ SpaceX ସେୟାର ଦେବାକୁ ଘୋଷଣା କରିଥିଲେ।
ତେବେ SpaceX ନିଜ ଘୋଷଣାରେ ଏହି ସେୟାର ହସ୍ତାନ୍ତର ଭବିଷ୍ୟତରେ ହେବାକୁ ଥିବା ଯୋଜନା ବୋଲି ସ୍ପଷ୍ଟ କରିଛି। ଏଥିପାଇଁ ଆବଶ୍ୟକ ତୃତୀୟ ପକ୍ଷ ଓ ସରକାରୀ ଅନୁମୋଦନ ସମେତ ବିଭିନ୍ନ ଅନିଶ୍ଚିତତା ରହିଛି। ତେଣୁ ଘୋଷଣା ହୋଇଥିବା ସେୟାର ବଣ୍ଟନ ପ୍ରକ୍ରିୟା ଓ ଯୋଗ୍ୟତା ସମ୍ପର୍କିତ ସମସ୍ତ ବିବରଣୀ ଆଗାମୀ ଦିନରେ ସ୍ପଷ୍ଟ ହେବ।




