ସୁବର୍ଣ୍ଣପୁର: ରାଜ୍ୟରେ ଲାଞ୍ଚଖୋରୀ ବିରୁଦ୍ଧରେ ଅଭିଯାନ ଅନ୍ତର୍ଗତ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟବାହି କଲା ଭିଜିଲାନ୍ସ। ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରରେ ପଦସ୍ଥିତ ସହକାରୀ ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ପ୍ରଧାନ ଏବଂ ତାଙ୍କ ସହଯୋଗୀ ବାବୁଲାଲ ବାରିକ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ସୂଚନା ଅନୁଯାୟୀ, ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ମାଛ ଚାଷ ସବସିଡି ପାଇଁ ଅନୁମୋଦନ ଦେବା ନାମରେ ପ୍ରଥମେ ୪୫ ହଜାର ଟଙ୍କା ଦାବି କରାଯାଇଥିଲା, ହେଲେ ଶେଷରେ ୩୦ ହଜାର ଟଙ୍କାରେ ଟଙ୍କା ଦେବା ପାଇଁ ଚୁକ୍ତି ହେଉଥିଲା। ଏହି ଅର୍ଥ ଗ୍ରହଣ କଲା ବେଳେ ଭିଜିଲାନ୍ସ ଟିମ୍ ଟ୍ରାପ୍ କରି ଦୁଇଜଣଙ୍କୁ ଗିରଫ କରିଥିଲେ।
ପରେ ଦୁଇଜଣଙ୍କ ଘରେ ଛାପା ମାରିବା ପରେ ସହକାରୀ ମତ୍ସ୍ୟ ଅଧିକାରୀଙ୍କ ଭଡ଼ା ଘରୁ ମିଳିଛି ୩ ଲକ୍ଷ ୫୮ ହଜାର ୭୦୦ ଟଙ୍କା ଏବଂ ବାରିକଙ୍କ ଠାରୁ ମିଳିଛି ୪୮ ହଜାର ୬୧୦ ଟଙ୍କା। ଏନେଇ ମୋଟ ୪ ଲକ୍ଷ ୭ ହଜାର ୩୧୦ ଟଙ୍କା ଜବତ କରାଯାଇଛି।
ବର୍ତ୍ତମାନ ଦୁଇଜଣଙ୍କ ବିରୁଦ୍ଧରେ ଆୟ ଉପରେ ଅଧିକ ସମ୍ପତ୍ତି ତଥ୍ୟ ନେଇ ଯାଞ୍ଚ ଚାଲିଛି। ଭିଜିଲାନ୍ସ ନିକଟରୁ ସୂଚନା ମିଳିଛି ଯେ, ସରକାରୀ ଯୋଜନା ତଳେ ମିଳୁଥିବା ସବସିଡିକୁ ଉପଲକ୍ଷ କରି ଏପରି ଲାଞ୍ଚ ମାଗିବା ଅପରାଧ ଭାବରେ ଗଣାଯିବ ଏବଂ ଏଥିପାଇଁ କଡା ବ୍ୟବସ୍ଥା ଗ୍ରହଣ କରାଯିବ।