ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗାଠାରେ ଷଷ୍ଠ ରାଜ୍ୟସ୍ତରୀୟ ‘ମା’ ଭୈରବୀ ମହୋତ୍ସବ’ ମହାସମାରୋହରେ ଉଦ୍ଘାଟିତ ହୋଇଯାଇଛି। ଏହି ଉତ୍ସବକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିବା ବେଳେ ଉଦ୍ଘାଟନୀ ଦିବସରେ ଏକ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ମହୋତ୍ସବ ଉଦ୍ଘାଟନ ଅବସରରେ ଅପରାହ୍ଣରେ ପୁରୁଣା କଟକ ସ୍ଥିତ ମା’ ଭୈରବୀଙ୍କ ପୀଠରୁ ପବିତ୍ର ମଶାଲ ଜ୍ୟୋତି ଅଣାଯାଇ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ବାହାରିଥିଲା। ପାରମ୍ପରିକ ବାଦ୍ୟ, ଘଣ୍ଟ, ଶଙ୍ଖ, ହୁଳହୁଳି, ବିଭିନ୍ନ ଲୋକନୃତ୍ୟ, ଗୀତ ଏବଂ ନାମ ସଂକୀର୍ତ୍ତନର ତାଳେ ତାଳେ ସମଗ୍ର ଅଞ୍ଚଳ ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶରେ ପରିଣତ ହୋଇଥିଲା। ଏହି ବିଶାଳ ଶୋଭାଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ଓ ଦର୍ଶକ ସାମିଲ ହୋଇଥିଲେ, ଯାହାଫଳରେ ଜାତୀୟ ରାଜପଥ ଜନସମୁଦ୍ରରେ ପରିଣତ ହୋଇଥିଲା। ଶୋଭାଯାତ୍ରାଟି ମହୋତ୍ସବ ପଡ଼ିଆରେ ପହଞ୍ଚିବା ପରେ ବିଧିପୂର୍ବକ ମହୋତ୍ସବ ମଣ୍ଡପରେ ମା’ ଭୈରବୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା।
ଉଦ୍ଘାଟନୀ ସନ୍ଧ୍ୟାରେ ମହୋତ୍ସବ କମିଟିର ସଭାପତି ଅଶୋକ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାଏକ ଯୋଗଦେଇ ମହୋତ୍ସବର ଶୁଭ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବୌଦ୍ଧ ଆରକ୍ଷୀ ଅଧୀକ୍ଷକ (ଏସ୍ପି) କୁଲଦୀପ ମୀନା, ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ ଏବଂ ମହୋତ୍ସବ କମିଟି ସମ୍ପାଦକ ଅଶୋକ କୁମାର ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ। ଅତିଥିମାନେ ମା’ ଭୈରବୀ ମହୋତ୍ସବ ଅଞ୍ଚଳର କଳା, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ମତବ୍ୟକ୍ତ କରିଥିଲେ।
ଉଦ୍ଘାଟନୀ ସଭାର ପରେ ପରେ ମଞ୍ଚରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କଳାକାରମାନଙ୍କ ଦ୍ୱାରା ପରିବେଷିତ ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ ଶୀତୁଆ ରାତିରେ ଉପସ୍ଥିତ ହଜାର ହଜାର ଦର୍ଶକଙ୍କ ମନ ମୋହିଥିଲା।




